Unknown

 

 

 

 

 

 

 

 

 

 

 

ଅନିମନ୍ତ୍ରିତା

ଅଧ୍ୟାପକ ପଞ୍ଚାନନ ବେହେରା

 

ଅନିମତ୍ରିତାର ପାଣ୍ଡୁଲିପି ଲେଖା ଶେଷ ହୋଇଥିଲା ବହୁତ ବର୍ଷ ପୂର୍ବେ—ଛାତ୍ରାବସ୍ଥାରେ । ଉପନ୍ୟାସ ଲେଖିବାରେ ଏହା ମୋର ପ୍ରଥମ ପଦକ୍ଷେପ । ଦୀର୍ଘ ସମୟ ପାଣ୍ଡୁଲିପିଟି ମୋ ନିକଟରେ ରହିଥିଲେ ହେଁ, ଭାଷା କିମ୍ବା ଭାବର କୌଣସି ପରିବର୍ତ୍ତନ କରି ନାହିଁ କିମ୍ବା କଳେବର ବୃଦ୍ଧି କରିବାର ଚେଷ୍ଟା ମଧ୍ୟ କରି ନାହିଁ । ତାର ପ୍ରଧାନ କାରଣ ହେଲା ଯେଉଁ ଭାଷା ଏବଂ ଭାବନାକୁ ସମ୍ବଳ କରି ମୁଁ ବହିଟିର ଲେଖା ଆରମ୍ଭ ଏବଂ ଶେଷ କରିଥିଲି—ତାହା ଥିଲା ଏପରି ଏକ ସମୟର, ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ଦେଖନ୍ତି ରଙ୍ଗୀନ ସ୍ୱପ୍ନ ଏବଂ କରନ୍ତି ବିଚିତ୍ର କଳ୍ପନା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନୁଭୂତି ମଧ୍ୟ ବହୁତ କିଛି ପରିବର୍ତ୍ତନ ଆସିଯାଏ । କିନ୍ତୁ ଫେରି ଆସେନା ସେଇ ରଙ୍ଗୀନ ସ୍ୱପ୍ନବିଭୋର ସମୟ ଏବଂ ସ୍ୱପ୍ନର ସେଇ ଅବର୍ଣ୍ଣନୀୟ ମାଦକତା—ଶତଚେଷ୍ଟା ସତ୍ତ୍ୱେ ।

‘ଅନିମତ୍ରିତା’ ଗୋଟିଏ ନାରୀ ଜୀବନର ଅଶ୍ରୁଳ କାହାଣୀ । ଏଥିରେ ମୁଁ ଗୋଟିଏ ନାରୀର ଉତ୍ଥାନ, ପତନ, ଜୀବନ ରାସ୍ତାରେ ସେ ସମ୍ମୁଖୀନ ହୋଇଥିବା ଘାତ, ପ୍ରତିଘାତ ଏବଂ ଶେଷରେ କରିଥିବା ନିଷ୍ପତ୍ତିର ଚିତ୍ରଣ କରିବାକୁ ଚେଷ୍ଟା କରିଛି । ଜୀବନର ଅସରନ୍ତି ରାସ୍ତାରେ ଘାତ ଏବଂ ପ୍ରତିଘାତ, ଝଡ଼ ଏବଂ ଝଞ୍ଜାର ସମ୍ମୁଖୀନ ହେବା ସ୍ଵାଭାବିକ । ଶାନ୍ତ—ଉପନ୍ୟାସର ନାୟିକା ସେଥିରୁ ବାଦ ଯାଇନି । ତା ଜୀବନର ରାସ୍ତା ପୁଷ୍ପିତ ନହୋଇ, ହୋଇଛି କଣ୍ଟକିତ ଏବଂ କଣ୍ଟକିତ ରାସ୍ତା ପୁନର୍ବାର ପୁଷ୍ପିତ ହେବାକୁ ଗଲାବେଳେ ସେ ନିଷ୍ପତ୍ତିଟି ନେଇ ଭଲ କରିଛି କି ଭୁଲ କରିଛି ତାର ବିଚାର କରିବେ ସୁଧୀ ପାଠକବୃନ୍ଦ ।

ପ୍ରକାଶକ ବନ୍ଧୁ ଶ୍ରୀ ଭାସ୍କରଚନ୍ଦ୍ର ପାତ୍ର ବହିଟିର ପ୍ରକାଶନ ଗ୍ରହଣ କରି ଉତ୍ସାହିତ କରିଥିବାରୁ ଏବଂ ତରୁଣ ଅଧ୍ୟାପକ ବନ୍ଧୁ ଶ୍ରୀ ନିଶାକର ପାଢ଼ୀ ବହିଟିର ପ୍ରଚ୍ଛଦପଟ ପ୍ରସ୍ତୁତ କରିଥିବାରୁ ତାଙ୍କୁ ମୋତେ ହାର୍ଦ୍ଧିକ ଧନ୍ୟବାଦ ।

‘ଅନିମତ୍ରିତା’ ଯଦି ପାଠକଙ୍କ ଅବସର ବିନୋଦନରେ କିଞ୍ଚିତ୍ ସାହାଯ୍ୟ କରିବ, ତା ହେଲେ ମୋର ଶ୍ରମ ବ୍ୟର୍ଥ ହେବନି ।

 

ବିନୀତ

ଲେଖକ

★★★

 

ମସ୍ତିସ୍କରେ ଚିନ୍ତାର ଝଡ଼, ହାତରେ ଜ୍ୱଳନ୍ତ ଅର୍ଧଦଗ୍ଧ ସିଗାରେଟ୍ । ବହିଟିଏ ହାତରେ ଧରି ଆରାମ ଚୌକିଟି ଉପରେ ବସିଥାଏ ରମେଶ ଦାସ, ୟୁନିଭରସିଟିର ରିସର୍ଚ ସ୍କୁଲାର । ଆଖି ମାଡ଼ି ପଡ଼ିଲାଣି । ବିଛଣା ଛୁଇଁଲେ ନିଦ ହୋଇଯିବ । ତଥାପି ତାର ଚିନ୍ତାର ଶେଷ ନାହିଁ ସେଇ ଗୋଟିଏ ଚିନ୍ତା । ମନୁଷ୍ୟର ନାମ ଏବଂ ରୂପ କିଛି ବଦଳେ ନାହିଁ । କିନ୍ତୁ ବ୍ୟବହାର ଓ କାର୍ଯ୍ୟରେ ସେ ବଦଳିଯାଏ ଅଧିକାଂଶ ସମୟରେ, ସେଇ ମନୁଷ୍ୟହିଁ ବେଳେ ବେଳେ ଦେବତା ରୂପେ ପୂଜାପାଏ ଏବଂ ଅନ୍ୟ ସମୟରେ ରାକ୍ଷସ ରୂପେ ଘୃଣିତ ହୁଏ । କାହିଁକି ? କଣହୁଏ ତାର ? କାହିଁକି ସେ ବଦଳି ଯାଏ ଦେବତାରୁ ରାକ୍ଷାସକୁ ? କେଉଁଥି ପାଇ ତାର ଏ ବିରାଟ ପରିବର୍ତ୍ତନ ? କଣ ନବଦଳିଲେ ହୁଅନ୍ତା ନାହିଁ ? ଏଇ ପ୍ରଶ୍ନ ରାଶିର ଉତ୍ତର ସେ ଆଜି ପାଉ ନଥାଏ । ଭାବି, ଭାବି ବିରକ୍ତ ହୋଇଗଲା ଫୋପାଡ଼ି ଦେଲା ଅର୍ଧଦଗ୍ଧ ସିଗାରେଟ୍‍ଟିକୁ ।

 

ହଳଦିଆ ରଙ୍ଗର ବଲ୍‍ବର ଆଲୁଅରେ କୋଠରୀଟି ପୁରି ଯାଇଥାଏ । ଟେବୁଲ ଉପରେ ବିଞ୍ଛିହୋଇ ପଡ଼ିଥାଏ । ଫାଇଲ୍ ଗୁଡ଼ିକ । ବିଭିନ୍ନ ସବଜେକ୍ଟର ବିଭିନ୍ନ ଫାଇଲ୍ । ଘଡ଼ିଟି ଉପରେ ତାର ଦୃଷ୍ଟି ପଡ଼ିଲା । ବାରଟା ବାଜି ଯାଇଥାଏ । ନାଁ, ଆଜିଆଉ ହେବନାହିଁ । ମୁଣ୍ଡର ଚିନ୍ତାଧାରା ଗୋଳମାଳ ହୋଇ ଗଲାଣି । ଆଖିଗୁଡ଼ିକ ଲାଲି ଦେଖା ଯାଉଥାଏ । ଲାଇଟ୍ ଅଫ୍‍ କରି ବିଛଣାରେ ପଡ଼ିଗଲା । କୋଠରୀଟିରେ ଘନ ଅନ୍ଧକାରର ରାଜତ୍ୱ ।

 

ଖଟ୍, ଖଟ୍.......

 

ଦ୍ୱାରରେ କିଏ ଜଣେ ଆଘାତ କଲା ।

 

ସେହି ମୁହୂର୍ତ୍ତରେ ସେ ଚାହୁଁ ନଥିଲା କାହାର ସାନିଧ୍ୟ । ମନୁଷ୍ୟ ଜୀବନରେ ଏପରି ଏକ ସମୟ ଆସି ପହଞ୍ଚେ ଯେତେବେଳେ ସେ ନିରୋଳାରେ ରହିବାକୁ ଭଲପାଏ । କାହା ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ଭଲ ଲାଗେନାହିଁ । ତା ଛଡ଼ା ସେତେବେଳେ ରମେଶର ଆଖି ଜଳୁଥାଏ-। କିଛି ନକହି ସେ ଚୁପ୍ ରହିଲା ।

 

ଆଉ ଥରେ କବାଟରେ ମୃଦୁ ଆଘାତର ଗୁଞ୍ଜନ......

 

ବାଧ୍ୟହୋଇ ସେ ବିଛଣାରୁ ଉଠିଲା । ଲାଇଟ୍ ଅନ୍‍କଲା । ଆଳସ୍ୟ ଗତିରେ କବାଟ ପାଖରେ ପହଞ୍ଚିଲା । କବାଟ ନ ଖୋଲୁଣୁ ପଚାରିଲା—କିଏ ?

 

“ଅଳ୍ପ ଖୋଲନ୍ତୁ” ଏକ ନାରୀ କଣ୍ଠରୁ ଆସିଲା ଉତ୍ତର । ଆଶ୍ଚର୍ଯ୍ୟ ହେଲା ରମେଶ । ରାତ୍ରୀ ବାରଟାରେ ତାରି ଦ୍ୱାରପାଖେ ନାରୀର କଣ୍ଠସ୍ୱର । ତା’ର ତ ଏପରି କିଏ friend ନାହାନ୍ତି ଅର୍ଧରାତ୍ରୀରେ ଆସି ତାକୁ disturb କରିବାକୁ । ତେବେ, ତେବେ କିଏ ଏହି ସ୍ତ୍ରୀ ତାର କଣ ଦରକାର । ଏ ଅବେଳରେ, ସେ କାହିଁକି ?

 

ପଚାରିଲା କେଉଁଠୁ ଆସିଛନ୍ତି ? ଆପଣ କିଏ ? ଉତ୍ତରର ଅପେକ୍ଷା କଲା ।

 

କିଛି ସମୟ ନିରବରେ କଟିଗଲା । ଆରପଟୁ କିଛି ଉତ୍ତର ଆସିଲା ନାହିଁ । କିଏ ହୋଇଥିବ । ଅଯଥା ହଇରାଣ । ତାର ଏତେଟା ହଇରାଣ ଦରକାର ନାହିଁ ବରଂ ଭଦ୍ରମହିଳା ଅନ୍ୟ କେଉଁଠି ଆଶ୍ରୟ ନେଇ ପାରନ୍ତି । ସେ କବାଟ ଖୋଲିବ ନାହିଁ । କବାଟ ନ ଖୋଲିବାକୁ ସ୍ଥିର କରି ଫେରିଗଲା ସେ ବିଛଣାକୁ ।

 

କିନ୍ତୁ ବିବେକ ତାର ଚିତ୍କାର କଲା—ଖୋଲିଦେ, ଆଶ୍ରୟହୀନା ତ, ଗୋଟିଏ ରାତ୍ରୀ ସକାଶେ, ବିଚାରୀ ଅସୁବିଧାରେ ପଡ଼ିଥିବ ।

 

ମନ ବିଦ୍ରୋହ କରି ଉଠିଲା—ନା, ନା, ଆଜିକାଲିର ସ୍ତ୍ରୀଙ୍କୁ ବିଶ୍ୱାସ ନାହିଁ । ସେମାନେ ଯାହାଠାରୁ ଆଶ୍ରୟ ପାଇବେ, ସହାନୁଭୂତି ପାଇବେ ତାରିହିଁ ଅନିଷ୍ଟ କରିବେ । ଦରକାର ପଡ଼ିଲେ ତାରି ମୁଣ୍ଡରେ କଳଙ୍କ ବୋଳିବାକୁ ପଛାଇବେ ନାହିଁ । ଯଦି କୌଣସି ପୋଲିସ କେଶ୍ ଫେଶ୍ ହୁଏ ତାହେଲେ ଶିର ନାସ୍ତି ଶିର ପୀଡ଼ା । ପଢ଼ାପଢ଼ିରେ କ୍ଷତି । ବାପା ଶୁଣିଲେ ବିରକ୍ତ ହେବେ ନା, ନା, ମୋର କି ଦରକାର ଏତେ କଥା ସୁଇଚ ଅଫ୍ କରିଦେଲା ରମେଶ । କୋଠରୀଟି ପୂର୍ବୋର ଅନ୍ଧକାରରେ ପୂରିଗଲା ।

 

ତା ହେଲେ, ଆପଣ କବାଟ ଖୋଲିବେ ନାହିଁ—ବାହାରୁ ଆସିଲା ପ୍ରଶ୍ନ ।

 

ଦେଖନ୍ତୁ, ଯେତେବେଳେ ଯାଏଁ ଆପଣଙ୍କ ପରିଚୟ ପାଇ ନାହିଁ ସେତେବେଳେ ଯାଏ କବାଟ ଖୋଲିବା ଅସମ୍ଭବ ବୃଥାରେ ହାଇରାଣରେ ପଡ଼ିବା tendency ମୋର ନାହିଁ । ମତେ ଏତେଟା disturbance ଭଲ ଲାଗୁ ନାହିଁ । ଯଦି ଆପଣଙ୍କର ପରିଚୟ ଦେବାରେ କୌଣସି ଆପତ୍ତି ଅଛି, ତାହେଲେ ଆପଣ ଅନ୍ୟକେଉଁଠାକୁ ଯାଇ ପାରନ୍ତି । ‘‘I am sorry”ଏକ ନିଶ ନିଶ୍ୱାସରେ ରମେଶ ଏତକ କହି ଦେଇ ଚୁପ୍ ରହିଲା ।

 

ଅଳ୍ପ କବାଟ ଖୋଲନ୍ତୁ ନା, ... ... ...ମୁଁ ଭିତରକୁ ଆସେ । ତାପରେ ସବୁ କହିବି । ମୋର କୌଣସି ଆପତ୍ତି ନାହିଁ, ଦେଖନ୍ତୁ ବାହାରେ ଅନ୍ଧକାର । street ଲାଇଟ୍ ଅଫ୍ ହୋଇ ଯାଇଛି । ରାସ୍ତାଟି ଏକବାର ଶୂନ୍ ଶାନ୍, ମତେ ଭାରି ଡର ମାଡ଼ୁଛି । ତା ଛଡ଼ା ଆକାଶ ଘନ ଅନ୍ଧକାରାଚ୍ଛନ୍ନ, ବର୍ଷା ହେବାର ବହୁତ ସମ୍ଭାବନା । please....’’ ସ୍ଵରରେ କହିଲେ ଭଦ୍ର ମହିଳା ।

 

ଶୁଇଚ୍ ଅନ୍ କରି କବାଟ ଖୋଲି ଦେଲା ରମେଶ । ହାତରେ ଖଣ୍ଡିଏ ଏଟିଚି କେସ୍ ଓ ହେଣ୍ଡବେଗ୍ ଧରି ଯୁବତୀ ଜଣକ ଭିତରକୁ ପଶି ଆସିଲେ । ବୟସ ଏକୋଇଶ କିମ୍ଵା ବାଇଶ ହେବ-। ଦେହର ରଙ୍ଗ ସାବର୍ଣ୍ଣ । ସାଧାରଣ ସ୍ୱାସ୍ଥ୍ୟ । ପିନ୍ଧିଥାନ୍ତି ବାଇଗଣୀ ରଙ୍ଗର ଖଣ୍ଡିଏ ସମ୍ବଲପୁରୀ ଶାଢ଼ି ଓ ବ୍ଲାଉଜ,ବେଶଭୂଷାରେ ସେତଟା ଆଡ଼ମ୍ବର ନାହିଁ। ଭଦ୍ରଘରର ଝିଅ ଭଳି ଦେଖା ଯାଉଥାନ୍ତି-

 

ବାହାରୁ ଦମକାଏ ଥଣ୍ଡା ପବନ ଭିତରକୁ ପଶି ଆସିଲା । ରମେଶ କବାଟଟି ବନ୍ଦ କରିବାରେ ଭୁଲି ଯାଇଥାଏ । ସେ ତନ୍ନ ତନ୍ନ କରି ଦେଖି ଯାଉଥାଏ ଯୁବତୀଟିଙ୍କୁ । ତାଙ୍କୁ ସେ ଚିହ୍ନିବାକୁ ଚେଷ୍ଟା କରୁଥାଏ । ନାଁ କେଉଁଠି ତ ଆଗରୁ ଦେଖା ହୋଇନାହିଁ । ଯୁବତୀ ମଧ୍ୟ ଏକ ଦୃଷ୍ଟିରେ ରମେଶ ଚାହିଁ ରହିଥିଲେ । ରମେଶ କବାଟ ବନ୍ଦକରି ଦେଲା ।

 

ଯୁବତୀ ହେଣ୍ଡବେଗ୍‍ଟିକୁ ତଳେ ଥୋଇ ଦେଇ ମୁଣ୍ଡପୋତି ଠିଆ ହୋଇ ରହିଲେ । ବୋଧହୁଏ ସେ ଭାବୁଥାନ୍ତି, କିପରି କଥା ଆରମ୍ଭ କରିବେ ।

 

ତା ହେଲେ ଆପଣ.....ରମେଶ ଆଗେ ଆରମ୍ଭ କଲା । ହଠାତ୍ ଯୁବତୀଟିଙ୍କର ଚେତନା ଆସିଲା ଯେପରି । ସେ ରମେଶ କଥାରେ ବାଧାଦେଇ କହିଉଠିଲେ—ଆଗେ ଗ୍ଲାସେ ଥଣ୍ଡା ପାଣି ଦିଅନ୍ତୁ ତ, ମୋର ପାଟି ଶୁଖିଯାଉଛି ଶୋଷରେ । ସେ ଭଦ୍ରତା ଖାତିରିରେ କହିଲେ, “of course if you do’nt mind”

 

ପାଣି........, ରମେଶ ଗ୍ଳାସ ଖୋଜିବାରେ ଲାଗିଗଲା । କୋଠରୀର ଚାରିଆଡ଼େ ସେ ଦୃଷ୍ଟି ପକାଇଲା ଗ୍ଳାସଟି ସକାଶେ, ଗ୍ଳାସଟିର ଦେଖାନାହିଁ । ଖଟତଳେ ମଧ୍ୟ ସେ ଗ୍ଳାସଟି ପାଇଲା ନାହିଁ ଗ୍ଳାସଟି ଗଲା କୁଆଡ଼େ ?

 

ତାର ଏ ବ୍ୟସ୍ତତା ଦେଖି ଯୁବତୀଟି ହସି ଉଠିଲେ ।

 

ରମେଶ ଟିକିଏ ରାଗିଗଲା ଯୁବତୀର ଏ ଅଭଦ୍ରତାରେ । ସେ ଗ୍ଳାସ ଖୋଜିବା ଛାଡ଼ିଦେଇ କିଛି ସମୟ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଲା ଯୁବତୀଙ୍କୁ ।

 

ରମେଶର ଏ ଦୃଷ୍ଟିପାତରେ ତାଙ୍କ ମୁହଁ ମଉଳିଗଲା । ସେ ତଳକୁ ମୁଣ୍ଡ ପୋତିଲେ ।

 

ଆପଣ ତ ଆଶ୍ଚର୍ଯ୍ୟ ଲୋକ ଦେଖୁଛି । ମୁଁ ଆପଣଙ୍କୁ ପାଣି ଦେବାସକାଶେ ବ୍ୟସ୍ତ ହେଉଛି, ଅଥଚ ଆପଣ ଠିଆହୋଇ ହସୁଛନ୍ତି । ମୁଁ ଆଉ ପାଉନି । ଆପଣ ନିଜେ ଗ୍ଳାସ ଖୋଜି ଆଣି ପିଇନିଅନ୍ତୁ । ମୁଁ ଆଗରୁ କହିଥିଲି ଆପଣଙ୍କୁ ମୋର disturbance ହେବ ବୋଲି । ରମେଶର ମୁଖମଣ୍ଡଳରେ ବିରକ୍ତିର ଚିହ୍ନ ସୁସ୍ପଷ୍ଠ ।

 

ଦେଖନ୍ତୁ ଗ୍ଳାସ ଆପଣଙ୍କ ସାମାନାରେ ଅଛି । ଟିକିଏ ଦୟାକରି ପାଣି ଢାଳି ଦିଅନ୍ତୁ ନା...

 

ଆପଣ ସୁରେଇରୁ ପାଣି ଢାଳି ପିଇପାରିବେ । ମୁଁ ଆଉ ଉଠିପାରୁ ନାହିଁ ବସିବା ସ୍ଥାନରୁ-। ରମେଶ ଆରାମ ଚୌକିଟି ଉପରେ ବସି ଯାଇଥିଲା ।

 

ପୁନର୍ବାର ହସି ଉଠିଲେ ଅପରିଚିତା । ନିଜେ ସୂରେଇରୁ ପାଣି ଢାଳି ପିଇଗଲେ ଦୁଇ, ତିନିଗ୍ଳାସ ପାଣି ଏକ ନିଶ୍ଵାସରେ ତାପରେ ଚୌକିଟିରେ ବସି ପଡ଼ିଲେ ।

 

ରମେଶ ଘଡ଼ିକୁ ଚାହିଁଲେ । ରାତ୍ର ଗୋଟାଏ । ଅବିରାମ ଗତିରେ ଆଗେଇ ଚାଲିଛି ଘଣ୍ଟା କଣ୍ଟା ଓ ମିନଟ୍ କଣ୍ଟା ଟିକ୍ ଟିକ୍ ଶବ୍ଦରେ । ତା ଆଖିରେ ଆଉ ନିଦ ନାହିଁ । ସେ ଅପରିଚିତାଙ୍କ ବିଷୟରେ କିଛି ଜାଣିବା ପାଇଁ ଆଗ୍ରହୀ ହୋଇ ଉଠିଲା ।

 

ଆପଣ କେଉଁଠାରୁ ଆସିଲେ ?

 

ବ୍ରହ୍ମପୁରରୁ...

 

ଆପଣଙ୍କର ଘର କଣ ସେଠାରେ ?

 

ଆଜ୍ଞା...

 

ଏଠାରେ କେତେବେଳେ ପହଞ୍ଚିଲେ ?

 

ତିନିଘଣ୍ଟା ପୂର୍ବରୁ...

 

ତିନିଘଣ୍ଟା...ଆଶ୍ଚର୍ଯ୍ୟ ହୋଇଗଲା ରମେଶ । କଣ ଏତିନି ଘଣ୍ଟା ମଧ୍ୟରେ ଆପଣଙ୍କୁ ଆଉ କେଉଁଠାରେ ଆଶ୍ରୟ ମିଳିଲା ନାହିଁ ?

 

ନା, ନା, ତା ନୁହେଁ ଯେ... ମୁଁ ଯେତେବେଳେ ପ୍ଳାଟଫର୍ମରୁ ବାହାରକୁ ଆସିଲି ଗୋଟିଏ ଗୁଣ୍ଡା ପ୍ରକୃତିର ଲୋକ ମୋର ପିଛା ଧଇଲା । ମୁଁ ଏ ସହରକୁ ନୂଆଁ ଆସିଛି । କାହା ସହିତ ମୋର ପରିଚୟ ନାହିଁ । ମୁଁ ଯେତେବେଳେ ରିକ୍‍ସା ଷ୍ଟାଣ୍ଡରେ ପହଞ୍ଚିଲି, ସେ ମଧ୍ୟ ଆସି ମୋ ପାଖରେ ଠିଆ ହୋଇଗଲା । ମୋ ସକାଶେ ଆଗଭର ହୋଇ ରିକ୍‍ସା ଠିକ୍ କରିଦେଲା । ତାର ବ୍ୟବହାର ମତେ କିଛି ଭଲ ଲାଗୁ ନଥାଏ । ଅଥଚ ତାକୁ ମୁଁ କିଛି କହି ପାରୁ ନଥାଏ । ମୁଁ ସେ ରିକ୍‍ସା ଛାଡ଼ି ଅନ୍ୟ ରିକ୍‍ସାରେ ବସିଲି । ସେ ମୋର ରିକ୍‍ସା ପଛରେ ସାଇକଲ୍ ଛୁଟାଇଲା । ଠିକ୍ ଆପଣଙ୍କ ବସା ସାମନାରେ ରିକ୍‍ସା ହୋଇଛି street ଲାଇଟ୍ ଅଫ୍ ହୋଇଗଲା । ଆପଣଙ୍କ କୋଠରୀର ଆଲୁଅ ବାହାରେ ପଡ଼ୁଥାଏ । ଲୋକଟି ମୋ ପଛରେ ଆସ୍ତେ ଆସ୍ତେ ସାଇକେଲରେ ଆସୁଥାଏ । ମୁଁ ଏଠାରେ ରିକ୍‍ସା ଅଟକାଇଲି । ଜିନିଷ ତକ ଫୁଟପାଥରେ ରଖି ମୁଁ ଠିଆ ହୋଇଗଲି । ସେ ଆଉ କିଛି ନକହି ଚାଲିଗଲା । ମୁଁ ଦୁଇ ଘଣ୍ଟା ଧରି ଏ ଫୁଟପାଥ୍ ଉପରେ ବସିଛି । କହିବାକୁ ସାହସ ହେଉ ନଥିଲା । କିନ୍ତୁ ରାତ୍ରୀ ବଢ଼ିବା ସଙ୍ଗେ ସଙ୍ଗେ ଆପଣଙ୍କୁ ଡାକିବାକୁ ବାଧ୍ୟ ହେଲି କ୍ଷମା କରିବେ-

 

ରମେଶ ନିଜର ପୂର୍ବ ବ୍ୟବହାର ଯୋଗୁଁ ମନେ ମନେ ଲଜ୍ଜିତହେଲା । ଛି, ଛି, ଭଦ୍ରମହିଳା କଣ ଭାବିଥିବେ ତାର ବ୍ୟବହାର ଦେଖି । କିଛି ସମୟ ନିରବରେ କଟିଗଲା । ରମେଶ ଭାବୁଥାଏ କିପରି କଥା ଆରମ୍ଭ କରିବ ।

 

ହଠାତ୍ କହିଲା, I am sorry, please don’t mind.

 

ଯୁବତୀଟି କହିଲେ, ନା, ନା, ଏଥିରେ mind କରିବାର କଣ ଅଛି । ଏତେ ରାତ୍ରୀରେ ଏ କଷ୍ଟ ସହ୍ୟ କରିଥିବା ଯୋଗୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

 

ତା ହେଲେ ଆପଣ କିଛି ଖାଇବେ । ଅବଶ୍ୟ ମୋ ପାଖରେ କିଛି ନାହିଁ । ଯଦି କହିବେ ତା ହେଲେ ଷ୍ଟୋଭ ଲଗାଇ ଦୁଇ ଖଣ୍ଡି ରୋଟି କରିଦେବି ।

 

ଆପଣଙ୍କୁ କଷ୍ଟ କରିବାକୁ ପଡ଼ିବ ନାହିଁ । ମୁଁ ସାଥିରେ ଖାଦ୍ୟ ଆଣିଛି । କିଛି ସମୟ ପରେ ଖାଇନେବି । ଦେଢ଼ଟା ବାଜିଲାଣି । ଆପଣ ବର୍ତ୍ତମାନ ଶୋଇ ପଡ଼ନ୍ତୁ । କିନ୍ତୁ ଆପଣଙ୍କ ଶୋଇବା କଥା...

 

ରମେଶ କଥାରେ ବାଧା ଦେଇ ଯୁବତୀଟି କହି ଉଠିଲେ, “କୋଠରୀଟି ସାରା ଖାଲି ପଡ଼ିଛି କେଉଁଠି ଶୋଇ ପଡ଼ିବି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।”

 

ପ୍ରତିବାଦ କଲା ରମେଶ, ନା, ନା, ଆପଣ ବରଂ ଖଟରେ ଶୋଇ ପଡ଼ନ୍ତୁ, ମୁଁ ମସିଣା ପାରି ତଳେ ଶୋଇ ପଡ଼ୁଛି ।

 

ଯୁବତୀ ଜଣକ ମନା କରୁଥିଲେ । ରମେଶ ତାଙ୍କ କଥା ନଶୁଣି ତଳେ ମସିଣା ପାରି ଶୋଇ ପଡ଼ିଲା ।

 

ନିଦ ତ ଭାଜି ଯାଇଥାଏ ତାର । ସେ ଆଖି ଦୁଇଟି ବନ୍ଦ କରି ଭାବୁଥାଏ । ଏ ଯୁବତୀ କଥା । କିଏ ଏଇ ଅପରିଚିତା ? କାହିଁକି ଏଠାକୁ ଆସିଛନ୍ତି ? କଣ, ଘରେ କାହାକୁ ନକହି ଲୁଚି ଆସିଛନ୍ତି । ଅବଶ୍ୟ ଆଜି କାଲି ଏକଥା କିଛି ନୂଆଁ ନୁହେଁ । ଅସଂଖ୍ୟ ଯୁବତୀ ଆଧୁନିକ ଦୁନିଆର ଶସ୍ତା ପ୍ରେମରେ ପଡ଼ି ପତିତା ହୋଇ ଘର ଛାଡ଼ୁଛନ୍ତି । ଏ କଣ ସେମାନଙ୍କ ମଧ୍ୟରୁ ଜଣେ ? ନାଁ... ନାଁ ତା ହୋଇ ପାରେ ନା, ରମେଶ ମନରେ ଦ୍ୱନ୍ଦ । ଏ ଯେ ଭଦ୍ର-ମହିଳା ସାହାସ ତ କିଛି କମ୍ ନୁହେଁ । ଜଣେ ଅବିବାହିତ ଯୁବକ ସହିତ ରାତ୍ର ଜ୍ଞାପନ କରିବାର ସାହାସ ମଧ୍ୟ ଅଛି । ଦେଖିବାକୁ ତ ଖୁବ୍ ଭଦ୍ର ଓ ଶିକ୍ଷିତା ଜଣା ପଡ଼ୁଛନ୍ତି । ବେଶଭୂଷା ମଧ୍ୟ ମନ୍ଦ ନୁହେଁ । କିନ୍ତୁ ଆଜିକାଲି ପୋଷାକର ମୂଲ୍ୟ ସେତେଟା କମିଗଲାଣି, ପୋଷାକ ଦେଖି ଜଣକୁ ଚିହ୍ନିବା କଷ୍ଟ । କିଏ ଜାଣେ ଢୋଲ ଭିତର ଭଳି ଫମ୍ପା ମଧ୍ୟ ହୋଇ ପାରିଥାନ୍ତି । ରମେଶ ଜୀବନରେ ଏହା ଏକ ବିଚିତ୍ର ଅନୁଭୂତି । ସେ କେବେ ଜଣେ ଭଦ୍ରମହିଳା ସଂସ୍ପର୍ଶରେ ଏପରି ଏକ ଅପ୍ରତ୍ୟାଶିତ ଭାବେ ଆସିବ, ତାହା କଳ୍ପନା ମଧ୍ୟ କରି ନଥିଲା । ମୁଣ୍ଡରେ ତେଣୁ ଅସରନ୍ତି ଚିନ୍ତା । ଜୀବନରେ ଏଇ ସତାଇଶଟି ବର୍ଷ ଭିତରେ ତାର ଇଏ ଏକ ନୂଆଁ ଅନୁଭୂତି ।

 

ତାର ଚିନ୍ତା ଧାରାରେ ବାଧା ଦେଇ ପାଖ ହସପିଟାଲ ଘଡ଼ିଟିରୁ ଦୁଇଟା ବାଜିବାର ସୂଚନା ଦେଲା ।

 

ଭଦ୍ରମହିଳା ଖାଇସାରି ହାତ ଧୋଉଥିଲେ । ବର୍ତ୍ତମାନ ଆପଣ ଶୋଇ ଯାଆନ୍ତୁ... ସୁଇଚ୍ ସେହିପରି ଅନ୍ ଥାଉ,–ରମେଶ କହିଲା ।

 

ଯୁବତୀ ଖଟରେ ଶୋଇବାକୁ କୁଣ୍ଠା ବୋଧ କରୁଥିଲେ । ଦେଖନ୍ତୁ, ମୁଁ ଖଟରେ ଶୋଇବି ଆଉ ଆପଣ...ତାଙ୍କ କଥାରେ ବାଧା ଦେଇ ରମେଶ କହିଲା, ସେଥିରେ କଣ ଅଛି । ଆପଣ ମୋର ଅତିଥି । ଅତିଥିକୁ ସର୍ବଦା ଉଚ୍ଚଆସନ ଦେବା ଉଚିତ । ତେଣୁ ଆପଣ କିଛି ଚିନ୍ତା ନକରି ଶୋଇ ପଡ଼ନ୍ତୁ ।

 

ଲାଇଟ୍ ଅଫ୍ କାହିଁକି କରିବେ ନାହିଁ । ଆପଣଙ୍କୁ କାଳେ ଆଲୁଅରେ ନିଦ ହେବ ନାହିଁ ।

 

ନାଁ, ନାଁ, ନିଦ ହେବ । ମୋର ଆଲୁଅରେ ଶୋଇବାର ଅଭ୍ୟାସ ଅଛି । ଦିନେ ଦିନେ ତ ପଢ଼ୁ ପଢ଼ୁ ଶୋଇ ଯାଇଥାଏ । ତେଣୁ ଲାଇଟ୍ ଜଳୁଥାଉ ।

 

ଯୁବତୀଟି କିଛି ନକହି ଖଟ ଉପରେ ଶୋଇଗଲେ । ରାତ୍ରୀ ଅନେକ ହୋଇ ଯାଇଥାଏ-। ତାଙ୍କୁ ମଧ୍ୟ ଖୁବ୍ ନିଦ ମାଡ଼ୁଥାଏ ।

 

ସକାଳର କଅଁଳ ସୂର୍ଯ୍ୟ କିରଣ ଝରକା ଦେଇ ରମେଶ ଦେହରେ ପଡ଼ିବାରୁ ତାର ନିଦ ଭାଜିଗଲା । ସେ କର ବଦଳାଇ କିଛି ସମୟ ସେହିପରି ମସିଣାରେ ଶୋଇ ରହିଲା । ଯୁବତୀଟି ଆହୁରି ଉଠି ନଥାନ୍ତି । ରିଷ୍ଟ ଦେଖିଲା, ସାଢ଼େ ସାତ ବାଜିଛି । ନିଦ ଭାଜିଛି ତାର ଦୁଇଘଣ୍ଟା ଡେରିରେ । ପ୍ରତି ଦିନର ନିୟମରେ ଯଦି କିଛି ଗୋଟିଏ ବ୍ୟତିକ୍ରମ ଘଟେ ତାହାହେଲେ କିପରି ଏକ ଆଶ୍ଚର୍ଯ୍ୟ ଲାଗେ । ରମେଶ ମଧ୍ୟ କିଛି ସମୟ ପାଇଁ ସେପରି ଏକ ନୂତନତ୍ଵ ଅନୁଭବ କଲା । ତାର ଚଞ୍ଚଳ ଉଠିବାରେ ଅଭ୍ୟାସ । କିନ୍ତୁ ରାତ୍ରୀର ଅନିଦ୍ରା ଯୋଗୁଁ ତାର ନିଦ ଭାଜିଲା ଏତେ ଡେରିରେ ।

 

ଯୁବତୀଙ୍କୁ ଉଠାଇ ଦେବାକୁ ଭାବିଲା । କିନ୍ତୁ ଡାକିବ କିପରି, ତାଙ୍କ ନାମ ତ ସେ ଜାଣିନାହିଁ । ରାତିରେ ଏତେ କଥା ପଚାରିଲା କିନ୍ତୁ ତାଙ୍କ ନାମ ପଚାରି ନାହିଁ । ନିଜର ବେକାମୀ ଯୋଗୁଁ ସେ ବିରକ୍ତ ହେଲା । କିଛି ସମୟ ପାଇଁ କୌଣସି ଉପାୟ ଚିନ୍ତା କଲା । ଘଡ଼ିର କଣ୍ଟା ଦୁଇଟି ମିନଟ ମିନଟ କରି ଆଗେଇ ଚାଲିଥାଏ । ଶେଷରେ ଠିକ୍ କଲା କିଛି ସମୟ ପରେ ସେ ନିଜେ ଉଠିବେ । ଉଠାଇବାର ତାର ଠିକ୍ ହେବ ନାହିଁ । ସେ ବିଚାରୀଙ୍କ ମଧ୍ୟ ରାତ୍ରୀ ଅନିଦ୍ରା ।

 

ତଉଳିଆ ଓ ସାବୁନ୍ ନେଇ ବାଥ୍ ରୁମକୁ ଚାଲିଗଲା । କିଛି ସମୟ ପରେ ସେ ପ୍ରାତଃ କର୍ମ ସାରି ଫେରିଲା । ଦେଖିଲା ଯୁବତୀଟି ସେହିପରି ନିଘୋଡ଼ ନିଦରେ ଶୋଇଛନ୍ତି । ବାଇଗଣି ରଙ୍ଗର ଶାଢ଼ୀର ଓ ବ୍ଳାଉଜରେ ସେ ଦେଖା ଯାଉଥାନ୍ତି ଅତ୍ୟନ୍ତ ସୁନ୍ଦରୀ । ଠିଆ ହୋଇ କିଛି ସମୟ ପାଇଁ ସେ ଚାହିଁ ରହିଲା ତାଙ୍କୁ । କିଏ ଏ ଯୁବତୀ ? ରମେଶର ମୁଖ ମଣ୍ଡଳରେ ଗୋଟିଏ ମୃଦୁ ହସର ରେଖା ।

 

ତା ପରେ ସେ ଚାଲିଗଲା ଆଇନା ସାମନାକୁ । ମୁଣ୍ଡ କୁଣ୍ଡାଇବା ପରେ ସେ ଲାଗିଗଲା ଚାହା ତିଆରିରେ । ଷ୍ଟୋଭଟି ଲଗାଇ ତା ଉପରେ ବସାଇ ଦେଲା ସସ୍ ପେନ୍ଟି ଦୁଇ କପ୍ ଚାହା ସକାଶେ ପାଣି ଢାଳି ଦେଲା ସେଥିରେ ।

 

ବର୍ତ୍ତମାନ ଯୁବତୀଙ୍କୁ ଉଠାଇବା ଦରକାର । ନଚେତ୍ ଚାହା ଥଣ୍ଡା ହୋଇଯିବ । ବକସ ଉପରେ ହାତ ମାରି ସେ ତା’ଙ୍କୁ ଉଠାଇବାକୁ ଚେଷ୍ଟା କଲା । କିନ୍ତୁ ଯୁବତୀଙ୍କ ନିଦ ଭାଜିଲା ନାହିଁ । ସେ ସେହିପରି ଶୋଇ ରହିଲେ ।

 

“ମିସ୍ ଉଠନ୍ତୁ” —ରମେଶ ଡାକିଲା ।

 

ଉତ୍ତରରେ ଯୁବତୀ କର ବଦଳାଇଲେ । ଦେହର ଲୁଗା ଟିକିଏ ଅସଂଯତ ହୋଇଥିଲା । ବକ୍ଷର ଗୋଟିଏ ପାର୍ଶ୍ୱରେ ଲୁଗା ଟିକିଏ ଖସି ପଡ଼ିଥାଏ । ରମେଶ ଟିକିଏ ଗମ୍ଭୀର ହୋଇ ପଡ଼ିଲା ।

 

“ମିସ୍ ସାଢ଼େ ସାତ ବାଜିଲାଣି ।”

 

ରମେଶର ପାଟି ଶୁଣି ଯୁବତୀ ଉଠି ଅଳ୍ପ ଅପ୍ରସ୍ତୁତ ହୋଇ ବସି ପଡ଼ିଲେ । ମୁଖରେ ତାଙ୍କର ଲାଖି ରହିଥାଏ ଗୋଟିଏ ମିଠା ହସ । ଦେହର ଲୁଗା ସଜାଡ଼ୁ ସଜାଡ଼ୁ ସେ ପଚାରିଲେ, “କେତୋଟା ବାଜିଲାଣି ?”

 

ସାଢ଼େ ଆଠ ବାଜିଲାଣି । ଆପଣ ବର୍ତ୍ତମାନ....

 

ହଠାତ୍ ତା କଥାରେ ବାଧା ଦେଇ ଯୁବତୀ କହି ଉଠିଲେ ସାଢ଼େ ଆଠ... ମାନେ ଦେଢ଼ ଘଣ୍ଟା ଡେରି ।

 

ନା, ଅଢ଼େଇ ଘଣ୍ଟା ଡେରି । ମୁଁ ପ୍ରତିଦିନ ସକାଳୁ ଛ’ଟାରେ ଉଠେ ।

 

ଯୁବତୀଙ୍କ ମୁଖ ମଣ୍ଡଳରେ କ୍ଷୀଣ ହାସ୍ୟରେଖା ଫୁଟି ଉଠିଲା । ସେ କହିଲେ, “ଟିକିଏ ଆପଣଙ୍କର ଘଡ଼ିଟି ଦେଖାଇଲେ ।”

 

ଘଡ଼ି ଦେଖି ଆପଣ କଣ କରିବେ । ହସି ହସି କହିଲା ରମେଶ ଅଳ୍ପ ଦେଖେତ...... ।

 

ନା, ଦେଖାଇବି ନାହିଁ ।

 

ତା ହେଲେ ଠିକ୍ ଅଛି ।

 

କଣ ଠିକ୍ ଅଛି ?

 

ସେଇଆ ... ... ...

 

ତା ନ ହେଲେ ଆଉ କଣ ?

 

ଆଚ୍ଛା କୁହନ୍ତୁ ତ ଆପଣଙ୍କ ବାଥ୍ ରୁମ୍ କେଉଁଠି ?

 

ସେଇଠି....ହାତ ଦେଖାଇ ଇଙ୍ଗିତ କଲା ରମେଶ । ଯୁବତୀ ଖଟ ଉପରୁ ଉଠି ପଡ଼ିଲେ-। ଏଟଚିକେସ୍‍ରୁ ନିଜର ଲୁଗା ଓ ସାବୁନ୍ ବାହାର କଲେ । ରମେଶ ଦେଖିଲା ତାଙ୍କ ନିକଟରେ ଥିବା ଶାଢ଼ିଗୁଡ଼ିକ ସେତେଟା ଦାମିକା ନୁହେଁ ।

 

ଦୁଇ ଚାରୋଟି ବାଇଗଣି ଓ ଚକଲେଟ୍ କଲରର ଓ ଅନ୍ୟ ସବୁ ଧଳା । ପେଟିକୋଟ, ଶାଢ଼ି ଓ ସାବୁନ୍ ନେଇ ସେ ବାଥ୍ ରୁମ୍‍କୁ ଚାଲିଗଲେ ।

 

ରମେଶ ମୁଣ୍ଡରେ ଚିନ୍ତାର ଜୁଆର । କିଏ ହୋଇ ପାରିବେ ଏ ଯୁବତୀ । କଣ କରନ୍ତି ? କାହିଁକି ଆସିଛନ୍ତି ? ଲଜ୍ଜା, ସଂଙ୍କୋଚ କିଛି ନାହିଁ । ଅତି ପରିଚିତ ଭଳି ବ୍ୟବହାର କରୁଛନ୍ତି । ଜଣେ ସଂମ୍ପୂର୍ଣ୍ଣ ଅପରିଚିତ ଘରେ ଅତିଥି ହୋଇ ମଧ୍ୟ ନିଦ ଭାଜୁଛି ଦିନ ସାଢ଼େ ସାତରେ । ବୋଧହୁଏ କୌଣସି ଏକ ଅତ୍ୟାଧୁନିକ ପରିବାରର ଝିଅ । ନ ହେଲେ ଏ ବ୍ୟବହାର ଆସନ୍ତା କୁଆଡ଼ୁ । ଘଡ଼ିକରେ ପରକୁ ଆପଣା କରିବାର ଶକ୍ତି । ହଠାତ୍ ତାର ନିଜ ଛୋଟ ଭଉଣୀ ନମୀତା କଥା ମନେ ପଡ଼ିଗଲା । କେଡ଼େ ଚଞ୍ଚଳ ସେ । ମେସିନ ଭଳି ବସି ଗପୁଥିବ । ଥରେ ଗପ ଆରମ୍ଭ ହୋଇ ଗଲେ ଆଉ ତାର ଶେଷ ନାହିଁ । ଗୋଟିଏ ଶେଷ ହୋଇଗଲେ ନିଶ୍ଵାସ ନ ନେଉଣୁ ଅନ୍ୟଟିଏ ଆରମ୍ଭ କରିଦେବ । ନୂଆ ନୂଆ କଥା ସବୁ କହୁଥିବ । ନାରୀ ମହଲର ଯାହା ସବୁ ଘଟଣା ସବୁ ତା ମୁହଁରେ—ମୋହନର ମାଁଙ୍କ ଗତ ମାସରେ ଦୁଇଟି ଯାଆଁଳା ପୁଅ ଜନ୍ମ ହୋଇ ଗୋଟିଏ ସେଥିରୁ ମରିଗଲା—ମାଳିନୀର ବାହା ହେଲା ଗୋଟିଏ କିମ୍ଭୂତ କଦାକାର ଲୋକ ସହିତ—ଛାମୁଦାନ୍ତ ପଦାକୁ ବାହାରି ପଡ଼ିଥାଏ—ହାତଟି କେମ୍ପା—ପାନ ଖାଇ ଖାଇ ଦାନ୍ତଗୁଡ଼ିକ ଜାମୁକୋଳି ଭଳି କଳା—ତାର ସଙ୍ଗାତର ବାହା ଘର ହେବାକୁ ଯାଉଥିଲା ଗୋଟିଏ ମଦ୍ୟପି ସହିତ—ଜଣାଗଲା ଯେ ବାବୁ ବ୍ରାଣ୍ଡି ପିଅନ୍ତି ଔଷଧ ଭଳି—ତା ବାହାଘର ଏଥି ସକାଶେ ବନ୍ଦ ହୋଇଗଲା—ଇତ୍ୟାଦି ଇତ୍ୟାଦି ଅନେକ କଥା ।

 

ଆଉ ଇଏ...ଭଗବାନ ଜାଣନ୍ତି ଏହାଙ୍କ ନାମ କଣ ? ବହୁତ କିଛି ପଢ଼ିଲା ଭଳି ତା ଜଣା ଯାଉଛନ୍ତି । କିନ୍ତୁ କିଏ ଜାଣେ କଣ ପଢ଼ିଛନ୍ତି । ସେ ଆସିଲେ ସବୁ କଥା ପଚାରିବ ବୋଲି ଠିକ୍ କରି ସେ ବସି ରହିଲା । ଷ୍ଟୋଭ ଉପରେ ଚାହା ପାଣି ଫୁଟୁଥାଏ ।

 

ଚାହା ତିଆରି କରି ଦେଲା ରମେଶ । ତାପରେ ବାହାରିଲା ବଜାରରୁ ଆଉ କିଛି ଜଳଖିଆ ନେଇ ଆସିବାକୁ । ସେ ଦ୍ୱାର ପାଖରେ ପହଞ୍ଚିଛି ହଠାତ୍ ଯୁବତୀ ବାଥ୍‍ ରୁମ୍‍ରୁ ବାହାରି ଆସିଲେ । ମୁକୁଳିତ କେଶ ଫିଟିସାରି ବିଛାଇ ହୋଇ ପଡ଼ିଥାଏ । ସଦ୍ୟ ବାଥ୍ ରୁମରୁ ଫେରୁଥିବାରୁ ସେଥିରେ ଟୋପା ଟୋପା ପାଣି ପଡ଼ୁଥାଏ । ଚମତ୍କାର ଦେଖା ଯାଉଥାନ୍ତି, ସେ ଏଇ ପୂଜାରିଣୀ ବେଶରେ । ରମେଶ ପାଦ ଦୁଇଟି ଅଟକି ଗଲା ଦ୍ଵାର ପାଖରେ ।

 

ଫେରି ଚାହିଁଲା ।

 

ଏ ଓଦା ଲୁଗା କେଉଁଠି ଶୁଖାଇବି ?

 

କୋଠରୀର ଗୋଟିଏ କୋଣରେ ଟଙ୍ଗା ଯାଇଥବା ତାର ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କଲା ରମେଶ ।

 

ଯୁବତୀ ଓଦା ଲୁଗା ଶିଖାଇଲେ ସେଥିରେ ।

 

ବର୍ତ୍ତମାନ ଆସୁଛି...ରମେଶ ଚାଲିଗଲା ବାହାରକୁ ।

 

ଯୁବତୀ କେଶ ସଜାଡ଼ିବାରେ ଲାଗିଗଲେ । ଜଣାଯାଉଥାଏ ସେ ଯେପରି କୁଆଡ଼େ ଯିବାକୁ ନିଜକୁ ପ୍ରସ୍ତୁତ କରୁଥାନ୍ତି । ଆଇନା ସାମନାରେ ବସି ଏକ ଦୃଷ୍ଟିରେ ନିଜର ପ୍ରତିବିମ୍ବକୁ ଚାହିଁ ସେ କେଶ ସଜାଡ଼ୁଥିଲେ । ହଠାତ୍ ରମେଶ ଭିତରକୁ ପଶି ଆସିଲା । ନିଜର ପରିସ୍ଥିତି ଦେଖି ସେ ଟିକିଏ ଲଜ୍ଜିତ ହୋଇ ପଡ଼ିଲେ । ଆପଣ କୁଆଡ଼େ ଯାଇଥିଲେ ?

 

ଏଇ ଜଙ୍କସନ୍ ଯାଏ... ଆସନ୍ତୁ ଟିକିଏ ଚାହା ପିଇବେ । ହାତରେ ଗୋଟିଏ ବିସ୍କୁଟ ପକେଟ ଓ କିଛି ମିଠାଧରି ଠିଆ ହୋଇଥାଏ ରମେଶ ।

 

ଆପଣ ଖାଆନ୍ତୁ, ମୁଁ ପରେ ଖାଇବି ।

 

କାହିଁକି ସାଥିରେ ଖାଇଲେ କିଛି ଅସୁବିଧା ହେବ ?

 

ନାଁ ତ... ଅସୁବିଧା ହେବ ବୋଲି କିଏ କହିଲା ?

 

ତା ହେଲେ ଆସନ୍ତୁ ନା...

 

ଦୁଇଟି ପ୍ଲେଟରେ ବିସ୍କୁଟ ଓ ମିଠା ସଜାଇ ରମେଶ ଗୋଟିଏ ଯୁବତୀଙ୍କୁ ବଢ଼ାଇ ଦେଲା-

 

ଚାହା ପିଆଲାରେ ଚୁମ୍ବନ ଦେଉ ଦେଉ ରମେଶ ପଚାରିଲା ଆପଣ କୁଆଡ଼େ ବାହାରୁଛନ୍ତି ବୋଧହୁଏ...ହଁ, ମତେ ଟିକିଏ ସହରକୁ ଯିବାକୁ ପଡ଼ିବ ?

 

କେଉଁଠାକୁ... ?

 

ଏଇ ମହିଳା କଲେଜକୁ ।

 

ମହିଳା କଲେଜକୁ ! କାହିଁକି ?

 

ରମେଶ ଚକ୍ଷୁରେ କୌତୁହଳର ଚିହ୍ନ ସୁସ୍ପଷ୍ଠ ।

 

ସେଠାରେ ମୋର ନୂଆ appointment ହୋଇଛି । ରାଜନୀତି ବିଜ୍ଞାନରେ ଅଧ୍ୟାପିକା ।

 

ଓ ! ... ଆଶ୍ଚର୍ଯ୍ୟ ହୋଇଗଲା ରମେଶ । ଅଧ୍ୟାପିକା ତା ନ ହେଲେ ଏତେଟା advanced କିପରି ହୋଇ ପାରନ୍ତେ । ଦୁହେଁ କିଛି ସମୟ ପାଇଁ ଚାହା ପିଆରେ ମନ ଦେଲେ-

 

ଆପଣତ ଆପଣଙ୍କ ପରିଚୟ ଦେଲେ ନାହିଁ । ନିରବତା ଭଗ୍ନ କଲା ରମେଶ ।

 

ପରିଚୟ...ବର୍ତ୍ତମାନ ତ ମତେ ଏଠାରେ ରହିବାକୁ ପଡ଼ିବ । ପରିଚୟ ବଳେ ହୋଇଯିବ ନାହିଁ, ଯୁବତୀ ମୁହଁରେ ଦୃଷ୍ଟାମିର ହସ ।

 

ତା ହେଲେ ବର୍ତ୍ତମାନ ଆପଣ ଯାଉଛନ୍ତି ।

 

ହଁ...

 

କଣ ଜିନିଷ ପତ୍ର ନେଇ...

 

ନାଁ, ବର୍ତ୍ତମାନ ଜିନିଷତକ ଏଠାରେ ଛାଡ଼ି ଯାଉଛି । ବସା ଠିକ୍ କରି ଆସି ନେଇ ଯିବି । ଆପଣଙ୍କୁ ଆଉ କିଛି ସମୟ ଅସୁବିଧାରେ ପଡ଼ିବାକୁ ହେବ । Hope you don’t mind l

 

ନା, ନା, ସେଥିରେ କଣ ଅଛି । I am very glad to have you as my guest. ସେତେବେଳକୁ ଚାହା ପିଆ ଶେଷ ହୋଇ ଯାଇଥାଏ ।

 

ତା ହେଲେ ଯାଏ... ଯୁବତୀ କହିଲେ ।

 

ଆପଣଙ୍କ ନାମଟି ଅନ୍ତତଃ କହି ଯାଇଥାନ୍ତୁ...

 

ମୋ ନାଁ ଶାନ୍ତି...

 

ଅଳ୍ପ ଲଜ୍ଜିତ ସ୍ଵରରେ କହିଲେ ସେ ।

 

ମୋ ନାମ ରମେଶ...

 

ଶାନ୍ତର ବିନା ପ୍ରଶ୍ନରେ କହିଲା ରମେଶ ।

 

ମୁଁ ଜାଣେ ?

 

ଜାଣନ୍ତି... କିପରି ?

 

ସେମିତି...

 

କଣ ଜାଣନ୍ତି ?

 

ଏଇ ଆପଣଙ୍କ ନାମ ଶ୍ରୀମାନ ରମେଶଚନ୍ଦ୍ର ଦାସ, ରିସର୍ଚ୍ଚ ସ୍କଲାର ।

 

କେଉଁଠାରୁ ଜାଣିଲେ ? ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲା ରମେଶ ।

 

ଆପଣଙ୍କ Name Plate ରୁ । ତା ଛଡ଼ା ଆପଣଙ୍କ Name Plate ତ ମତେ ସାହସ ଦେଇଥିଲା ଅର୍ଦ୍ଧ ରାତ୍ରରେ ଆସି ଆପଣଙ୍କୁ disturb କରିବାକୁ ।

 

ଓ... ... ତା ହେଲେ ଆପଣ ତ ବଡ଼ ଚାଲାକ ଅଛନ୍ତି ।

 

ହସି ଉଠିଲା ଶାନ୍ତି । ସେ ବାହାରକୁ ଯିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିଲା ।

 

ଆପଣ କେବେ ପାସ୍‍ କଲେ ?

 

ଏଇ ଲାଷ୍ଟ chanceରେ । ଏଇଟା ବି ମୋର First appointment,

 

ଓ ହୋ, fresh from the University.

 

ଆଜ୍ଞା... ...

 

ନମସ୍କାର......ଶାନ୍ତି ବାହାରକୁ ଚାଲିଗଲା । ରମେଶ ବସି ପଡ଼ିଲା ଶାନ୍ତିର ଯିବା ରାସ୍ତାକୁ ଚାହିଁ । ସେ ମନେ ମନେ ମୁଗ୍ଧ ହୋଇ ଯାଇଥିଲା ଶାନ୍ତିର କଥାବାର୍ତ୍ତାରେ । ତାର ବ୍ୟବହାର ଓ ସରଳତା ରମେଶର ମୁଣ୍ଡରେ ସୃଷ୍ଟି କରିଥାଏ । ଗୋଟିଏ ପ୍ରଶ୍ନବାଚୀ, ମନୁଷ୍ୟ ଏଇ ସ୍ନେହ ଓ ମମତା ବଳରେହିଁ ପରକୁ ଅତିଶୀଘ୍ର ଆପଣାର କରିପାରେ । ଅପରିଚିତା ଶୀଘ୍ର ପରିଚିତରେ ପରିଣତ ହୁଏ । ବନ୍ଧୁତା ଦୃଢ଼ତର ହୁଏ ଏବଂ ତାହା ଦିନେ ଘନିଷ୍ଠତାରେ ପରିଣତ ହୁଏ-। କିନ୍ତୁ ସେଇ ଘନିଷ୍ଠତା ରହେ ନାହିଁ ସବୁଦିନ ପାଇଁ । ପରିବର୍ତ୍ତନଶୀଳ ମନୁଷ୍ୟର ମନ । ମନ ବଦଳେ ମନର ବଦଳିବା ସଙ୍ଗେ ସଙ୍ଗେ ସ୍ନେହ ମଧ୍ୟ ବଦଳେ । ଜଣେ ଅନ୍ୟଠାରୁ ଦୂରେଇ ଯାଏ । ନା, ନା, ସେ କଦାପି ଏ ସ୍ନେହକୁ ଦୃଢ଼ତର କରିବ ନାହିଁ । ତା ପୂର୍ବରୁ ବିଦା କରିଦେବ ଶାନ୍ତିକୁ ।

 

ହଠାତ୍ ତାର ଚିନ୍ତା ଧାରାରେ ବିଧା ପଡ଼ିଲା । ସେ ଶାନ୍ତିକୁ ପଚାରିବା ଭୁଲି ଯାଇଛି ଗୋଟିଏ କଥା । କେତେବେଳେ ସେ ଫେରିବ ତାର ଜିନିଷ ନେବାକୁ । ତା ଛଡ଼ା ସେ ତାକୁ ଖାଇବାକୁ ମଧ୍ୟ କହିନାହିଁ । ପ୍ରଥମ ଥର ପାଇଁ ସହରକୁ ଆସିଛି । ବିଚାରି ଅସୁବିଧାରେ ପଡ଼ିପାରେ-

 

ସାଇକେଲ ଧରି ବାହାରିଲା କଲେଜକୁ ।

 

ରମେଶ ଟିକିଏ ଜୋରରେ ସାଇକେଲ୍ ଛାଡ଼ି ଦେଇଥାଏ । ଶାନ୍ତି ସହିତ କଥା ହେଲା ପରେ ତାକୁ ଫେରି ଲାଇବ୍ରେରୀକୁ ଯିବାକୁ ପଡ଼ିବ । ତାଙ୍କର କେତୋଟି ଜରୁରୀ ବିଷୟ ଟିପି ନେବାର ଅଛି । ଯଦି ନିହାତି ବିଳମ୍ୱ ହୋଇଯାଏ ତା ହେଲେ ବହି ନ ମିଳିପାରେ । ରାସ୍ତାରେ ମୋଟର ଓ ରିକ୍‍ସାର ଭୀଷଣ ଭିଡ଼ । ତାର ସେଥିପ୍ରତି ଦୃଷ୍ଟି ନାହିଁ । କଟକ ସହର ସର୍ବଦା ପ୍ରଧାନ ରାସ୍ତାଟି ଭିଡ଼ । ରମେଶ ନିଶ୍ଚିନ୍ତରେ ସାଇକଲ୍ ଚଲାଉଥାଏ ।

 

“ଆରେ, ଶୁଣତ, ବାବୁ ଯେପରି ସ୍କୁଟ୍ର ଚଳାଉଛନ୍ତି” ପଛରୁ କିଏ ଜଣେ ଡାକି ଉଠିଲା ।

 

ରମେଶର ଗତି ଆସ୍ତେ ଆସ୍ତେ ଶିଥିଳ ହୋଇଯାଇ ଶେଷରେ ବନ୍ଦ ହୋଇଗଲା । ପଛରୁ ଶିଶିର ଆସି ତା ପାଖରେ ପହଞ୍ଚି ଗଲା । ଶିଶିର ରମେଶର ଅନ୍ତରଙ୍ଗ ବନ୍ଧୁ । ସେ ମଧ୍ୟ ଜଣେ ରିସର୍ଚ ସ୍କଲାର । “କ୍ଷମା କରିବେ....ହଜୁର୍ । କୁଆଡ଼େ ଚାଲିଥିଲେ ପଞ୍ଜାବ ମେଲ୍ ସ୍ପୀଡ୍ ରେ-ବାବୁ ଏଇଟା କଟକ ସହର । ତୁମର ମଧୁସୂଦନପୁର ଗାଁ ହୋଇ ନାହିଁ । ଆସ୍ତେ ସାଇକେଲ ଚଳାଅ । ନଚେତ୍ accident ରେ ହସପିଟାଲ୍ ଦେଖିବାକୁ ପଡ଼ିବ” ହସି ହସି କହିଲା ଶିଶିର ।

 

“କିବେ ମେଡ଼ିକେଲ୍‍କୁ କୁ ତୁ ଯା, ମୁଁ କାହିଁକି ଯିବି । ପଲ୍ଲୀରେ ଜନ୍ମ ହେଲେ ମଧ୍ୟ ଜୀବନଟା ସହରେ କଟାଇଛି । ସେତେଟା ଗାଁ ବାଲା ହୋଇନି ମୁଁ ।’

 

ବାଃ, ବାଃ... ବାବୁ କଣ ଆଜି ଟିକିଏ ଫୁର୍ତ୍ତି ଦେଖା ଯାଉଛନ୍ତି । କିବେ କଥା କଣ ? ସାହାରାରେ ଏ ମନ୍ଦାକିନୀର ଧାରା ଆସିଲା କୁଆଡ଼ୁ ।

 

ଚୁପ୍ କର ... .. ରମେଶ ମୁହଁରେ କୁତ୍ରିମ ରାଗ । ସେ ଯିବାକୁ ବାହାରିଲା ।

 

ବାସ୍... ଗୋଟିଏ ବାକ୍ୟରେ କଥା ଶେଷ କରି ଯିବାକୁ ବାହାରିଲୁଣି । ବନ୍ଧୁ ବର ! ଯାତ୍ରାଟି କୋଉଁଯାଏ ?

 

ହଁ, ହଁ, ମୋର ଟିକିଏ କାମ ଅଛି । ଯଦି କିଛି କହିବାର ଥାଏ ତାହେଲେ ଚଞ୍ଚଳ କହ ।

 

କହିବାର ତ ଅଛି ବହୁତ କିଛି । କିନ୍ତୁ ମୁଁ ଟିକିଏ ଶୁଣେ ବାବୁ ଆଜି କୋଉଁ କାମରେ ଏତେଟା ବ୍ୟସ୍ତ ।

 

Extremely Personal, ନିହାତି ବ୍ୟକ୍ତିଗତ କଥା, What ?? ଶିଶିର ଆଶ୍ଚର୍ଯ୍ୟ ହୋଇଗଲା ।

 

ହଁ ହଁ, ସବୁକଥା କୁହାଯାଏ ନାହିଁ ।

 

ତା ମଧ୍ୟ ନିଜର ଅନ୍ତରଙ୍ଗ ବନ୍ଧୁକୁ । ଯିଏ ଚାଟଶାଳୀରୁ ଆରମ୍ଭ କରି M.A. ଯାଏଁ ପଢ଼ି ଆସିଛି ।

 

କିବେ ତୁ ତ କଣ ଯୋକ ଭଳି ଲାଗିଲୁଣି । କାହା ମୁହଁ ଦେଖି ଉଠିଥିଲି କେଜାଣି ତୋ ସହିତ ଦେଖା ହୋଇଗଲା ।

 

ବାବୁଙ୍କର ଢଙ୍ଗ ତ ମତେ ଜମାରୁ ଭଲ ଲାଗୁନାହିଁ । ହଉ, ବଳେ ଜଣାଯିବ ଯେ, ଶିଶିରକୁ କଣ କୌଣସି କଥା ଅଜଣା ରହେ ।

 

ଆଛା ଯଦି ପାରୁ ବୁଝିନେ । ମୁଁ ପରେ ସବୁ କହିବି । ପରେ ତ ସବୁ କହିବୁ । ବର୍ତ୍ତମାନ ତୋ କଥାରେ ଏ element of suspense.କାହିଁକି ?

 

ଆଛା କବିବର ପ୍ରଣାମ । ମୋର ସମୟ କମ୍ ।

 

ରମେଶ ସାଇକେଲ୍ ରେ ବସିଲା । ଶିଶିର ଚାଲି ଚାଲି ଆସୁଥାଏ । ସେ ପଛରେ ରହିଗଲା ।

 

ରମେଶ ବୋଧ କଲା ଯେପରି ଶିଶିର ସହିତ କଥାବାର୍ତ୍ତାରେ ସେ ବହୁତ ସମୟ କଟାଇ ଦେଇନ୍ତି । ତାର ଦଶଟାରେ ଲାଇବ୍ରେରୀକୁ ଯିବାର ଅଛି । ‘ନ’ ଅଟା କେତେବେଳୁ ବାଜି ସାରିଲାଣି । ଦୁଇ ଚାରୋଟି ମୋଡ଼ ବୁଲିଲା ପରେ ସେ ପହଞ୍ଚି ଗଲା women’s collegeରେ । ସାଇକେଲ୍‍ଟି ଷ୍ଟାଣ୍ଡରେ ରଖି ଦେଖି ଚଞ୍ଚଳ ପଦକ୍ଷେପରେ ସେ ଆଗେଇଲା ପ୍ରିନସିପାଲ୍‍ଙ୍କ କୋଠରୀକୁ ।

 

ପ୍ରିନସିପାଲ୍‍ଙ୍କ ଅଫିସ ଦ୍ଵାର ପାଖରେ ଚପରାଶି ବସିଛି । ରମେଶ ତା ହାତରେ ଖଣ୍ଡିଏ Slip ଦେଇ ଅପେକ୍ଷା କଲା । ଚପରାଶି Slip ନେଇ ଭିତରକୁ ଚାଲିଗଲା ।

 

କିଛି ସମୟରେ ସେ ଆସି କହିଲା, “ଯାଆନ୍ତୁ ଭିତରକୁ” ପରଦା ଠେଲି ଭିତରକୁ ପଶିଗଲା ସେ । ସାମନା ଚୌକିରେ ବସିଥିଲେ ଜଣେ ଅର୍ଦ୍ଧ ବୟସ୍କ ମହିଳା । ଆଖିରେ ସୁନା ଫ୍ରେମର ଚଶମା । ହାତରେ ରିଷ୍ଟ । ବେଶଭୁଷା ସାଧାରଣ । କଲେଜର ପ୍ରିନ୍‍ସିପାଲ୍‍ ଆଶାଲତା ଦେବୀ ।

 

“ନମସ୍କାର”ରମେଶ କହିଲା ।

 

ଆଶାଲତା ଦେବୀ ପ୍ରତି ନମସ୍କାର ଜଣାଇ ଖାଲି ! ଚୌକିଟି ଉପରେ ବସିବାକୁ ଇଙ୍ଗିତ ଦେଲେ ।

 

ରମେଶ ଚୌକିଟିରେ ବସି ପଡ଼ିଲା ।

 

ଆଶାଲତା ଦେବୀ କଣ ଗୋଟିଏ ଫାଇଲରେ ବ୍ୟସ୍ତ ଥିଲେ । ସେ ନିଜ କାମରେ କିଛି ସମୟ ପାଇଁ ବ୍ୟସ୍ତ ରହିଲେ ।

 

ରମେଶ ଚୁପ୍‍ଟି କରି ବସି କୋଠରୀର ଚତୁର୍ଦ୍ଦିଗରେ ଦୃଷ୍ଟି ନିକ୍ଷେପ କଲା । କୋଠରୀର ଚାରିପାଖ କାନ୍ଥରେ ଟଙ୍ଗା ହୋଇଛି ବିରାଟ, ବିରାଟ, ତୈଳଚିତ୍ର । ମହାତ୍ମାଗାନ୍ଧୀଙ୍କ, ନେହୁରୁଙ୍କ, ରବିଠାକୁରଙ୍କ ଓ ରାଧାକ୍ରିଷ୍ଣନ୍‍ଙ୍କ । ମହାତ୍ମାଙ୍କ ଫୋଟ ତଳେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି, “ସତ୍ୟ ମେବ ଜୟତେ ।”

 

କିଛି ସମୟ ପରେ ଫାଇଲ ଉପରକୁ ମୁଣ୍ଡ ଉଠାଇ ଆଶାଲତା ଦେବୀ କୋମଳ ସ୍ୱରରେ ପଚାରିଲେ–କୁହନ୍ତୁ, କଣ ଦରକାର ଆପଣଙ୍କର ?

 

ଆଜ୍ଞା, ଆପଣଙ୍କ କଲେଜରେ ଯେଉଁ ନୂଆ ଅଧ୍ୟାପିକା ଆଜି join କରିଛନ୍ତି । ତାଙ୍କ ସହିତ ଦେଖା କରିବାରେ ଅଛି ।

 

ତୀକ୍ଷଣ ଦୃଷ୍ଟିରେ ଚାହିଁ ରହିଲେ ଆଶାଲତା ଦେବୀ । ତାଙ୍କ ଦୃଷ୍ଟି ସନ୍ଦେହ ପୂର୍ଣ୍ଣ । ସେ ଯେପରି ରମେଶକୁ ତନ୍ନ ତନ୍ନ କରି ପରୀକ୍ଷା କରୁଥିଲେ । କିଛି ସମୟ ଚିନ୍ତା କରି କହିଲେ, “ସେ ତ ବର୍ତ୍ତମାନ କ୍ଲାସରେ ଅଛନ୍ତି ....କିନ୍ତୁ ଆପଣ ତାଙ୍କର କଣ ହେବେ ।

 

ମାନେ....ରମେଶ ପରରିଲା ଆଶ୍ଚର୍ଯ୍ୟରେ । ତାର ମୁହଁ ଟିକିଏ ଗମ୍ଭୀର ହୋଇଗଲା ।

 

ମାନେ, ମୁଁ ଜାଣିବାକୁ ଚାହେଁ ଆପଣଙ୍କ ତାଙ୍କ ସହିତ କି ପ୍ରକାର ସମ୍ବନ୍ଧ ଅଛି ।

 

ରମେଶ ଟିକିଏ dilemmaରେ ପଡ଼ିଗଲା । କଣ କହିବ । ତାର ଯେ ଶାନ୍ତି ସହିତ ପରିଚୟ ଆଜିହିଁ ହୋଇଛି । ତା ବିଷୟରେ ବିଶେଷ କିଛି ଜାଣେ ନାହିଁ । କଣ ସମ୍ବନ୍ଧ କହିବି । ଭାବିଲା କହିଦେବ ପତି ବୋଲି ନା, ନା, ଭୁଲ ନୁହେଁ । ତା ପରେ ଭାବିଲା guardian କହିଦେବ । ତା ହେଲେ କଣ ସବୁ କଥା ସତ କହିବାକୁ ପଡ଼ିବ । କାଳେ ଶାନ୍ତିର କୌଣସି ଅନିଷ୍ଟ ହୋଇପାରେ ।

 

ରମେଶ ଯୌନତା ଆଶାଲତା ଦେବୀଙ୍କର ସନ୍ଦେହକୁ ଦୁଇଗୁଣ କରିଦେଲା । ରମେଶର ଚିନ୍ତାଧାରାରେ ବାଧା ଦେଇ ସେ ପଚାରିଲେ, “ଆପଣଙ୍କ ନାମ ?”

 

“ରମେଶଚନ୍ଦ୍ର ଦାସ....ମୁଁ ଅତି ଜରୁରୀ କାମରେ ଆସିଛି । ଶାନ୍ତିଦେବୀ ମୋତେ ଭଲ ରୂପେ ଜାଣନ୍ତି । ମୁଁ ତାଙ୍କ ଭାଇଙ୍କ friend” ଏକ ନିଶ୍ୱାସରେ କହିଗଲା ରମେଶ ।

 

ଆପଣ ତ ଏପରି ଭାବରେ ତାଙ୍କ ସହିତ ଦେଖା କରି ପାରିବେ ନାହିଁ । ମୁଁ ଖଣ୍ଡେ କାଗଜରେ ଆପଣଙ୍କ ନାମ ଲେଖି ପଠାଇବି । ଯଦି ସେ ଅନୁମତି ଦିଅନ୍ତି ତା ହେଲେ ଦେଖା ହେବ ।

 

‘ଠିକ୍ ଅଛି, ଆପଣ ଦୟାକରି ଲେଖି ପଠାନ୍ତୁ’ ରମେଶ କହିଲା ।

 

ଆଶାଲତା ଦେବୀ Calling-bell ର ବୋତାମ ଟିପିଲେ । ଚପରାଶି ଆସି ଠିଆ ହେଲା । ତା ହାତରେ Slip ଟି ଦେଉ ଦେଉ କହିଲେ, “ବାର ନମ୍ବର ରୁମ୍‍କୁ ନେଇ ଯା ।’’

କିଛି ସମୟ ପରେ ଚପରାଶି Slip ଟିଏ ଆଣି ପ୍ରିନ୍ସିପାଲ୍‍ଙ୍କ ହାତରେ ଦେଲା ।

ଆଶାଲତା ଦେବୀ ସେ ଖଣ୍ଡି ପଢ଼ି ରମେଶ ହାତକୁ ବଢ଼ାଇ ଦେଲେ । ରମେଶ ପଢ଼ିଲା ଲେଖାଅଛି—

ରମେଶ ବାବୁ,

ଦୟା କରି ଅଳ୍ପ ସମୟ ଅପେକ୍ଷା କରନ୍ତୁ । ପିରିଅଡ଼୍ ଶେଷ ହେଲେ ମୁଁ ଆସି ସାକ୍ଷାତ କରିବି ।

ରମେଶ ଘଡ଼ି ଦେଖିଲା ଦଶଟା ବାଜିଛି । ତାର ଲାଇବ୍ରେରୀକୁ ଯିବାର ଥିଲା । ନଗଲେ ବହୁତ କ୍ଷତି ହେବ । ତଥାପି ସେ ଯାଇ ପାରିଲା ନାହିଁ । ଚାଲି ଯିବାର ମଧ୍ୟ ଉଚିତ ହେବ ନାହିଁ । ଅନ୍ୟ ଉପାୟ ନ ଦେଖି ଶାନ୍ତିର ପ୍ରତୀକ୍ଷା କଲା । ଆଶାଲତା ଦେବୀ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିଲେ ।

ପ୍ରାୟ ପନ୍ଦର ମିନିଟ ପରେ ପିରିଅଡ୍ ଶେଷ ହେବାର ସୂଚନା ଦେଲା ଘଣ୍ଟି ଶବ୍ଦ । ଶାନ୍ତି ଆସି ପହଞ୍ଚିଲା ପ୍ରିନ୍‍ସିପାଲଙ୍କ ଅଫିସରେ । ରମେଶକୁ ଦେଖୁ ଦେଖୁ ସେ ପଚାରିଲା । କାହିଁକି କଷ୍ଟ କରି ଆସିଲେ...... ?

 

ରମେଶର ସବୁ କଷ୍ଟ ଯେପରି ଶାନ୍ତିକୁ ଦେଖୁ ଦେଖୁ କେଉଁ ଆଡ଼େ ଉଭେଇ ଗଲା । ସେ କହିଲା ବଡ଼ ଆଶ୍ଚର୍ଯ୍ୟ ଲୋକ ତ ଆପଣ, କେତେବେଳେ ଫେରିବେ କିଛି ନକହି ଚାଲି ଆସିଲେ ।

 

ଆସନ୍ତୁ କହିବି । staff common room କୁ ଯିବା ।

 

ଆଗେ ଆଗେ ଶାନ୍ତି ପଛେ ପଛେ ରମେଶ ପ୍ରିନ୍‍ସିପାଲଙ୍କ ଅଫିସରୁ ବାହାରି ଚାଲିଗଲେ ।

 

ଦେଖ, ଏଠାରେ ବସି ଗପିବାକୁ ମୋର ସମୟ ନାହିଁ । ରମେଶ କହିଲା—

 

କୁଆଡ଼େ ଯିବେ ଆପଣ ?

 

ସେଥିରେ ଆପଙ୍କର କଣ ଦରକାର ? କଥା ଛଳରେ ସେ ଶାନ୍ତିକୁ ‘ଆପଣ’ ସ୍ଥଳେ ତମେ କହି ଦେଇଥିଲା । ତେଣୁ ତାକୁ ଘୋଡ଼ାଇ ଦେବାକୁ ସଙ୍ଗେ ସଙ୍ଗେ କହିଲା ରମେଶ ।

 

ଆପଣ ତ ଭାରି Sensitive ଜଣା ପଡ଼ୁଛନ୍ତି । ଗମ୍ଭୀର ହୋଇ ଶାନ୍ତି କହିଲା । ତାର ହସ ହସ ମୁହଁଟି ମଉଳି ଗଲା ।

 

ଅବସ୍ଥାକୁ ସମ୍ଭାଳି ନେବା ପାଇଁ ରମେଶ କହିଲା ମୋର ଟିକିଏ ଚଞ୍ଚଳ ଯିବାର ଅଛି ।

 

କାହିଁକି ଏତେଟା ଚଞ୍ଚଳ ଟିକିଏ ଶୁଣେ ।

 

Libraryକୁ ଯିବାକୁ ପଡ଼ିବ । ଚାରିଟା ପୂର୍ବରୁ ମୁଁ ଫେରି ପାରିବି ନାହିଁ । ଏଇ ରହିଲା ଚାବି । ଆପଣ ବସାକୁ ଫେରିଯିବେ ।

 

ରିଙ୍ଗ୍ ରୁ ଚାବି ବାହାର କରି ସେ ଶାନ୍ତିକୁ ଦେଇ ଦେଲା ।

 

ଆଛା ମୁଁ ଯାଉଛି.....

 

କିଛି ସମୟ ପାଇଁ ଏକ ଦୃଷ୍ଟିରେ ଶାନ୍ତିକୁ ଚାହିଁ ରମେଶ ଗେଟ୍ ଆଡ଼େ ମୁହାଁଇଲେ ।

 

ଶାନ୍ତି ଫେରି ଯାଉଥିଲା common ରୁମ୍‍କୁ । ହଠାତ୍ ପଛରୁ ରମେଶ ଡାକିଲା, ଶୁଣନ୍ତୁ...

 

ଶାନ୍ତି ଦେଖିଲା ରମେଶ ଗେଟ୍ ନିକଟରୁ ଫେରି ଆସୁଛି ।

 

କଣ ... ... ?

 

ଆପଣ ଆଜି କେଉଁଠାରେ ଖାଇବେ ?

 

ଆଜି ଅନ୍ତତଃ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ପ୍ରିନ୍‍ସିପାଲ ତାଙ୍କ ଘରେ ଖାଇବା ପାଇଁ କହିଛନ୍ତି ।

 

ସତ କହୁଛନ୍ତି ନା, ଖାଲି ଫରମାଲିଟି ଦୃଷ୍ଟିରୁ......ରମେଶ ମୁହଁରେ ଦୁଷ୍ଟାମିର ହସ ।

 

ଆଉ କଣ ଆପଣଙ୍କୁ ମିଛ କହିବି ... ...

 

କିଏ ଜାଣେ ... ...

 

ହଉ ପରେ ଜାଣିବେ ଯେ ... ...

 

ଆଚ୍ଛା ମୁଁ ଚାଲିଲି ... ...

 

“... ... ... ... ...”

 

ରମେଶ ଚାଲିଗଲା ।

 

ଶାନ୍ତି ସେଠାରେ ଠିଆ ହୋଇ ରମେଶର ଯିବା ପଥକୁ ଚାହିଁ ରହିଲା । ସେ ରମେଶର ଅଯାଚିତ ଆତ୍ମିୟତାରେ ବାନ୍ଧି ହୋଇ ପଡ଼ିଲା । ଗୋଟିଏ ଦିନର ଦେଖା ସାକ୍ଷାତ, ଚିହ୍ନା ପରିଚୟ, କିନ୍ତୁ ତାର ମନେ ହେଉଥିଲା, ଯେପରିକି ସେ ରମେଶକୁ ଓ ରମେଶ ତାକୁ ବହୁତ ଦିନରୁ ଚିହ୍ନନ୍ତି । କଥାବାର୍ତ୍ତାରେ ଟିକିଏ ହେଲେ ସଂଙ୍କୋଚ ନାହିଁ । ଅତିଭଦ୍ର । ସରଳ ଓ ନିସ୍କପଟି । ଶାନ୍ତି ମୁହଁରେ ଫୁଟି ଉଠିଲା ଗୋଟିଏ ମଉଳା ହସ । ଆଖିତାର ଛଳ ଛଳ ହୋଇଗଲା । ସେ ଫେରି ଗଲା common ରୁମ୍‍କୁ ।

 

ରମେଶ ଯାଇ ପହଞ୍ଚିଲା ଲାଇବ୍ରେରୀରେ । ତାର ଡେରି ହୋଇ ଯାଇଥାଏ । ସିଧାଯାଇ ପହଞ୍ଚିଲା issue, କାଉଣ୍ଟରରେ, slip ଖଣ୍ଡେ ଲେଖି ବଢ଼ାଇ ଦେଲା ଲାଇବ୍ରେରୀଆନ୍‍ଙ୍କ ହାତକୁ-। ବହିଟିର ନାଁଟି ପଢ଼ୁ ପଢ଼ୁ ଲାଇବ୍ରେରୀଆନ୍ କହିଲେ, sorry, ରମେଶ ବାବୁ, ବହିଖଣ୍ଡି issue ହୋଇଯାଇଛି । ଏଇ ପନ୍ଦର ମିନଟ ତଳେ କିଏ ଜଣେ ନେଲେ । ରମେଶ ଆଶା କରିଥିଲା ସେହି ଉତ୍ତର ଲାଇବ୍ରେରୀଆନ୍‍ଙ୍କ ଠାରୁ । ବହିଟି ବଡ଼ important. ଠିକ୍‍ ସମୟରେ ନ ପହଞ୍ଚିଲେ ସେ ଖଣ୍ଡି ଆଦୌ ମିଳିବ ନାହିଁ । କିନ୍ତୁ ସେ ଜିଦ୍ କରି ଆସିଥାଏ । ସେ ଖଣ୍ଡିକ ଛଡ଼ା ଆଉ କୌଣସି ବହି ପଢ଼ିବ ନାହିଁ । ଅନ୍ୟ ଉପାୟ ନଦେଖି ଖଣ୍ଡିଏ ମେଗାଜିନ୍ ଧରି ବସି ପଡ଼ିଲା ।

 

ମେଗାଜିନ୍‍ଟିର ପୃଷ୍ଟା ଓଲଟାଇଲା । କାଶ୍ମୀର ପରିସ୍ଥିତି ସମ୍ଵନ୍ଧରେ ଗୋଟିଏ article ବାହାରିଥାଏ ସେକ୍ରେଟରୀ ଜେନେରାଲ ଉ ଥାଣ୍ଟ୍‍ଙ୍କର । ଭାରତ ଓ ପାକିସ୍ଥାନ ଗସ୍ତରୁ ଫେରିବା ପରେ ଉ ଥାଣ୍ଟ୍ ଦେଇଥାନ୍ତି ନିଜର ଅଭିମତ ବିଷାଦମୟ କାଶ୍ମୀର ପରିସ୍ଥିତି ଉପରେ । ପାକିସ୍ଥାନୀଙ୍କର ଅମାନୁଷିକ ଅତ୍ୟାଚାର, କଛ ଓ ଆମ୍ବାଲା କେଣ୍ଟରେ ବୋମାବୃଷ୍ଟି, ପାକିସ୍ଥାନୀ ଗୁପ୍ତଚରଙ୍କର ଦୁର୍ଦ୍ଦାନ୍ତ କାଣ୍ଡ । ଚମତ୍କାର ବିଶ୍ଳେଷଣ ତାଙ୍କର । ସେ କାଶ୍ମୀର ପରିସ୍ଥିତି ପାଇ ପୂର୍ଣ୍ଣ ମାତ୍ରାରେ ଦୋଷୀ କରିଥାନ୍ତି ପାକିସ୍ଥାନକୁ । ଭାରତର କୌଣସି ଭୁଲ ନାହିଁ । ୧୯୪୮ରୁ ଆରମ୍ଭ କରି ପାକିସ୍ଥାନ ଯେଉଁ ଉପଦ୍ରବ ସବୁ କରି ଆସିଛି, ସେ ସବୁ ସହ୍ୟ କରିବାର ଶକ୍ତି କେଉଁ ଦେଶର ନାହିଁ । ତେଣୁ ଭାରତ କଣ ଯେ କୌଣସି ଦେଶ ପାକିସ୍ଥାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ସ୍ଵାଭାବିକ । ଭାରତର ମୋଟେ ଭୁଲ ନାହିଁ । ରମେଶ ଏକ ମନରେ ପଢ଼ିଗଲା ଉ ଥାଣ୍ଟଙ୍କର ଭାବଧାରାର ବିଚିତ୍ର ବିଶ୍ଳେଷଣ । ଆରଟିକଲ୍ଟି ପଢ଼ି ସାରିବା ପରେ, ସେ ଆଉ କିଛି interesting ଜିନିଷ ପାଇଲା ନାହିଁ ସେଥିରୁ । ଏହା ଭିତରେ ଘଣ୍ଟାଏରୁ ଅଧିକା ସମୟ କଟିଗଲାଣି । ଘଡ଼ି ଦେଖିଲା ବାରଟା ବାଜିବାକୁ କିଛି ସମୟ ଡେରି ଅଛି। ବସାକୁ ଫେରି ଯିବାକୁ ଠିକ୍ କଲା । ଶାନ୍ତିର କଲେଜ ଛୁଟି ହେବ ଠିକ୍ ବାରଟାରେ । ବସାରେ ପହଞ୍ଚିଲା ବେଳକୁ ଠିକ୍ ସମୟ ହେବ ଭାବି ସେ ବାହାରି ପଡ଼ିଲା ।

 

କିନ୍ତୁ ଶାନ୍ତି ଯେ ଆଜି ପ୍ରିନ୍‍ସିପାଲଙ୍କ ଘରେ ଖାଇବାର କଥା ଅଛି, ସେ ଏକଥା ଏକ୍‍ବାର ଭୁଲି ଯାଇଥିଲା । ବସାରେ ପହଞ୍ଚି ଦେଖେ ତ ତାଲା ପଡ଼ିଛି । କିଛି ସମୟ ଅପେକ୍ଷା କଲା ପରେ ତାର ମନେ ପଡ଼ିଲା ସେ ଶାନ୍ତିର ଫେରୁ ଫେରୁ ଘଣ୍ଟାଏ ଖଣ୍ଡେ ଡେରି ହେବ ।

 

ତା ହେଲେ ଶିଶିର ଘର ଆଡ଼େ ବୁଲି ଆସିଲେ ତ ଭଲ ହୁଅନ୍ତା । କିଛି ସମୟ ତା ସହିତ କଟିଯିବ । ଏ ଭିତରେ ଶାନ୍ତି ନିଶ୍ଚୟ ଫେରି ଆସିଥିବ । ବାହାରି ପଡ଼ିଲା ଶିଶିର ଘର ଉଦ୍ଦେଶ୍ୟରେ ।

 

ଶିଶିର ଘରେ ନ ଥାଏ । ତା ମାଁ କହିଲେ ପନ୍ଦର ମିନଟରେ ଫେରି ଆସିବାକୁ କହି ସେ କୁଆଡ଼େ ଯାଇଛି । ଶିଶିର ଅପେକ୍ଷାରେ ତାର ଡ୍ରଇଁ ରୁମ୍ ରେ ବସି ରହିଲା ସେ । ପନ୍ଦର ମିନଟ ବଦଳରେ ପଇଁଚାଳିଶ ମିନିଟ କଟିଗଲା ବସି ବସି, ତଥାପି ଶିଶିରର ଦେଖା ନାହିଁ । ତାର ମାଁଙ୍କୁ କହି ବାହାରି ପଡ଼ିଲା । ରାସ୍ତାରେ ଦେଖା ହେଲା ଶିଶିର ।

 

ତାର ଅପେକ୍ଷା କରି କରି ଟିକିଏ ରାଗି ଯାଇଥିଲା ରମେଶ । ତେଣୁ ଦେଖୁ ଦେଖୁ ଗମ୍ଭୀର ହୋଇ କହିଲା–“ହଁ, କହନ୍ତୁ ଜନାବ୍.....

 

ଶିଶିର ମଧ୍ୟ ରମେଶକୁ ଅନୁକରଣ କରି ସମସ୍ୱରରେ କହି ଉଠିଲା, “ଆପଣ କହନ୍ତୁ......

 

କିବେ, ମାଁଙ୍କୁ କହି ଯାଇଥିଲୁ ପନ୍ଦର, କୋଡ଼ିଏ ମିନିଟରେ ଫେରି ଆସିବାକୁ ଫେରୁଛୁ ଘଣ୍ଟାଏ ପରେ । ଆପଣ ଘରେ କହିଯାଇଥିଲେ ସନ୍ଧ୍ୟା ଚାରିଟାରେ ଫେରିବାକୁ, ଫେରୁଛନ୍ତି ଦିନ ଗୋଟାଏରେ । ହସି ହସି କହିଲା ଶିଶିର ।

 

ମାନେ......ଆଶ୍ଚର୍ଯ୍ୟରେ ପଚାରିଲା ରମେଶ । ଆପଣ ନିଜେ କହନ୍ତୁ, ଆପଣଙ୍କ କହିବାର ମାନେ କଣ ହୋଇ ପାରେ । ଶିଶିର ମୁହଁରେ ଦୁଷ୍ଟାମିର ହସ ।

 

ମୁଁ ତମ ଘରକୁ ଯାଇଥିଲି । ଲାଇବ୍ରେରୀରେ ପହଞ୍ଚୁ ପହଞ୍ଚୁ ଟିକିଏ ଡେରି ହୋଇଗଲା । ବହି ପାଇଲି ନାହିଁ । ତେଣୁ ଯାଇଥିଲି ତୋ ସହିତ ଗପି ସମୟ କଟାଇବାକୁ, କିନ୍ତୁ......

 

ତା କଥାରେ ବାଧା ଦେଇ ଶିଶିର କହିଲା, ହଁ, ହଁ, ଡେରି କିଆଁ ନ ହେବ । ବାବୁ ଆଜି କାଲି ଭାରି ବ୍ୟସ୍ତ ନା......

 

ତୁ କଣ କହୁଛୁ......ରମେଶ ପଚାରିଲା ।

 

‘ମୁଁ ମଧ୍ୟ ତୋର ବସାକୁ ଯାଉଥିଲି, ହାସ୍ୟପୂର୍ଣ୍ଣ ଦୃଷ୍ଟିରେ କହିଲା ଶିଶିର—ତୁ କେଉଁ ଦିନଠାରୁ ଏପରି ମିଛ କହିବାର......

 

ଚୁପ୍......ପ୍ରତିବାଦ କଲା ରମେଶ । ଯାହା ପାଟିରେ ଆସିଲେ କହି ଯାଉଛି । ମୁଁ ନିଜେ ତାଙ୍କ ପରିଚୟ ପାଇନାହିଁ... ଆଉ ତୁ ଯାହା ପାରୁ ତାହା କହିବା ଆରମ୍ଭ କରି ଦେଲୁଣି ।

 

ଯାହା ପାରୁ ତାହା ତ ମୁଁ କହିନାହିଁ । ମୁଁ କଣ ସେପରି କିଛି କହିଛି । ଏଇ କହୁଥିଲି ବିରାଡ଼ି ଆଖି ବନ୍ଦ କରି ଖିର ପିଉଛି......

 

ଫେର ସେଇ କଥା......

 

କିଛି ଖରାପ ତ ନାହିଁ ... ...

 

ଶିଶିର...ତୁ, ତ ଭଲ ରୂପେ ଜାଣୁ ମୋର ନେଚର୍ ଟିକିଏ ଗମ୍ଭୀର ହୋଇ କହିଲା ରମେଶ ।

 

ସେଣ୍ଟ୍‍ପରସେଣ୍ଟ...ତାହାତ ଆପଣଙ୍କ ବ୍ୟକ୍ତିତ୍ଵର ଏକ ମହତ୍ୱପୂର୍ଣ୍ଣ ଗୁଣ ।

 

ଆଛା, ଛାଡ଼ ସେ କଥା... କୁଆଡ଼େ ଯାଉଛୁ ? ରମେଶ ପଚାରିଲା ।

 

କଣ ଆପଣ ବସାକୁ ଯିବେ ନାହିଁକି ? ମୁଁ ବର୍ତ୍ତମାନ ସେଠାକୁ ଯାଇଥିଲି । ଦେଖିଲି ତୋର କୋଠରୀ ଖୋଲା ଅଛି । ତୁ ଅଛୁ ଭାବି ଭିତରକୁ ପଶିଗଲି । କିନ୍ତୁ ସଙ୍ଗେ ସଙ୍ଗେ ମତେ ବାହାରି ଆସିବାକୁ ପଡ଼ିଲା । ସେ ଖଟ ଉପରେ ଶୋଇଥିଲେ । ମୁଁ ବାହାରୁ ପଚାରିଲି, ଭିତରକୁ ଆସି ପାରେ କି ? ସେ କହିଲେ, “ଖୁସିରେ” । ତାଙ୍କଠାରୁ ଶୁଣିଲି ଯେ ଆପଣ ଚାରିଟାରେ ଫେରିବାକୁ କହି ଲାଇବ୍ରେରୀକୁ ଯାଇଛନ୍ତି ।

 

ହଁ, ହଁ, ମୁଁ ତ ତାଙ୍କୁ ସେଇଆ କହିଯାଇଥିଲି । ତେଣୁ ବାକି ସମୟ ତକ ଆଉ କେଉଠି କଟାଇ ଦେବାକୁ ଚାହେଁ ।

 

କିବେ, ସେ, ଟା କିପରି ତୋ ବସାରେ ?

 

ଦେଖ, ଶିଶିର ଟିକିଏ ଭଦ୍ର ଭାବରେ କଥାବାର୍ତ୍ତା କର ।

 

ଆଛା, ଆଛା, ଭଦ୍ର ଭାବରେ କହୁଛି—ଶ୍ରୀମତୀଙ୍କ ପଦରଜ ଆପଣଙ୍କ ବସାରେ କିପରି ପଡ଼ିଲା ?

 

ଗତକାଲି ରାତ୍ରୀ ବାରଟାରେ......

 

ରାତ୍ରୀ ବାରଟାରେ...ଶିଶିର ପଚାରିଲା ।

 

ହଁ, ମୁଁ ଶୋଇବାକୁ ଯାଉଥିଲି । କିଏ ଜଣେ କବାଟରେ ଆଘାତ କଲା । ମୋର ଖୋଲିବାର ମୋଟେ ଇଚ୍ଛା ନ ଥାଏ । କିନ୍ତୁ ତାଙ୍କ କଥାବାର୍ତ୍ତାରେ ଖୋଲିବାକୁ ବାଧ୍ୟ ହେଲି । ସେ କଥାବାର୍ତ୍ତାରେ ଘଡ଼ିକେ ପରକୁ ଆପଣାର କରି ପାରନ୍ତି–

 

ତାଙ୍କ ପ୍ରଭାବ ତୋ ଉପରେ ମଧ୍ୟ ଦେଖୁଛି ଯେ...ରମେଶ କହି ଆସୁଥିଲା ।

 

ତା କଥାରେ ବାଧା ଦେଇ ଶିଶିର କହିଲା, “ମୋ ଉପରେ ତାଙ୍କ ପ୍ରଭାବ ପଡ଼ିଛି ଓ ତୁ ତାଙ୍କ ମାୟାରେ ବଶ ହୋଇ ସାରିଲୁଣି ।

 

ନାଁ...ନାଁ ତୁ ସେପରି କହି ପାରିବୁ ନାହିଁ । ପ୍ରତିବାଦ କଲା ରମେଶ—

 

ଆଚ୍ଛା, ଭକ୍ତବର ତୁମେ କଣ ତାଙ୍କ ବିଷୟରେ ମୋଟେ ଏତିକି ଜାଣିଛ ?

 

ରାଣ, ଅଛି । ଆଉ ଅଧିକା କିଛି ଜାଣେନା ।

 

ହଉ ବର୍ତ୍ତମାନ ରାଣ ନିୟମ କାହିଁକି, ସମୟ ଆସୁ ବଳେ ଜଣା ପଡ଼ିବ ଯେ-ତୁ କଣ ମତେ କହିଥିଲୁ, ତାଙ୍କ କଥା ସେପରି ଜଣା ପଡ଼ିବ ।

 

ତୁ, ତ ଆଜି ସିଧାସାଧା କଥାବାର୍ତ୍ତା କଲାଭଳି ମୋଟେ ଜଣା ପଡ଼ୁନି ।

 

ଆପଣ ମଧ୍ୟ...ହସି ହସି କହିଲା ଶିଶିର ।

 

ଦୁହେଁ କଥା ହୋଇ ଚାଲୁଥାନ୍ତି ।

 

ହଁ, କୁଆଡ଼େ ଯିବାକୁ କହୁଥିଲୁ ?

 

ଚାଲ କୁଆଡ଼େ ଯିବା...ମେଟିନି ଯିବା ? ରମେଶ ପଚାରିଲା ।

 

ମେଟିନି...ମୋର କୌଣସି ଆପତ୍ତି ନାହିଁ...କିନ୍ତୁ...କିନ୍ତୁ...କଣ ?

 

ଆଜି ବାପା କଲିକତା ଯାଉଛନ୍ତି । ତାଙ୍କ ସହିତ ଟିକିଏ ଷ୍ଟେସନ ଯିବାକୁ ପଡ଼ିବ ।

 

ଆଚ୍ଛା, ତା ହେଲେ ତୁ ଘରକୁ ଯା । ମୁଁ ମଧ୍ୟ ବସାକୁ ଫେରୁଛି । ବାପା ଆସି ପହଞ୍ଚିଲେ ସମସ୍ୟା ଜଟିଳ ହୋଇ ପଡ଼ିବ । ତା ପୂର୍ବରୁ ତାଙ୍କୁ ଆଉ କେଉଁଠିକି ବିଦା କରିଦେବି ।

 

ଏତେଟା ନିଷ୍ଠୁର...ହାୟ । ହସି ଉଠିଲା ଶିଶିର ।

 

ରମେଶ ପୁନର୍ବାର ରାଗିଗଲା । ତା’ର ମୁହଁ ଗମ୍ଭୀର ହୋଇଗଲା ।

 

ହଉ ଭାଇ କ୍ଷମା କର...ସାଇକେଲ ଚଢ଼ୁ ଚଢ଼ୁ କହିଲା ଶିଶିର—

 

ରମେଶ ମଧ୍ୟ ସାଇକେଲରେ ବସିଲା । ଦୁହେଁ ଦୁହିଁଙ୍କ ବିପରୀତ ଦିଗରେ ଚାଲିଲେ ।

 

ଯାଉ ଯାଉ ରମେଶ ଠିକ୍ କରି ନେଲା ଯେ, ସେ ଶାନ୍ତିକୁ ଆଉ କେଉଁଠି ରହିବାକୁ କହିଦେବ । ଯଦି ବାପା ପହଞ୍ଚିଯାନ୍ତି ବଡ଼ ମୁସ୍କିଲ । ଅଯଥା କିଏ ହଇରାଣରେ ପଡ଼ିବ । ତାଙ୍କର କେବଳ ଗୋଟାଏ ଜିଦ୍ । ଯାହା ବୁଝିଥିବେ ସେଇଆ, ଯେତେ ବୁଝାଇଲେ ବୁଝିବେ ନାହିଁ । ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ ।

 

ଘର ନିକଟ ହୋଇଗଲା । ତାର ଚିନ୍ତା ଧାରା ମଧ୍ୟ ଅଟକିଗଲା । ଯାହା ସେ ଭାବି ଭାବି ଆସୁଥିଲା ତାହା ଆସ୍ତେ ଆସ୍ତେ ତା ମୁଣ୍ଡରୁ ଉଭେଇ ଯିବାରେ ଲାଗିଲା ।

 

କବାଟଟି ଅଧା ଖୋଲାଥାଏ । କୋଠରୀର ସବୁକିଛି ବାହାରକୁ ଦେଖାଯାଉଥିଲା । ତଥାପି ଶିକୃତା ରକ୍ଷା କରିବାକୁ ରମେଶ ପଚାରିଲା-May I come in please ?

 

“Sure” ହସି ହସି ଶାନ୍ତି ଉତ୍ତର ଦେଲା ।

 

ରମେଶ କୋଠରୀ ଭିତରେ ପଶିଗଲା ।

 

ଆପଣ ତ କଣ ଘରେ ମଧ୍ୟ ଅଫିସ ଭଳି ବ୍ୟବହାର କରୁଛନ୍ତି । ନିଜ ଘର ଭିତରକୁ ଯିବା ପାଇଁ ଅନୁମତିର କଣ ଦରକାର ?

 

ମୁଁ ଭାବିଥିଲି ଆପଣ ବୋଧେ ଶୋଇଥିବେ । ତେଣୁ ଟିକିଏ ସୂଚନା ଦେଇ ଆସିବା ଭଲ ଭାବି ପଚାରି ଦେଲି ।

 

କାହିଁକି... ସେପରି କଣ ଆସିପାରୁ ନଥିଲେ । ଆସିଥିଲେ ବା କଣ ହୋଇ ଯାଇଥାନ୍ତା ।

 

ଏହାର କଣ ଉତ୍ତର ଦେବ ରମେଶ ଖୋଜି ପାଇଲା ନାହିଁ । ସେ ଚୁପ୍ ରହିଗଲା ।

 

ହଁ ଆପଣ କେତେବେଳୁ ଫେରିଲେଣି ? ଶାନ୍ତି ପଚାରିଲା ।

 

ଘଣ୍ଟାଏ ହେଲା ଫେରିଲି... କାହିଁକି ? କଥା କଣ ?

 

ନା ଏମିତି ପଚାରୁଥିଲି...

 

ମୁଁ ତ ସେଇ କଥା ଆପଣଙ୍କୁ ପଚାରିବି ବୋଲି ଭାବୁଥିଲି ।

 

ଆପଣଙ୍କୁ ଗୋଟିଏ କଥା କହିବି ! କିଛି ଭାବିବେ ନାହିଁ ।

 

କଣ... ?

 

ଦେଖନ୍ତୁ, ଆପଣ ମୋଠାରୁ ବୟସରେ ଯଥେଷ୍ଟ ବଡ଼ । ତେଣୁ ମତେ, “ଆପଣ” ନକହି ‘ତମେ’ କହିଲେ କିମ୍ଵା ନାମ ଧରି ଡାକିଲେ ଅତ୍ୟନ୍ତ ଖୁସି ହେବି । ମତେ ଏ ସମ୍ବୋଧନ ଭଲ ଲାଗୁନାହିଁ । Please don’t mind.

 

ରମେଶ କହିଲା, ହଉ ତମ କଥାହିଁ ହେବ ।

 

କିଛି ସମୟ ଦୁହେଁ ନିରବରେ ବସି ରହିଲେ ।

 

ରମେଶ ନିରବତା ଭଗ୍ନ କଲା । ଶାନ୍ତି...

 

ଉଁ...

 

ତୁମେ ତ ତୁମର ପରିଚୟ ଦେଲ ନାହିଁ ।

 

ପରିଚୟ......, ତାହା ତ ମୁଁ ଦେଇ ଦେଇଛି । କିନ୍ତୁ ଆପଣ ଯେଉଁ ପରିଚୟ ଚାହାନ୍ତି ତାହା ପରିଚୟଠାରୁ ଟିକିଏ ଅଧିକା । ଆପଣଙ୍କ ପରିଚୟ ମାନେ ମୋ ଜୀବନ କାହାଣୀ । କିନ୍ତୁ ତାକୁ ମୁଁ ଆପଣଙ୍କ ଆଗରେ କହି ଆପଣଙ୍କ ମନରେ ଦୁଃଖ ଦେବାକୁ ଚାହୁଁ ନାହିଁ ।

 

ଶାନ୍ତି ଅଳ୍ପ ଭାବାଦେଶ ହୋଇ ପଡ଼ିଥିଲା—ରମେଶ ବାବୁ, ଜୀବନରେ ମୁଁ ବହୁତ କିଛି ଓଲଟ ପାଲଟ ଦେଖିଛି...ମନେ ହୁଏ, ମୋଠାରୁ ବୟସ୍କମାନେ ତା ଠାରୁ କିଛି କମ୍ ଦେଖିଥିବେ । ସମାଜର ତୀବ୍ର ଗରଳ ମୁଁ ପାନ କରିଛି । ଧଳାକୁ କଳା, ଭଲକୁ ମନ୍ଦରେ ପରିଣତ କରିବାର ବିଚିତ୍ର ଖେଳ ମୁଁ ଦେଖିଛି । ସେଇ ଓଲଟ ପାଲଟର, ସେହି ଘାତ ପ୍ରତିଘାତରେ ତାଲିକାହିଁ ମୋ ଜୀବନର ଇତିହାସ । ମୋର ଅନୁଭୂତିଗୁଡ଼ିକୁ କ୍ରମାନ୍ଵୟରେ ସଜାଇ ଦେଲେ ତାହା ଗୋଟିଏ କାହାଣୀ ଭଳି ଅଦ୍ଭୁତ ଶୁଣାଯିବ । ସେଗୁଡ଼ିକ ଆପଣଙ୍କ ଆଗରେ କହି ଗୋଟିଏ ଅଶାନ୍ତି ବାତାବରଣ ସୃଷ୍ଟି କରିବାକୁ ମୁଁ ଚାହେଁ ନାହିଁ । ଶେଷ କେଇ ପଦ ଅତି କରୁଣ । ତାର କଣ୍ଠ ବାଷ୍ପାରୁଦ୍ଧ ।

 

ରମେଶ ଏସବୁ କିଛି ବୁଝିପାରୁ ନଥିଲା । ସେ ଆଶ୍ଚର୍ଯ୍ୟ ହୋଇ ଶାନ୍ତିକୁ ଚାହିଁଥାଏ । ହଠାତ୍ ଶାନ୍ତି ଆଖିରୁ ଦୁଇଧାର ଲୁହ ଗଡ଼ି ଯିବାରୁ ତାର ଚେତନା ଆସିଲା ।

 

ଆରେ...ଏକଣ...ତୁମେ କାନ୍ଦୁଛ ?

 

ରମେଶର କଥାରେ ଶାନ୍ତି କଇଁ କଇଁ ହୋଇ ଛୁଆଙ୍କ ଭଳି କାନ୍ଦି ଉଠିଲା ।

 

ଛି, ଶାନ୍ତି, ଛୁଆ ଭଳି କଣ ହେଉଛ । ଯଦି ତୁମେ ତୁମର ପରିଚୟ ଦେବାକୁ ଚାହଁ ନାହିଁ, ମୁଁ କେବେ ପଚାରିବି ନାହିଁ । ତୁମେ ତୁନି ହୁଅ ।

 

“... ... ... ... ...”

 

କଣ ତୁମେ ଏପରି କାନ୍ଦୁଥିବ । ମୋ କଥା ଶୁଣିବ ନାହିଁ । ଓଜନିଆ ଗଳାରେ କହିଲା ରମେଶ ।

 

ଶାନ୍ତି ପଣତରେ ଆଖି ପୋଛୁ ପୋଛୁ କହିଲା, ‘ଥାଉ ସେ କାହାଣୀ...ଆଉ କେବେ କହିବି...ଯେତେବେଳେ ଜୀବନରେ ଝଡ଼ ହେବାର ଆଶଙ୍କା ନଥିବ, କି ହେଲେ ମଧ୍ୟ ସେଗୁଡ଼ିକୁ ସହି ଯିବାର ଧୌର୍ଯ୍ୟ ହୋଇ ଯାଇଥିବ । କିନ୍ତୁ ଏତିକି କହିପାରେ କି, ମୋର କେବଳ ମାଁ ଅଛି...ଆଉ...ଆଉ...ବନ୍ଦ ହୋଇଗଲା ଶାନ୍ତିର କଣ୍ଠ ।

 

ମନୁଷ୍ୟ ଯଦି ଜାଣି ଶୁଣି ଗୋଟିଏ ଜିନିଷକୁ ଭୁଲି ଯିବାକୁ ଚେଷ୍ଟା କରେ ତା ହେଲେ ସେ କଥାଟି ତାର ବହୁତ ମନେ ପଡ଼େ । ତେଣୁ ଭୁଲିଯିବାକୁ ଚେଷ୍ଟା କରିବାହିଁ ଗୋଟିଏ ମସ୍ତବଡ଼ ଭୁଲ୍‍ । ରମେଶ ଚେଷ୍ଟା କରୁଥାଏ ଶାନ୍ତିର ବିଗତ ଜୀବନ ବିଷୟରେ ଭୁଲି ଯିବାକୁ । ଏହା ମଧ୍ୟରେ କେତୋଟି ଦିନ କଟି ଯାଇଥିଲେ ମଧ୍ୟ ସେ ଭୁଲି ପାରୁନଥାଏ ଶାନ୍ତିର କାନ୍ଦ କାନ୍ଦ ମୁହଁ ! ତାର ସେଇ ଅଶ୍ରୁ ସେ ଠିକ୍ କଲା ଯେ କେବେ ଆଉ ଶାନ୍ତିର ଆତ୍ମକାହାଣୀ ପଚାରିବାର ଭୁଲ୍‍ କରିବ ନାହିଁ । ତା ଛଡ଼ା ଶାନ୍ତିର ବିଗତ ଜୀବନ କାହାଣୀ ତାର କି ଆବଶ୍ୟକ...ଶାନ୍ତି ଆସିଛି ତା—ଜୀବନକୁ ଅତି ଆକସ୍ମିକ ଭାବେ । ସେପରି ସେ ଚାଲିଯିବ ତା ବସାରୁ ଆଉ କେତେ ଦିନ ଗଲେ । ଯେତେ ଦିନ ସେ ତାର ବସାରେ ଥିବ ସେତୋଟି ଦିନ କେବଳ ଏ ସମ୍ପର୍କ...ଚାଲିଗଲେ ତ ଆଉ କିଛି ସମ୍ପର୍କ ରହିବ ନାହିଁ । ଆଜି ତ ସେ କହୁଥିଲା, ପ୍ରିନସିପାଲ୍‍ଙ୍କୁ ତାର ଅସୁବିଧା କଥା କହିବାରୁ ସେ ତାଙ୍କ ଘରେ ଗୋଟିଏ କୋଠରୀ ଦେବାକୁ ରାଜି ଅଛନ୍ତି-ଶୋଇ ଶୋଇ ଭାବୁଥାଏ ରମେଶ ।

 

ଆଜି ଶାନ୍ତି ଟିକିଏ ଅଧିକା ନିସଂକୋଚ ହୋଇ ଯାଇଥାଏ । ସେ ଜିଦ୍ କରି ତଳେ ମସିଣାରେ ଶୋଇ ପଡ଼ିଥିଲା । ରାତ୍ରରେ ଦୁହେଁ ହୋଟେଲ୍‍ରୁ ଖାଇ ଦେଇଥିଲେ । ରମେଶ ଆଖିରେ ନିଦ ନାହିଁ । ସେ ଶୋଇ ରହି ଭାବୁଥାଏ—କଣ ଘରେ ଖାଦ୍ୟ ତୟାର ହୋଇ ପାରିବ ନାହିଁ । ଶାନ୍ତିର ବୋଧହୁଏ ଅସୁବିଧା ହେବ ତେବେ ହୋଟେଲର ଖର୍ଚ୍ଚ ତ ସେ ଶାନ୍ତିକୁ ମାଗି ପାରିବ ନାହିଁ । ତିରିଶ, ପଇଁତିରିଶ ଟଙ୍କାର ବ୍ୟବସ୍ଥା ପାଇଁ ଆଉ ଖଣ୍ଡିଏ ଅଧିକ ଟିଉସନ୍ କରିବାକୁ ପଡ଼ିବ ତାକୁ ।

 

କର ବଦଳାଇ ଦେଖିଲା ଯେ ମସିଣା ଉପରେ ଶାନ୍ତି ଆରାମରେ ଶୋଇଛି । ହସ ହସ ମୁହଁ । ଚିନ୍ତାର ଲେଶ ମାତ୍ର ନାହିଁ । ରାସ୍ତାର ମ୍ୟୁନିସିପାଲ ଲାଇଟ୍ ଅଧଖୋଲା ଝରକା ଦେଇ କୋଠରୀରେ ପଡ଼ିଥାଏ । ଆଲୁଅରେ ଶାନ୍ତିର ମୁହଁଟି ସ୍ପଷ୍ଟ ଦେଖାଯାଉଥାଏ । ଏକ ଦୃଷ୍ଟିରେ ଚାହିଁଥାଏ ରମେଶ ଶାନ୍ତିର ମୁହଁକୁ ଦୁନିଆଯାକର ସୋନ୍ଦର୍ଯ୍ୟ ଯେପରି ଶାନ୍ତି ମୁହଁରେ । ତାକୁ ଭାରି-

 

ଭାବୁ ଭାବୁ ରମେଶକୁ ନିଦ ଆସିଗଲା । ଶୋଇ ଶୋଇ ସେ ସ୍ୱପ୍ନ ଦେଖୁଥିଲା—ଗାଁରୁ ବାପା ଆସିଛନ୍ତି—ଶାନ୍ତିକୁ ଦେଖି ସେ ଗମ୍ଭୀର ହୋଇ ରହିଛନ୍ତି—ରମେଶ ସବୁ ବୁଝିପାରିଛି—ସେ ବାପାଙ୍କୁ ବୁଝାଉଛି-ଶାନ୍ତି ଗୋଟିଏ ନିରିହ ଯୁବତୀ—ସହରକୁ ପ୍ରଥମଥର ପାଇଁ ଆସିଛି—ତାର ଅସୁବିଧା, ନିରାଶ୍ରୟତା ଶୁଣି ସେ ତାକୁ ଘରେ ଆଶ୍ରୟ ଦେବା ପାଇଁ ପଚ୍ଛାଇନି—କିନ୍ତୁ ବାପା କିଛି ବିଶ୍ଵାସ କରୁନାହାନ୍ତି—ଶାନ୍ତି—ହିନ୍ଦୁ ଘରର ଝିଅ—ଯୁବତୀ—ସୁନ୍ଦରୀ ଶିକ୍ଷିତା—ରମେଶ—ସୁସ୍ଥ ସୁନ୍ଦର ଶବଳ ଯୁବକ, ଅବିବାହିତ ବହୁତ ପାଠ ପଢ଼ିଛି—ଏହାର ମାନେ.....

 

ଚାଉଁକିନା ରମେଶର ନିଦ ଭାଜିଗଲା । କଁଅଳିଆ ସୂର୍ଯ୍ୟ କିରଣରେ କୋଠରୀଟି ଉଜ୍ଜଳ ଦେଖା ଯାଉଛି ।

 

ଶାନ୍ତି ତା ଆଗରୁ ଉଠି ମୁଣ୍ଡ ବନ୍ଧାରେ ଲାଗିଛି । ସେ ଆଠଟାରେ କଲେଜ ଯିବ ।

 

ରମେଶକୁ ଉଠିବାର ଦେଖି ସେ ପଚାରିଲା, ‘ଚାହା ଜିନିଷତକ କାହିଁ ?’

 

କାହିଁକି...... ?

 

ଚାହା ତିଆରି କରିବି ।

 

ଶାନ୍ତି ବଡ଼ ଖୁସି ଦେଖାଯାଉଥାଏ । ମୁହଁଟି ହସ ହସ । ରମେଶ କହିଲା, ‘ଗୋଟାଏ କଥା କହିବି କିଛି ଭାବିବ ନାହିଁତ’... ।

 

କଣ...କହନ୍ତୁ ।

 

କଥା କଣ କି ଥରେ ଥରେ ମୁ ବୋକାଙ୍କ ଭଳି କଥା କହେ, ତେଣୁ ଅନେକ ମୋ ଉପରେ ରାଗି ଯାଆନ୍ତି । ତେଣୁ ମୁଁ ଆଗରୁ ହିଁ କ୍ଷମା ମାଗି ନେଇଥାଏ ।

 

କହନ୍ତୁ ନା...ଏତେଟା ଭୟ କଣ...ଆପଣ ତ ଆଗରୁହିଁ explanation ଦେବାରେ ଲାଗି ଗଲେ ।

 

ଥାଉ...ବର୍ତ୍ତମାନ କହିବି ନାହିଁ ।

 

ନାଁ.....ଆପଣଙ୍କୁ କହିବାକୁ ପଡ଼ିବ ।

 

କିଛି ନାହି ଯେ ତୁମେ ବର୍ତ୍ତମାନ ଖୁବ୍ ସୁନ୍ଦର ସୁନ୍ଦର ଦେଖା ଯାଉଛି ।

 

ହସି ଉଠିଲା ଶାନ୍ତି । ରମେଶ ନିଜକୁ ନିଜେ ଲଜ୍ଜିତ ହେଲା ।

 

‘ହେଲା, ମୁ ଖୁବ୍ ସୁନ୍ଦରୀ । ବର୍ତ୍ତମାନ କହନ୍ତୁ ଚାହା ଜିନିଷତକ କେଉଁଠାରେ ଅଛି । ତୟାର କରିଦିଏ’—ଶାନ୍ତି କହିଲା ।

 

ମୁଁ ନିଜେ ତୟାର କରିଦେବି ।

 

ହୁଁ...ଗମ୍ଭୀର ହୋଇ ହୋଇ ଶାନ୍ତି କହିଲା, ‘ଆପଣ’ ଏପରି ଆଘାତ ଦେଇ ପାରନ୍ତି ।

 

କଣ ଆଘାତ ଦେଲି ?

 

ଆପଣ ମୁଁ କରିବା ଚାହେ.....

 

ଛି ଶାନ୍ତି, ଏ କଣ କହୁଛ । ମୁଁ ତ ଖାଲି ତୁମକୁ କଷ୍ଟ ନ ଦେବା ସକାଶେ କହୁଥିଲି ।

 

କ୍ଷମା କରିବେ ଏ କାମ ସ୍ତ୍ରୀମାନଙ୍କର....ଯେଉଁ କାମ କରିବାକୁ ସ୍ତ୍ରୀମାନେ training ପାଇଥାନ୍ତି, ସେ କାମ କରିବାକୁ କଷ୍ଟ କାହିଁକି ହେବ ।

 

ଅନ୍ୟ କିଛି କହିବା ଅନାବଶ୍ୟକ ମନେ କରି ରମେଶ ଶାନ୍ତି ଆଗରେ ଜିନିଷତକ ରଖି ଦେଲା ।

 

ଷ୍ଟୋଭ ଉପରେ ଚାହା ସକାଶେ ପାଣି ବସାଇ ଲୁଗା ବଦଳାଉଥାଏ ଶାନ୍ତି ।

 

ରମେଶ ତାକୁ ପଛ କରି ବସିଥାଏ ।

 

ଆପଣ ମୁଁ କହିବା ଯାଏଁ ସେହିପରି ବସିଥାନ୍ତୁ—ଶାନ୍ତି କହିଲା ।

 

କାହିଁକି ? କହୁ କହୁ ରମେଶ ଶାନ୍ତି ଆଡ଼େ ମୁଁହ ଫେରାଇଲା ।

 

ଅର୍ଦ୍ଧନଗ୍ନ ଅବସ୍ଥାରେ ଠିଆ ହୋଇଥାଏ ଶାନ୍ତି ।

 

‘I am sorry’ ରମେଶ ଅନ୍ୟ ଆଡ଼େ ମୁଁହ ଫେରାଇ ନେଲା ।

 

ଲଜ୍ଜାରେ ସଢ଼ିଗଲା ଶାନ୍ତି ।

 

ଶାଢ଼ି ବଦଳାଇ ସାରିଲା ପରେ ଶାନ୍ତି କହିଲା, “ବର୍ତ୍ତମାନ ଆପଣ ଇଚ୍ଛା ମୁତାବକ ଦେଖି ପାରନ୍ତି ।”

 

ରମେଶ ଜାଣି ଜାଣି ସେଇ ଆଡ଼େ ମୁଁହ କରି ବସିଥାଏ ।

 

ଆରେ, ମୁ ତ କହିଦେଲି ଆପଣ ବର୍ତ୍ତମାନ ଯେଉଁ ଆଡ଼େ ଇଚ୍ଛା ସେ ଆଡ଼େ ଚାହିଁ ପାରିବେ ।

 

ଶୁଣିଲିଣି.....

 

ତା ହେଲେ କଣ ଆପଣ ନାରାଜ ହୋଇଗଲେ...

 

ନା,...ବର୍ତ୍ତମାନ ଆଉ ଦେଖିବାର ଇଛା ନାହିଁ ।

 

କାହିଁକି ?

 

ଜାଣି ନାହିଁ......

 

ଶାନ୍ତି କିଛି ନକହି ଯାଇ ଷ୍ଟୋଭ ପାଖରେ ବସି ପଡ଼ିଲା ।

 

ପାଣି ଫୁଟୁଥାଏ ।

 

ଚାହା କେତେ ଚାମଚ ପକାଇବି...

 

ତିନି, ଚାରି ଚାମଚ...

 

ଫୁଟୁଥିବା ପାଣିରେ ଶାନ୍ତି ଚାହାଗୁଣ୍ଡ ପକାଇଲା ।

 

ରମେଶ ଗମ୍ଭୀର ହୋଇ ବସିଥାଏ ବାହାରକୁ ଚାହିଁ ।

 

ଶାନ୍ତିକୁ ଭଲ ଲାଗିଲା ନାହିଁ ଏ ନିରବତା । ସେ ମନେ ମନେ ଡରି ଯାଇଥାଏ । କଣ ରମେଶ ବାବୁ ରାଗିଗଲେ କି ? ସେ ନିରବତା ଭଗ୍ନ କଲା ।

 

ଭକ୍ତବର କାହା ଧ୍ୟାନରେ ମଗ୍ନ ଅଛନ୍ତି...

 

ତା ହେଲେ ତୁମେ ହାସ୍ୟ ଆରମ୍ଭ କରିଦେଲଣି—ହସି ହସି କହିଲା ରମେଶ ।

 

ଦିଅଁଙ୍କ ରାଣ ମୁଁ ଯଦି ସେ ଅର୍ଥରେ କହିଥିବି ।

 

କେଉଁ ଅର୍ଥରେ...

 

ଆପଣ ଯାହା ବୁଝିଲେ...

 

କାହା ଧ୍ୟାନରେ ମୁଁ ମଗ୍ନ ଜାଣିଛ ? —ରମେଶ ପଚାରିଲା ।

 

ମୁଁ କେମିତି ଜାଣିବି...

 

ଶୁଣିବ...

 

କହନ୍ତୁ...

 

ମୁଁ ଯଦି କହେ ଶାନ୍ତି ଦେବୀଙ୍କ ଧ୍ୟାନରେ ମଗ୍ନ...

 

ଲାଜେଇ ଗଲା ଶାନ୍ତି...

 

ହଠାତ୍ ବାହାରୁ କିଏ ଜଣେ ପାଟିକଲା-May I come in sir ?

 

‘wait please’ ସଙ୍ଗେ ସଙ୍ଗେ ରମେଶ କହିଲା ।

 

ଆରେ...ମୁଁ...ଶିଶିର...

 

ଜାଣିଛି...

 

କିପରି... ?

 

ତୋ ପାଟିରୁ...

 

ବର୍ତ୍ତମାନ ମୁଁ ଆସିପାରେ କି ?

 

ଅଳ୍ପ ଅପେକ୍ଷା କର..ତାକୁ ରଗାଇବାକୁ ରମେଶ କହୁଥିଲା ।

 

କିଛି ସମୟ ଚୁପ୍ ରହି ଶିଶିର କହିଲା, ଆଉ କେତେ ଡେରି ହେବ ଗୋଡ଼ କାଟିଲାଣି ।

 

ଆଛା, ବର୍ତ୍ତମାନ ତୁ ଆସିପାରୁ । କିରେ ବର୍ତ୍ତମାନ ତ ତୋର ଆସିବା time ନାହିଁ କିପରି ଏ ଅବେଳରେ...

 

ହଁ, ହଁ, ବର୍ତ୍ତମାନ ତ ଆସିବାର ନ ଥିଲା—କିନ୍ତୁ ଏଥର time table ବଦଳାଇବାକୁ ପଡ଼ିବ । ଭିତରକୁ ଆସୁ ଆସୁ ଶିଶିର କହିଲା ।

 

ଦୁଇ ବନ୍ଧୁଙ୍କର କଥାବାର୍ତ୍ତା ଶୁଣି ହସି ଉଠିଲା ଶାନ୍ତି ।

 

ବର୍ତ୍ତମାନ ତୁମକୁ ଚାହା ତିନି କପ୍ କରିବାକୁ ପଡ଼ିବ । ଏ ଚାହା ନ ପିଇ ଯିବ ନାହିଁ । ବୋଧହୁଏ ସେଇଆ ଭାବି ଘରୁ ବାହାରିଛି—ରମେଶ କହିଲା ଶାନ୍ତିକୁ ।

 

ତାହା ତ ମୁଁ ପ୍ରଥମରୁ କରି ଦେଇଛି ।

 

ଦୁଇ ଜଣଙ୍କୁ ଦୁଇ କପ୍ ବଢ଼ାଇ ଦେଇ ନିଜେ ଗୋଟିଏ କପ୍ ନେଇ ବସିଗଲା ଶାନ୍ତି ।

 

ରମେଶ ଓ ଶିଶିର ଚାହା ପିଉଥିଲେ । ଶାନ୍ତି ଚାହା କପଟି ଧରି ସେପରି ବସିଥାଏ ।

 

ଶିଶିର ପଚାରିଲା, ଆପଣ ପିଉ ନାହାନ୍ତି ଯେ...

 

ମୁଁ ପରେ ପିଇବି...

 

କଣ ଲଜ୍ୟା କରୁଛନ୍ତି...

 

“... ... ... ...”

 

ବର୍ତ୍ତମାନ କଣ ହେଲା ?

 

କିଛି ନାହିଁ...ଏମିତି...

 

କଥାବାର୍ତ୍ତାର ଖିଅ ଧରି ଶାନ୍ତି ଚାହୁଁଥିଲା ଏମାନଙ୍କ ସହ ଭଲ ରୂପେ ମିଶିଯିବାକୁ ।

 

ରମେଶ ବାବୁ ଭଳି ଆପଣ ମଧ୍ୟ କଥା କହିବାରେ ଜଣେ ଓସ୍ତାଦ ଦେଖୁଚି—ଶିଶିରକୁ ଲକ୍ଷ କରି କହିଲା ଶାନ୍ତି ।

 

ଆଜ୍ଞା, ମୁଁ ତ ଓସ୍ତାଦ ନ ଥିଲି । ଗୁରୁଦେବହିଁ ମତେ ଓସ୍ତାଦ ବନେଇ ଦେଇଛନ୍ତି । ହସି ହସି କହିଲା ଶିଶିର ରମେଶକୁ ଲକ୍ଷ କରି ।

 

ରମେଶ ଚୁପ୍ ହୋଇ ବସି ଚାହା ପିଉଥାଏ । କହିଲା, କିବେ, ମୁଁ କଣ ତୋତେ ଓସ୍ତାଦ ବନାଇବି । ସତେ ଯେମିତି କିଛି ଜାଣେ ନାହିଁ ।

 

କଣ ଜାଣେ... ? ଶିଶିର ପଚାରିଲା ।

 

ଓ, ହା ଛୁଆଟି...ଶାନ୍ତି, ଶିଶିରକୁ ଆଜି କିଛି ଚକଲେଟ ଆଣି ଦେଇଥିବ । ବିଚାରା ମୋଟେ କିଛି ଜାଣେ ନାହିଁ ।

 

ହସି ଉଠିଲା ଶାନ୍ତି ରମେଶର କଥାରେ ।

 

ରମେଶ ଓ ଶିଶିର ମଧ୍ୟ ହସି ଉଠିଲେ ।

 

ଆଜି ଶାନ୍ତି ବଡ଼ ବ୍ୟସ୍ତ ଅଛି । କୋଠରୀଟିରେ ଅଯତ୍ନ ଭାବେ ପଡ଼ିଥିବା ଜିନିଷଗୁଡ଼ିକ ସଜାଡ଼ିବାରେ ଲାଗି ପଡ଼ିଛି ସେ । ରମେଶ ଘରେ ନାହିଁ । ଜିନିଷତକ ସଜାଡ଼ୁ ସଜାଡ଼ୁ ଶାନ୍ତି ଥରକୁ ଥର ବାହାରକୁ ଚାହୁଁଥାଏ । କାଳେ ରମେଶ ଆସୁଥିବ । ସେ ରମେଶର ଅପେକ୍ଷାରେ ଥାଏ ।

 

ଆଜି ତାର ପ୍ରିନ୍ସିପାଲ୍‍ଙ୍କ ଘରକୁ ଚାଲିଯିବାର କଥା । ପ୍ରିନ୍‍ସିପାଲ ତା ସକାଶେ ଗୋଟିଏ କୋଠରୀ ଠିକ୍ କରି ଦେଇଛନ୍ତି । ସେ କଲେଜରେ କେତେ ଥର ପଚାରିଲେଣି ମଧ୍ୟ । ଶାନ୍ତି ଖାଲି ଫାଙ୍କି ଦେଇ ଆସିଛି । ତାର ପ୍ରିନ୍‍ସିପାଲଙ୍କ ଘରକୁ ଯିବା ମୋଟେ ଇଛା ନାହିଁ । ତଥାପି କେତେ ଦିନ ସେ ଆଉ ରମେଶ ମୁଣ୍ଡରେ ବୋଝ ହୋଇ ରହିବ ।

 

ଜିନିଷତକ ସଜାଡ଼ି ଦେଲା । ରମେଶ ଫେରିଲେ ତାଙ୍କୁ କୋଠରୀର ଚାବି ଦେଇ ବାହାରିଯିବ । ମନଟା ତାର ଭଲ ନ ଥାଏ । ରମେଶ ଚାରିଟାରେ ଫେରିବାକୁ କହି ଯାଇଥିଲା । ସାଢ଼େ ଚାରିଟା ବାଜିଲାଣି । ତଥାପି ତାର ଦେଖା ନାହିଁ । ପ୍ରତିଦିନ ସେ ଠିକ୍ ଚାରିଟାରେ ଫେରେ । ଆଜି କହି ମଧ୍ୟ ଯାଇଥିଲା ଚାରିଟାରେ ଫେରିବାକୁ ।

 

ସେ ମଧ୍ୟ ସକାଳେ ରମେଶକୁ ତାର ଯିବା କଥା କହିନି । କହିଥିଲେ ଅବା ଠିକ୍ ଚାରିଟାରେ ଫେରି ଆସିଥାନ୍ତେ । କଥାଟିକୁ ସେ ସେତେଟା ଜୋର ଦେଇ ନ ଥିଲା । ଖାଲି କଥା ଛଳରେ ପ୍ରିନ୍‍ସିପାଲଙ୍କୁ କହି ଦେଇଥିଲା ଯାହା । କିନ୍ତୁ ଦୁଇଟାବେଳେ ପ୍ରିନ୍‍ସିପାଲ ଚାକର ହାତରେ ଖଣ୍ଡିଏ ଚିଠି ଦେଇ ପଠାଇଲେ । ତାର ରହିବା କୋଠରୀଟି ସଫା ସୁତରା କରାଇ ଦେଇଛନ୍ତି । କେବଳ ତାର ଯିବାର ବାକି ଅଛି । ସେ ଆଜି ଯିବ ବୋଲି ଖବର ଦେଇ ଦେଇଛି ।

 

ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଶାନ୍ତି ଆଉଥରେ ଝରକା ଦେଇ ବାହାରକୁ ଚାହିଁଲା । କାଳେ ରମେଶ ଆସୁଥିବ । କିନ୍ତୁ ଏଥର ମଧ୍ୟ ନିରାଶ ହେଲା ଶାନ୍ତି । କଣ ହେଲା ରମେଶର ଆଜି । କଣ ରାସ୍ତାରେ କେଉଁଠି accident ହେଲା କି ? ଶାନ୍ତିର ମନରେ ଅଶାନ୍ତିର ଢେଉ । ପ୍ରସାଧାନ ଶେଷ କରି ଘଡ଼ି ଦେଖିଲା ଶାନ୍ତି । ପାଞ୍ଚ ବାଜିଲାଣି । ପ୍ରିନ୍‍ସିପାଲଙ୍କୁ ଖବର ଦେଇଥିଲା ସାଢ଼େ ଚାରିରେ ଯିବ ବୋଲି । କିନ୍ତୁ ରମେଶକୁ ନ କହି ଯିବ କିପରି ?

 

ଆସ୍ତେ ଆସ୍ତେ ରମେଶ ରାଗି ଯାଉଥାଏ ସେ । କିନ୍ତୁ ତାଙ୍କର ବା ଦୋଷ କଣ ? ସେ ତ ଏକଥା ଜାଣି ନାହାନ୍ତି । ତା ହେଲେ ଦୋଷ କାହାର ? ଶେଷରେ ଶାନ୍ତି ନିଜକୁ ଦୋଷୀ ମନେ କଲା-। ତାର ଆଗରୁ କହିବାର ଥିଲା । ସାଢ଼େ ପାଞ୍ଚ ବାଜିଲା । ତଥାପି ରମେଶର ଦେଖା ନାହିଁ-। ଆଶ୍ଚର୍ଯ୍ୟ ହୋଇଗଲା ଶାନ୍ତି । କେବେ ତ ଏତେଟା ଡେରି କରନ୍ତି ନାହିଁ । ଶେଷରେ ବିରକ୍ତ ହୋଇ ଖବର କାଗଜଟି ନେଇ ବସିଲା । ଖବର ପଡ଼ିବାକୁ ମୋଟେ ଇଛା ନ ଥାଏ । ଖାଲି ବାହାରକୁ ସେ ଚାହିଁଥାଏ ।

 

କିଛି ସମୟ ପରେ ସାଇକଲ ବେଲ୍ ଶୁଣି ଚମକି ପଡ଼ିଲା ସେ । ଖବର କାଗଜଟିକୁ ଖଟ ଉପରେ ପକାଇ ଦେଇ କବାଟ ପାଖକୁ ଦୌଡ଼ିଗଲା ସେ ।

 

ରମେଶ ସାଇକଲ୍ ଧରି ଘର ଭିତରକୁ ପଶି ଆସିଲା । ସାଇକେଲ୍‍ଟିକୁ କାନ୍ଥ ପାଖରେ stand ଦେଇ ସୁରେଇରୁ ଗ୍ଳାସେ ପାଣି ଏକ ନିଶ୍ଵାସରେ ପିଇଗଲା ସେ ।

 

ଖାଲି ପାଣିଗୁଡ଼ା କଣ ପିଉଛନ୍ତି । ଖଣ୍ଡିଏ ବିସ୍କୁଟୁ ଖାଇ ପିଅନ୍ତୁ ।

 

ଏ କୋଉ ଗୋଟିଏ ନୂଆ କଥା ଆଜି, ତୁମେ ଅଛ ଯେ ମନେ ପକାଇ ଦେଉଛି । ନଥିଲା ବେଳେ ଯାହା ଇଛା ତାହା କରିଯାଏ ।

 

ହଉ, ଏ ବିସ୍କୁଟୁ ଟି ଖାଇ ବାକି ପାଣିତକ ପିଅନ୍ତୁ । ସେ ରମେଶ ହାତକୁ ଖଣ୍ଡିଏ ବିସ୍କୁଟ ବଢ଼ାଇ ଦେଲା ।

 

ରମେଶ ପୁରା ବିସ୍କୁଟଟି ପାଟିରେ ପକାଇ ପାଣିତକ ପିଇ ଦେଲା ।

 

ଆସ୍ତେ ଆସ୍ତେ ଖାଆନ୍ତୁ ପାଟିରେ ଲାଗିଯିବ ।

 

ସାଢ଼େ ପାଞ୍ଚ ବାଜିଲାଣି । ଡେରି ହୋଇ ଯିବ । ତୁମେ ତ ପ୍ରସ୍ତୁତ ହୋଇ ସାରିଛ, ଟିକିଏ ଚଞ୍ଚଳ ଯିବାକୁ ପଡ଼ିବ । ପାଣିତକ ପିଇ ଦେଇ ରମେଶ କହିଲା ।

ରମେଶର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଶାନ୍ତି । ରମେଶ ବାବୁ କିପରି ତାର ଯିବା କଥା ଜାଣିଲେ । ସେ ତ କହିନାହିଁ । କିଛି କୂଳ କିନାରା ପାଉ ନ ଥାଏ । ସେ ବୋଧହୁଏ ନିଜେ ପ୍ରିନ୍‍ସିପାଲ ଖବର ପଠାଇଥିବେ । କିନ୍ତୁ ସେ କାହିଁକି ବା ତାଙ୍କୁ ଖବର ଦେବେ । ସେ ତ ମୋ ପାଖକୁ ଖବର ପଠାଇଥିଲେ । ଶାନ୍ତି କିଛି ଠିକ୍ କରି ପାରୁ ନ ଥାଏ ।

କଣ ଏତେ ଭାବୁଛ....ଚଞ୍ଚଳ ଶାଢ଼ି ବଦଳାଅ । ଡେରି ହୋଇଯିବ ଯେ......ତାର ଚିନ୍ତାଧାରାରେ ବାଧା ଦେଇ କହିଲା ରମେଶ—

ଶାନ୍ତି କିଛି ନକହି ସଙ୍ଗେ ସଙ୍ଗେ ଶାଢ଼ି ବଦଳାଇଲା । ହଁ ଠିକ୍ ଅଛି.....ଚାଲ । ରମେଶର ସ୍ଵରରେ ଉଦ୍‍ବିଗ୍ନତା ଫୁଟି ଉଠୁଥିଲା ।

ଶାନ୍ତି କିଛି ବୁଝି ପାରୁ ନ ଥାଏ, ତାକୁ କେଉଁଠାକୁ ଯିବାକୁ ହେବ । ରମେଶ ଏତେଟା ବ୍ୟସ୍ତ କାହିଁକି ? ଚାଲ.....

ଆଉ ଏ ଜିନିଷ ପତ୍ର......

ଜିନିଷ.....ଆଶ୍ଚର୍ଯ୍ୟ ହୋଇଗଲା ରମେଶ । କି ହୋ, ଜିନିଷ କଣ ହେବ ?

ଆଉ କଣ ଏପରି ଯିବି... ?

କଣ, ତୁମର ମୁଣ୍ଡ ଠିକ୍ ନାହିଁକି ? ସେଠାକୁ ଯିବାକୁ ଜିନିଷ ପତ୍ର, ଏଟଚିକେସ୍, ଏସବୁର କି ଦରକାର ? କୁଆଡ଼େ ଯିବା... ?

ସିନେମାକୁ ପରା.......ଓ ହୋ, ତାହେଲେ ଆପଣ ସିନେମା ଯିବା ସକାଶେ ଏତେ ବ୍ୟସ୍ତ କରୁଥିଲେ । ଗୋଟିଏ ଦୀର୍ଘ ନିଶ୍ଵାସ ଛାଡ଼ି ଶାନ୍ତି କହିଲା—ମୁଁ ତ ଆଉ କିଛି ଭାବୁଥିଲି......

କଣ.... ? ଆଶ୍ଚର୍ଯ୍ୟରେ ପଚାରିଲା, ରମେଶ । ତାହେଲେ ଆପଣ କିଛି ଜାଣି ନାହାନ୍ତି-?

ନାହିଁ ତ... ... କଣ ସେ କଥା....

ଏଇ ନିଅନ୍ତୁ......ପ୍ରିନ୍‍ସିପାଲ ଦେଇଥିବା ଚିଠିଖଣ୍ଡ ଶାନ୍ତି ରମେଶ ହାତକୁ ବଢ଼ାଇ ଦେଲା...

ଚିଠିଟି ପଢ଼ି ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲା ରମେଶ ।

ଶାନ୍ତି ମୁଣ୍ତପୋତି ଠିଆ ହୋଇଥାଏ........

ଟିକେଟ୍ କାଟି ଫେରୁ ଫେରୁ ଡେରି ହୋଇଗଲା । କ୍ଷମା କରିବ । ବହୁତ ଭିଡ଼ ହୋଇଥିଲା ନା, ହଉ ଚାଲ ତୁମକୁ ଛାଡ଼ିଦେଇ ଆସିବି । ସକାଳେ କହି ଦେଇଥିଲେ ଡେରି ହୁଅନ୍ତା ନାହିଁ । ରମେଶର ମୁହଁ ଗମ୍ଭୀର ହୋଇଯାଇ ଥାଏ ।

 

ଶାନ୍ତି କିଛି କହିଲା ନାହିଁ ।

 

ରମେଶ ମଧ୍ୟ କିଛି ସମୟ ନିରବ ରହିଲା । ସେ ଆଶା କରି ନ ଥିଲା ହଠାତ୍ ଶାନ୍ତିଠାରୁ ଏପରି କିଛି ଶୁଣିବ ବୋଲି । ତେଣୁ ସେ ନିଜକୁ ପ୍ରସ୍ତୁତ କରି ନଥିଲା । ଶାନ୍ତି ତା ବସାରେ ରହିବା ଦିନଠାରୁ ସେ ବଡ଼ ନିଶ୍ଚିନ୍ତରେ ଥିଲା । ଯଦିଚ ସେ ବହୁତ ଥର ଭାବିଥିଲା ଶାନ୍ତିକୁ, କହି ଦେବାକୁ, କହି ପାରି ନଥିଲା ।

 

ଆପଣଙ୍କ ଟିକେଟ୍ ଗୁଡ଼ିକ ନଷ୍ଟ ହେବ... ...

 

ନଷ୍ଟ ତ ହେବ... ...କିନ୍ତୁ ମୁଁ ତ ତୁମକୁ ଆଉ compel କରି ପାରିବି ନାହିଁ । ନିଜ ଇଛାରେ ତୁମେ ଆସିଥିଲ ଏ ବସାକୁ । ଆଜି ନିଜ ଇଛାରେ ଚାଲିଯିବ । ମୁଁ କିଏ କହିବାକୁ । ରମେଶର କଥାରେ ଅଭିମାନ ପୁରି ରହିଥାଏ । ତାର ଗଳା କିପରି ଗୋଟିଏ ଶୁଭୁଥାଏ ।

 

ସେ ଶାନ୍ତିର ଏଟଚିକେସ୍‍ଟିକୁ ଧରିଲା ।

 

ଶାନ୍ତିକୁ ଏସବୁ କିଛି ଭଲ ଲାଗୁନଥାଏ । ସେ ଭାବୁଥାଏ, ପ୍ରିନ୍‍ସିପାଲଙ୍କ ଘରେ ରହିବାକୁ ଠିକ୍ କରି ଗୋଟିଏ ମସ୍ତବଡ଼ ଭୁଲ୍‍ କରି ଦେଇଛି । ସେ ଏଠାରୁ ଚାଲିଗଲେ ରମେଶବାବୁଙ୍କ ମନରେ ଯେ କେତେଟା ଦୁଃଖ ହେବ ତାହା ସେ ଅନୁଭବ କରି ପାରୁଥିଲା । ବର୍ତ୍ତମାନ ତାର ଯିବାକୁ ମଧ୍ୟ ଇଛା ହେଉ ନଥାଏ । ତାର କାହିଁକି କୋହ ଉଠୁଥାଏ | ରମେଶ ବାବୁ, ତାର କିଏ ? ସେ କାହିଁକି ତାଙ୍କ ପାଇଁ ବ୍ୟସ୍ତ ହେଉଛି !

 

ଶାନ୍ତିର ଜିନିଷ ଧରି ଠିଆ ହୋଇଥାଏ ରମେଶ—

 

ଜିନିଷ ମଧ୍ୟରେ ସବୁ ମିଶି ଦୁଇଟି । ଏଟଚିକେସ୍‍ଟି ଓ ହେଣ୍ଡ୍‍ ବେଗ୍‍ଟି । ସେତକ ଧରି ଶାନ୍ତି ଆସିଥିଲା ସେ ଦିନ ରାତ୍ରିରେ ।

 

ରମେଶ ତ କେବେ ଭୁଲରେ ସୁଦ୍ଧା ଶାନ୍ତି ଚାଲି ଯିବା ପାଇଁ କହି ନଥିଲା । କେତେଟା ଅବିଶ୍ୱାସୀ ଏ ସ୍ତ୍ରୀ ଜାତି । ସ୍ତ୍ରୀ ଜାତି ପ୍ରତି ତା ମନରେ ଘୃଣା ଆସିଗଲା । ଟିକିଏ ହେଲେ କୃତଜ୍ଞତା ନାହିଁ । ନିଷ୍ଠୁର, କାହିଁ ଯେତେବେଳେ ଶାନ୍ତି ଆସିଥିଲାଏତେଟା ନିଷ୍ଠୁର ହୋଇ ପାରିନଥିଲା । ଖୋଲି ଦେଇଥିଲା ଅର୍ଦ୍ଧରାତ୍ରରେ କବାଟ ଶାନ୍ତିର ମିନତି ଶୁଣି । ଛି, ଛି, ବିଶ୍ୱାସ ନାହିଁ ଏମାନଙ୍କୁ । ଆଶ୍ରୟ ନ ପାଇଲା ଯାଏଁ ରହିଥିବେ । ଟିକିଏ କେଉଁଠାରେ ଆଶ୍ରୟ ପାଇଲେ ଚାଲିଯିବେ । ଦିନେ ନିଜେ ଆସିଥିଲା ଶାନ୍ତି । ଆଉ ଆଜି ସେ ନିଜେ ଚାଲିଯିବାକୁ ବସିଛି । ସେ ବା କାହିଁକି ତାକୁ ଅଟକାଇବ ।

 

କଣ ଭାବୁଛ ? ଚାଲ ଯିବା ... ...ରମେଶ କହିଲା ।

 

ନାଁ, ଆଜି ଥାଉ ... ...

 

କାହିଁକି ? ଯିବ ନାହିଁ ... ...

 

ନାଁ ଆଜି ସେଠାକୁ ଯିବି ନାହିଁ । ଆପଣଙ୍କ ଟିକେଟ ବୃଥାରେ ନଷ୍ଟ ହେବ । ଚାଲନ୍ତୁ ସିନେମା ଯିବା ... ...

 

ନା, ନା, ଟିକଟର ଚିନ୍ତା ତୁମେ କରନାହିଁ । କେତେ କେତେ ଟଙ୍କା ଯାଉଛି...ଆଉ ଦୁଇଟି ଟଙ୍କା ଯିବ...ତୁମର ଯଦି ଯିବାର ଇଚ୍ଛା ଅଛି ତା ହେଲେ ଯାଇପାର...ମୋ ଆଡ଼ୁ ଅନ୍ତତଃ କିଛି ଆପତ୍ତି ନାହିଁ । ଟିକିଏ ଗମ୍ଭୀର ହୋଇ କହିଲା ରମେଶ—

 

ଆଶ୍ଚର୍ଯ୍ୟ ହୋଇଗଲା ଶାନ୍ତି ରମେଶର କଥା ଶୁଣି । ସେ କିଛି ଠିକ୍ କରି ପାରୁନଥାଏ ।

 

ହଠାତ୍ ରମେଶ କହିଲା, “ଡେରି ହେଉଛି ଶାନ୍ତି, ତୁମେ କେତେବେଳ ଯାଏଁ ନିଶ୍ଚୟ କରୁଥିବ ଆଉ ମୁଁ କେତେବେଳ ଯାଏଁ ଏପରି ଜିନିଷ ଧରି ଠିଆ ହୋଇଥିବି ?

 

ଦୟାକରି ଆଉ ଅଧିକ ବୋକା ବନନ୍ତୁ ନାହିଁ...ଗମ୍ଭୀର ହୋଇ ଶାନ୍ତି କହିଲା ।

 

ରମେଶ କିଛି କହିଲା ନାହିଁ । ସେ ନିଜ ଉପରେ ରାଗି ଯାଉଥାଏ । କିଛି ସମୟ ନିରବରେ କଟିଗଲା । ଦୁହେଁ ମୁହଁ ପୋତି ଠିଆ ହୋଇଥାନ୍ତି ।

 

ପରିସ୍ଥିତିକୁ ଟିକିଏ ସରଳ କରି ଦେବାକୁ ରମେଶ ପଚାରିଲା, “ରାଗିଗଲକି ଶାନ୍ତି ?”

 

ମୁଁ... ଆଉ ରାଗ...ଫେରେ ଆପଣଙ୍କ ଉପରେ...କଣ କହୁଛନ୍ତି ଆପଣ ... ...

 

କାହିଁକି ତୁମେ କଣ ମୋ ଉପରେ ରାଗିବ ନାହିଁ । ମୁଁ ତ ଯେଉଁ ଦିନ ଏପରି ଟିକିଏ କଥାବାର୍ତ୍ତା ହୁଏ, ଶିଶିର ମୋ ଉପରେ ଭୀଷଣ ରାଗିଯାଏ ।

 

ହଠାତ୍ ରମେଶ କଥାରେ ବାଧା ଦେଇ ଶାନ୍ତି କହିଲା, ଶିଶିର ବାବୁ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁ...ସାଥିରେ ପଢ଼ି ଆସିଛନ୍ତି ତେଣୁ ତାଙ୍କର ସେ ଅଧିକାର ଅଛି ।

 

ଆଉ ତୁମେ କଣ ପର...ସହରକୁ ଯେତେବେଳେ ପ୍ରଥମେ ଆସି ପହଞ୍ଚିଲ, ତୁମର ବନ୍ଧୁତ୍ୱ ମୋ ସହିତ ହୋଇଥିଲା ପ୍ରଥମ ଥର ପାଇଁ...ସେ କଥା କାହିଁକି ଭୁଲି ଯାଉଛ ।

 

ଅନିମନ୍ତ୍ରୀତା ହୋଇ ଆସିଥିଲ ମୁଁ ଆପଣଙ୍କ ପାଖକୁ । ବିରକ୍ତି କଲି ଆପଣଙ୍କୁ କେତେ ଦିନ ପାଇଁ ମୋର ଉପସ୍ଥିତରେ । କଣ ସର୍ବଦା ଆପଣଙ୍କୁ ଏପରି ବିରକ୍ତି କରୁଥିବି ।

 

ବିରକ୍ତି କଲ...କିଏ କହିଲା...ମୁଁ କଣ କହିଛି ସେ କଥା ।

 

ଆପଣ ଆଉ କଣ ସବୁ କଥା କହନ୍ତେ କି ?

 

ତୁମର ଏ ଭୁଲ ଧାରଣା କାହିଁକି । କୋଉଁ ଦିନ ମୁଁ feel କରିବି ଯେ ତୁମେ ବିରକ୍ତି କରୁଛ । ସେ ଦିନ ମୁଁ ନିଜେ କହିଦେବି ।

 

ଶାନ୍ତି କିଛି କହିଲା ନାହିଁ ।

 

ରମେଶ ଜିନିଷ ଧରି ସେପରି ଠିଆ ହୋଇଥାଏ ।

 

ତା ହେଲେ ରିକ୍‍ସା ଡାକିବ.. କୋଉଁଯାଏଁ ?

 

ଦରକାର ନାହିଁ ରିକ୍‍ସା...

 

ତା ହେଲେ କଣ ଚାଲିକରି ଯିବା...

 

ନା......

 

ଆଉ କଣ......

 

ଯିବ ନାହିଁ......

 

କାହିଁକି......

 

ଏମିତି......

 

ଜିନିଷ ରଖି ଦେବି.....

 

ହଁ......

 

ରମେଶ ଜିନିଷ ରଖିଦେଇ ଖଟ ଉପରେ ବସି ପଡ଼ିଲା ।

 

ଶାନ୍ତି ସେହିପରି ଠିଆ ହୋଇଥାଏ ।

 

ରମେଶ ଭାବୁଥାଏ, ଶାନ୍ତି ଆଗ କଥା କହିଲେ ସେ କହିବ ।

 

ଶାନ୍ତିଭାବୁଥାଏ ରମେଶ ଆଗ କଥା କହିଲେ ସେ କହିବ ।

 

ଦୁହେଁ ନିରବ । ସମୟ ଗଡ଼ି ଚାଲିଥାଏ । ଛ’ଟା ବାଜିଲା । ରମେଶ ଖଟଟି ଉପରେ ବସି ବାହାରକୁ ଚାହିଁଥାଏ । ଶେଷରେ ଶାନ୍ତିକୁହିଁ କଥା କହିବାକୁ ପଡ଼ିଲା ।

 

କେତେବେଳଯାଏଁ ଏପରି ବସିଥିବେ ?

 

ରମେଶ ମନେ ମନେ ହସୁଥିଲେ ମଧ୍ୟ ବାହାରକୁ ଗମ୍ଭୀର ହୋଇ କହିଲା, “ଆଉ କଣ କରିବି ?”

 

ଚାଲନ୍ତୁ.......

 

ରମେଶ ଖଟରୁ ଉଠି ପୁନର୍ବାର ଜିନିଷତକ ଧରିବାକୁ ଗଲା ।

 

ନା, ନା, ସେଗୁଡ଼ିକ ଧରନ୍ତୁ ନାହିଁ ।

 

ତା ହେଲେ ତୁମେ ନିଜେ ନେଇଯିବ.......ରିକ୍‍ସା ଡାକିବି ।

 

ନା, ମୁଁ ଯିବି ନାହିଁ, କି ଆପଣଙ୍କୁ ମଧ୍ୟ ଯିବାକୁ ପଡ଼ିବ ନାହିଁ । ଏ ଜିନିଷ ଏଠାରେ ରହିବ-

 

ତେବେ....... ?

 

ବର୍ତ୍ତମାନ ସୁଦ୍ଧା ସିନେମାର ସମୟ ଗଡ଼ିନାହିଁ.......

 

ଗଡ଼ି ତ ଯାଉଛି... ...କିନ୍ତୁ...

 

ତା ହେଲେ ଶିଘ୍ର ଚାଲନ୍ତୁ ।

 

କଣ ସିନେମା ଯିବା... ....

 

“... ... ... ...” ହସି ଦେଲା ଶାନ୍ତି ।

 

ଘରେ ତାଲା ଦେଇ ଦୁହେଁ ଯାଇ ରିକ୍‍ସାରେ ବସି ପଡ଼ିଲେ ।

 

ପ୍ରିନ୍‍ସିପାଲଙ୍କ ଘରକୁ ଆଜି ଯିବି, କାଲି ଯିବି କହି ଏହା ଭିତରେ ପଚିଶ ଦିନ ହୋଇ ଗଲାଣି । ଯାଇପାରୁ ନାହିଁ ଶାନ୍ତି । ପ୍ରିନ୍‍ସିପାଲ ପ୍ରତିଦିନ ପଚାରନ୍ତି । କେବେ ଆସୁଛ ଶାନ୍ତି, ମୁଁ ତ କୋଠରୀଟି ବହୁତ ଦିନ ହେଲା ସଫା କରାଇ ଦେଇଛି ।

 

ଆଜି ଯିବାକୁ ସଠିକ୍ ଜବାବ ଦେଇ ଦେଇଛି ଶାନ୍ତି । ରମେଶକୁ ଚଞ୍ଚଳ ଫେରି ଆସିବାକୁ କହିଛି । ତାର ମନ ମୋଟେ ଭଲ ନାହିଁ । ରମେଶ ଯାଉଛି ଲାଇବ୍ରେରୀକୁ ଚଞ୍ଚଳ ଫେରି ଆସିବ କହି । ଉଦାସ ହୋଇ ବସିଛି ଶାନ୍ତି ଖଟଟି ଉପରେ । ମାସକରୁ ଊର୍ଦ୍ଧ୍ୱ ହେବ ସେ କଟାଇଛି ଏହି ଛୋଟିଆ କୋଠରୀଟିରେ । ରମେଶ ତାର କିଛି ନୁହେଁ ! କିନ୍ତୁ ପ୍ରଥମ ସାକ୍ଷାତରୁହିଁ ତାର ରମେଶ ପ୍ରତି ଆଯାଚିତ ସ୍ନେହ, ଭୟ ତ ଭକ୍ତି ସେ ଚାହେଁ ନାହିଁ । କୌଣସି କାରଣରୁ ରମେଶ ଭଳି ଶାନ୍ତି, ଶିଷ୍ଟ ଓ ନିର୍ମଳ ପ୍ରକୃତିର ମନରେ ଆଘାତ ଦେବାକୁ ନାହିଁ । ରମେଶର ମଳିନ ମୁହଁ ଦେଖିଲେ ଶାନ୍ତିର ମନ କାନ୍ଦି ଉଠେ । ତେଣୁ ସେ ରମେଶ ଇଚ୍ଛା ବିରୁଦ୍ଧରେ କୌଣସି କାମ କରିବାକୁ ଚାହେଁ ନାହିଁ । ଏଇ ମାସକ ଭିତରେ ଶାନ୍ତି ରମେଶର ରୁଚି ଅରୁଚି ସବୁତକ ଜାଣି ସାରିଲାଣି । ସେ କିନ୍ତୁ ନିଜ ବିଷୟରେ ବହୁତ କମ୍ କହିଛି ରମେଶକୁ । ରମେଶ ଜାଣିବାକୁ ଚେଷ୍ଟା ମଧ୍ୟ କରି ନାହିଁ । ଯେଉଁ ଦିନଟିଏ ସେ ତାର ପରିଚୟ ପଚାରି ଥିଲା, ତା ଆଖିରେ ଲୁହ ଦେଖି ସେତିକିରେ ଚୁପ୍ ରହିଗଲା ।

 

ରମେଶ ଦେବତା ପ୍ରକୃତିର ଲୋକ । ଅତି ସରଳ ବିଶ୍ୱାସୀ । ଟିକିଏ କଥାରେ ଅଭିମାନ, କୃତ୍ରିମ ରାଗ । ଗମ୍ଭୀର ହୋଇଯାଏ । କିନ୍ତୁ ଗମ୍ଭୀରତା ତା ପାଖରେ ବହୁତ ସମୟ ରହେ ନାହିଁ । ମୁହଁ ଫୁଲାଇ ଚାଲି ଯାଉଥିବ । ଘଣ୍ଟାଏ ପରେ ଆସି ନିଜେ କଥା ହେବ ଆଗ ଶାନ୍ତି ଭଲରୂପେ ଚିହ୍ନି ସାରିଥିଲା ରମେଶକୁ । ଏ ପନ୍ଦର ଦିନ ହେଲା ରମେଶର ମନ ମୋଟେ ଭଲ ନାହିଁ-। ଖାଲି ମନର କଥା ଘୋଡ଼ାଇ ରଖିବାକୁ ସେ ସର୍ବଦା ଚେଷ୍ଟା କରୁଛି । ଶାନ୍ତି ତାର ଅନ୍ୟ ମନସ୍କତା ମଧ୍ୟ ଲକ୍ଷ କରି ସାରିଲାଣି । ଅଧିକାଂଶ ସମୟରେ ସେ ଗମ୍ଭୀର ହୋଇ ବସି ରହେ । ଶାନ୍ତି ତାର ମନ ଭୁଲାଇବା ପାଇଁ ଯେତେ ପ୍ରକାର ଚେଷ୍ଟା କରେ କିଛି ଫଳ ହୁଏ ନାହିଁ । ବେଳେ ବେଳେ ବସି ବସି ହସେ । ଉଦାସ ହସ । ସେ ହସରେ ଶାନ୍ତି ଲକ୍ଷ କରେ ଏକ କରୁଣତାର ଚିହ୍ନ । କିନ୍ତୁ କଣ କରିବ ଶାନ୍ତି ।

 

ସେ ଯେ ପ୍ରିନ୍‍ସିପାଲଙ୍କୁ କଥା ଦେଇ ଦେଇଛି । ତାକୁ ଯିବାକୁ ହିଁ ପଡ଼ିବ । ନଗଲେ କଥାଟି indecent ହେବ । ସେ କାମରେ ଜଇନ୍ କରିବା ଦିନଠାରୁ ପ୍ରିନ୍‍ସିପାଲଙ୍କର ଅତି ପ୍ରିୟ-ପାତ୍ରୀ ହୋଇ ପଡ଼ିଛି । ନଗଲେ କାଳେ ସେ ଦୁଃଖ କରିବେ । ଖଟଟି ଉପରେ ବସି ଶାନ୍ତି ଭାବି ଚାଲିଥାଏ । ପ୍ରିନ୍‍ସିପାଲ ତାକୁ ନିଜର ଛୋଟ ଭଉଣୀ ବୋଲି ସ୍ନେହ କରନ୍ତି । ତାଙ୍କର ମନକଷ୍ଟ ହେବ । ଦୋନାବୁଡ଼ିଆ ହୋଇ ବସିଥାଏ ଶାନ୍ତି ।

 

ସେ କାହାକୁ ଦୋଷ ଦେଉ ନଥାଏ । ନିଜେହିଁ ଦୋଷୀ । ତାର ପ୍ରିନ୍‍ସିପାଲଙ୍କୁ କଥା ଦେବାର ନଥିଲା । ସେ କଥା ଦେଇ ବଡ଼ ଭୁଲଟିଏ କରି ଦେଇଛି । ରମେଶର ସ୍ନେହରେ ସେ ବାନ୍ଧି ହୋଇ ସାରିଲାଣି । ରମେଶର ମଳିନ ମୁହଁ ସେ ସହି ପାରେ ନାହିଁ । ସର୍ବଦା ସେ ଚାହେଁ ରମେଶ ହସୁ । ରମେଶ ଖୁସିରେ ରହୁ । ତା ହାତରେ ଯେତିକି ହେବ । ସେତିକି ସେ ଚେଷ୍ଟା କରେ ରମେଶକୁ ଖୁସି କରିବାକୁ ।

 

ସ୍ନେହ ଓ ମମତା ପାଖରେ ମଣିଷ ହାରିଯାଏ । ତା ମୁଣ୍ତ ପୋତି ହୋଇଯାଏ । ସ୍ନେହର ରଜ୍ଜୁ ଅତିଶକ୍ତ । ତାକୁ ଛିଣ୍ଡାଇ ଦେବା ସେତେଟା ସହଜ ନୁହେଁ । ଶାନ୍ତି ଭାବୁଥିଲା, ସେ କିପରି ଛିଣ୍ଡାଇ ଦେବ ରମେଶର ସ୍ନେହକୁ । ସେ କିପରି ଏତେଟା ନିଷ୍ଠୁରା ଓ ଅକୃତଜ୍ଞା ହୋଇ ପାରିବ । ମନଟି ତାର ହାହାକାର କରି ଉଠୁଥାଏ ।

 

ନା, ସେ ଯିବ, ନିଶ୍ଚୟ ଯିବ । ତାକୁ ଯିବାକୁହିଁ ପଡ଼ିବ । ନଗଲେ ପ୍ରିନ୍‍ସିପାଲ ରାଗି ଯିବେ । କଥା ଭଲ ହେବ ନାହିଁ । ସେ ପ୍ରତିଦିନ ଆସି ରମେଶକୁ ଦେଖି ଯାଉଥିବ । ଶାନ୍ତି ନିଜକୁ ସାନ୍ତ୍ଵନା ଦେଉଥାଏ ।

 

ଲାଇବ୍ରେରୀରେ ଏକା ବସିଛି ରମେଶ । ସାମନାରେ ଗୋଟିଏ ବହି ଖୋଲା ହୋଇ ପଡ଼ିଛି । ସେଥିପ୍ରତି ତାର ଦୃଷ୍ଟି ନାହିଁ । ସେ ସେ ଭାବି ଚାଲିଛି ଶାନ୍ତି ବିଷୟରେ । ଶାନ୍ତି ଆଜି ଚାଲିଯିବ । ପ୍ରିନ୍‍ସିପାଲଙ୍କ ଘରକୁ । ତାକୁ ସେ ଅଟକାଇବ କି ନାହିଁ ? ଏତେ ଦିନ ଶାନ୍ତି ସହିତ ରହିବା ଫଳରେ ସେ ନିଜ ଅଜଣାତରେ ଶାନ୍ତି ଆଡ଼କୁ ଢଳି ପଡ଼ିଥିଲା । ସେ ଚାହୁଁଥିଲା ଶାନ୍ତି ସହିତ ଏତେଟା intimacy ନ କରିବାକୁ । କିନ୍ତୁ ହେଇ ପାରିଲା ନାହିଁ । ସେ ଶାନ୍ତିଠାରୁ ଯେମିତି ଦୂରେଇ ଯିବାକୁ ଚେଷ୍ଟାକଲା, ତାଠାରୁ ସେତିକି ପାଖେଇଗଲା । ଶାନ୍ତି ତାର କିଏ ? କେହି ନୁହେଁ । ଏହା ପୂର୍ବରୁ ତ ସେ ତାକୁ କେବେ ଦେଖି ନଥିଲା । ତା ନାମ ମଧ୍ୟ ଶୁଣି ନଥିଲା । ତେବେ...ତେବେ ତା ପ୍ରତି ଏତେଟା ସ୍ନେହ କାହିଁକି । ଶାନ୍ତି କିଏ ? ତାର ପରିଚୟ କଣ ? କିଛି ତ ସେ ଜାଣେ ନାହିଁ । ଖାଲି ନିରାଶ୍ରୟା ହୋଇ ଆସି ପହଞ୍ଚିବାରୁ ଗୋଟିଏ ରାତ୍ରି ପାଇଁ ସେ ଦେଇଥିଲା ତାକୁ ତା ବସାରେ ସ୍ଥାନ । ଆଜି ଶାନ୍ତି ଚାଲିଯିବ । ତାର ଏକୁଟିଆ ଜୀବନରେ ଶାନ୍ତି ସୃଷ୍ଟି କରିଥିଲା କେତେ ଦିନ ପାଇଁ ଗୋଟିଏ ମୂର୍ଚ୍ଛନା । ରମେଶ ଭୁଲି ଯାଉଥିଲା ତାର ଅକ୍ଳାନ୍ତ ପରିଶ୍ରମର କଷ୍ଟ ଶାନ୍ତି ମୁହଁକୁ ଦେଖି । ଶାନ୍ତି ଦେଇଥିଲା ତାକୁ ଆଯାଚିତ ସ୍ନେହ ଓ ମମତା । ଆଉଥରେ ସେ ଏକା ରହିଯିବ ନିଜ କୋଠରୀରେ । ଶାନ୍ତି ଚାଲିଯିବ । ପୁନର୍ବାର ସେଇ ଏକୁଟିଆ ଯାଯାବର ଜୀବନ । ରମେଶ ଉଦାସ ହୋଇ ଯାଇଥିଲା । ଅନ୍ତରେ କୋହ ଓ ଚକ୍ଷୁରେ ଲୁହ ଦେଇ ସେ ବସିଥାଏ ଲାଇବ୍ରେରୀରେ । ଶାନ୍ତି ଯେଉଁଠାରେ ରହୁ ସହରରେ ତ ରହିବ । ମନକୁ ମନ ଆଶ୍ଵସ୍ଥ ହେଲା ରମେଶ ।

 

ଲାଇବ୍ରେରୀରୁ ଫେରି ରମେଶ ଦେଖିଲା ଶାନ୍ତି ପ୍ରସ୍ତୁତ ହୋଇ ବସିଛି । ଦୁହେଁ ଦୁହିଁଙ୍କୁ ନିରବରେ କିଛି ସମୟ ଚାହିଁ ରହିଲେ । ଦୁହିଁଙ୍କ ମୁହଁରେ ଫୁଟି ଉଠିଲା ଗୋଟିଏ ମଳିନ ହସ ।

 

ଗୋଟିଏ ଦୀର୍ଘ ନିଶ୍ଵାସ ଛାଡ଼ି ରମେଶ କହିଲା, “ତା ହେଲେ ଆଜି ଯାଉଛ ।”

 

ସେ ପୂର୍ବାପେକ୍ଷା ଟିକିଏ ଅଧିକା ମଳିନ ଦେଖା ଯାଉଥାଏ ।

 

“କାହିଁକି ? କଣ ହେଲା ? ଯଦି କହିବେ ତାହେଲେ ଆଜି ମଧ୍ୟ ଯିବି ନାହିଁ ।” ଦୀର୍ଘ ନିଶ୍ଵାସଟିଏ ଛାଡ଼ିଲା ଶାନ୍ତି—

 

ନା, ନା, ଯିବା ଲୋକକୁ କିଏ ଅଟକାଇ ପାରିବ । ତାପରେ ଯାହାକୁ ଡକା ଯାଇ ନଥିଲା, ତାକୁ ଅଟକାଇବାର କି ଅଧିକାର ଅଛି । ଆଛା ମୁଁ ଯାଉଛି ରିକ୍‍ସାଟିଏ ଡାକି ଆଣେ ।

 

ଶାନ୍ତିର ଉତ୍ତରକୁ ଅପେକ୍ଷା ନକରି ରମେଶ ଚାଲିଗଲା ବାହାରକୁ ।

 

ରମେଶର ବସାଠାର ପ୍ରିନ୍‍ସିପାଲଙ୍କ ଘରଟି ପ୍ରାୟ ମାଇଲିଏ ଦୂରରେ । କିଛି ସମୟ ପରେ ରିକ୍‍ସା ଆସି ଠିଆ ହେଲା ପ୍ରିନ୍‍ସିପାଲଙ୍କ ଘର ସାମାନାରେ । ପ୍ରିନ୍‍ସିପାଲଙ୍କ ଘର ଚାରିପଟେ ବାଉଣ୍ଡରି । ବାଉଣ୍ଡରି ଭିତରେ ଠିକ୍ ଘର ସାମାନାରେ ଗୋଟିଏ ବିରାଟ ଫୁଲ ବଗିଚା । ଘର ପଛପଟେ କେତୋଟି ଭଣ୍ଡା ଓ କଦଳୀ ଗଛ ।

 

ପ୍ରିନ୍‍ସିପାଲ, ଆଶାଲତା ଦେବୀ ସାମନା ଲନ୍‍ରେ ବସି ଖବର କାଗଜ ପଢ଼ୁଥିଲେ । ତାଙ୍କ ପାଖ ଚୌକିରେ ବସିଥାନ୍ତି ଜଣେ ଅର୍ଦ୍ଧ ବୟସ୍କ ଭଦ୍ରଲୋକ । ବୋଧହୁଏ ଆଶାଲତା ଦେବୀଙ୍କ ସ୍ୱାମୀ । ଦେଖିବାକୁ ଖୁସି ମିଜାଜର ପରି ଜଣା ପଡ଼ୁଥାନ୍ତି ।

 

ରମେଶ ଓ ଶାନ୍ତିକୁ ଦେଖୁ ଦେଖୁ ଫାଟକ ପାଖରେ ବନ୍ଧା ହୋଇଥିବା ଏଲସେସଆନ୍ କୁକୁରଟି ଭୁକି ଉଠିଲା । ଆଶାଲତା ଦେବୀ ରମେଶ ଓ ଶାନ୍ତିକୁ ହସ ହସ ମୁହଁରେ ସ୍ୱାଗତ ଜଣାଇଲେ । ଶାନ୍ତିର ମନେ ହେଲା ଯେପରି କି ସେ ନିଜ ଘରେ ଆସି ପହଞ୍ଚିଲା । ଚାକର ପ୍ରଥମରୁ ଦୁଇଟି ଚୌକି ଆଣି ପକାଇ ଦେଇଥାଏ । ଆଶାଲତା ଦେବୀ ଏମାନଙ୍କୁ ବସିବାକୁ ଇଙ୍ଗିତ ଦେଲେ ।

 

ତା ହେଲେ, ଏତେ ଦିନ ପରେ ଆଜି ଆସି ପହଞ୍ଚିଲେ । ଶାନ୍ତି ଚୌକିରେ ବସୁ ବସୁ କହିଲେ ଆଶାଲତା ଦେବୀ ।

 

ଆଜ୍ଞା....

 

ଚାହାପିଇ ସାରିବା ପରେ ତୁମକୁ ତୁମର କୋଠରୀଟି ଦେଖାଇ ଦେବି ।

 

ହଁ, ବର୍ତ୍ତମାନ ମୁଁ ଆପଣଙ୍କୁ ଏ ଦୁହିଁଙ୍କ ସହିତ ପରିଚୟ କରାଇଦିଏ । ସେ ଅର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କୁ ଲକ୍ଷ କରି କହିଲେ ।

 

ଏ ହେଉଛନ୍ତି Mr. ରମେଶ ଦାସ । ରିସର୍ଚସ୍କଲାର ଆଉ ଇଏ ଶାନ୍ତିଲତା ଦେବୀ, ଆମ କଲେଜର ରାଜନୀତି ବିଜ୍ଞାନର ନୂଆ ଅଧ୍ୟାପିକା ।

 

ଆଉ ଏ ମୋର....ଅର୍ଦ୍ଧ ବୟସ୍କା ଆଶାଲତା ଦେବୀଙ୍କ ମୁହଁରେ କ୍ଷୀଣ ହାସ୍ୟରେଖା ଫୁଟି ଉଠିଲା ।

 

ରମେଶ ଓ ଶାନ୍ତି ତାଙ୍କୁ ନମସ୍କାର କଲେ ।

 

ସେତେବେଳେ ଚାକର ଟ୍ରେରେ ଚାହା ନେଇ ଆସି ପହଞ୍ଚିଲା । ନିଜେ ଆଶାଲତା ଦେବୀ କପ୍‍ରେ ଚାହା ଡାଳି ସମସ୍ତଙ୍କୁ ବଢ଼ାଇ ଦେଲେ ।

 

ଚାହାପିଆ ଶେଷ ହେଲା ପରେ ଶାନ୍ତି, ରମେଶ ଓ ଆଶାଲତା ଦେବୀ ଉଠି ପଡ଼ିଲେ କୋଠରୀଟି ଦେଖିବା ଉଦ୍ଦେଶ୍ୟରେ । କିନ୍ତୁ କୈଳାସ ବାବୁ (ଆଶାଲତା ଦେବୀଙ୍କ ସ୍ୱାମୀ) ସେଠାରେ ବସି ରହିଲେ । ସେ ଏକ ଦୃଷ୍ଟିରର ଚାହିଁ ରହିଥିଲେ ଶାନ୍ତିକୁ ।

 

ରମେଶକୁ ତାଙ୍କର ଏ ବ୍ୟବହାର ଭଲ ଲାଗୁ ନଥାଏ । ତଥାପି ସେ ଭଦ୍ରତା ଖାତିରିରେ କିଛି କହିଲା ନାହିଁ ।

 

ଖୁବ୍ ସୁନ୍ଦର କୋଠରୀଟିଏ ଆଶାଲତା ଦେବୀ ଠିକ୍ କରିଥିଲେ ଶାନ୍ତି ସକାଶେ । କୋଠରୀଟିକୁ ଲାଗି ବାଥ୍‍ରୁମ ଓ ଲେଟ୍ରିନ୍‍ । କୋଠରୀଟି ଖୁବ୍ ପ୍ରଶସ୍ତ । ଭିତରେ ଦୁଇ, ତିନୋଟି ଚୌକି ଓ ଗୋଟିଏ ଖଟ ପଡ଼ିବା ସତ୍ଵେ ଅନେକ ସ୍ଥାନ ଖାଲି ପଡ଼ିଥାଏ ।

 

କିପରି ଅଛି...... ? ଆଶାଲତା ଦେବୀ ପଚାରିଲେ ଠିକ୍ ତ ଅଛି..... ଶାନ୍ତି, ରମେଶକୁ ଚାହିଁଲା । ସେ ରମେଶର ମତ ଚାହୁଁଥାଏ । ରମେଶ କିଛି ନକହି ଚୁପ୍ ରହିଲା ।

 

ଚାକର ଜିନିଷ ପତ୍ର ଆଣି ଭିତରେ ରଖି ଦେଲା । ଖାଇବା ବ୍ୟବସ୍ଥା କେଉଁଠି ହେବ ? ରମେଶ ପଚାରିଲା ଶାନ୍ତିକୁ ।

 

ନିଜେ ରାନ୍ଧି ଦେବି ।

 

ଏତେଟା କଷ୍ଟ କରିବା କି ଦରକାର । ମୋର ତ ଚାକରାଣୀ ଅଛି । ସେ ରାନ୍ଧି ଦେଉଥିବ । ଆଶାଲତା ଦେବୀ କହିଲେ । ନା, ନା, ମୁଁ ଆପଣଙ୍କ ଉପରେ ଆଉ ଅଧିକ ବୋଝ ଦେବାକୁ ଚାହୁ ନାହିଁ । ମୋ ସକାଶେ ଆପଣ ଯାହା କରିଛନ୍ତି ସେତିକି ଯଥେଷ୍ଟ ।

 

ଆଶାଲତା ଦେବୀ କଥାରେ ଆଉ ଅଧିକା ଜୋର ଦେଲେ ନାହିଁ ।

 

ସେ ଫେରି ଗଲେ ତାଙ୍କ ସ୍ଵାମୀ ନିକଟକୁ ।

 

ଶାନ୍ତି.....ରମେଶ ଡାକିଲା ।

 

ଉଁ......

 

ତା ହେଲେ ତୁମେ ଏଠାରେ ରହିବ ?

 

ହଁ......

 

ରହି ପାରିବ ତ ?

 

“........” ଶାନ୍ତି କିଛି କହିଲା ନାହିଁ ।

ରନ୍ଧା ସକାଶେ ଯାହା ଜିନିଷ ଦରକାର ଗୋଟିଏ ଲିଷ୍ଟ କରି ଦିଅ ନେଇ ଆସିବି ।

ଲିଷ୍ଟ କାଲି କରିବା..... ଆଜି ଚାଲନ୍ତୁ ଆପଣଙ୍କ ମେସରେ ହିଁ......

ତା ହେଲେ ଚାଲ.....

କୋଠରୀଟିରେ ତାଲା ଦେଇ ଶାନ୍ତି ବାହାରି ଆସିଲା । ଆଶାଲତା ଦେବୀ ଓ କୈଳାସ ବାବୁ ଲନରେ ବସିଥାନ୍ତି । ଏମାନଙ୍କୁ ବାହାରିବା ଦେଖି ଆଶାଲତା ଦେବୀ ପଚାରିଲେ । କୁଆଡ଼େ ବାହାରିଲ ?

ଆଜ୍ଞା........ ଆମେ ଟିକିଏ ମେସ୍‍କୁ ଯାଉଛୁ । ଘଣ୍ଟାଏ ପରେ ଫେରିବୁ ।

ଆଚ୍ଛା......... ଆଚ୍ଛା......ଟିକିଏ ଚଞ୍ଚଳ ଫେରି ଆସିବ ।

ଦୁହେଁ ଗେଟ୍ ବନ୍ଦ କରି ବାହାରକୁ ଆସିଲେ ।

ନିରବରେ ଚଳୁଥାନ୍ତି ଦୁହେଁ । ରାସ୍ତାଟି ପ୍ରାୟ ଜନଶୂନ୍ୟ । ସନ୍ଧ୍ୟା ହୋଇ ଆସୁଥାଏ । ଦୁହିଁଙ୍କର ମନରେ ସୁଖ ନାହିଁ । ମଝି ମଝିରେ ଦୁହେଁ ଦୁହିଁଙ୍କୁ ଦେଖି ନେଉଥାନ୍ତି । ରମେଶ ଭାବୁଥାଏ ଶାନ୍ତି କିପରି ରହିବ ଏକା । କୈଳାସ ବାବୁଙ୍କ ବ୍ୟବହାର ତାକୁ ସେତେଟା ଭଲ ଲାଗିଲା ନାହିଁ । କିଛି ସମୟ ଚୁପ୍ ହୋଇ ଚାଲିଲା ପରେ ରମେଶ ଡାକିଲା ଶାନ୍ତି...

ଉଁ...

ଗୋଟିଏ କଥା କହିବି ?

କଣ... ?

କିନ୍ତୁ ଖରାପ ଭାବିବ ନାହିଁ...

ଭାବିବି କାହିଁକି ? କହନ୍ତୁ......

ମତେ କାହିଁକି ଏ କୈଳାସ ବାବୁଙ୍କ ବ୍ୟବହାର କିଛି ଭଲ ଲାଗୁନାହିଁ । ଟିକିଏ ଜାଗ୍ରତରେ ରହିବ ।

ଶାନ୍ତି କିଛି କହିଲା ନାହିଁ । ତାର ଆଖି ଦୁଇଟି ଲୁହରେ ଭରିଗଲା ।

ସେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲା ରମେଶର ମୁହଁକୁ । ଚାଲ ରିକ୍‍ସାରେ ଯିବା । ଚାଲିବାକୁ ମୋଟେ ଭଲ ଲାଗୁନାହିଁ । ରମେଶ କଥାର ମୋଡ଼ ବଦଳାଇଲା ।

ଚାଲନ୍ତୁ...

ରମେଶ ଗୋଟିଏ ରିକ୍‍ସା ଅଟକାଇଲା । ଦୁହେଁ ବସି ପଡ଼ିଲେ ।

 

ଏ ମଧ୍ୟରେ ଶାନ୍ତିର ପ୍ରିନସିପାଲଙ୍କ ଘରେ ରହିବା ଅନେକ ଦିନ ହୋଇ ଗଲାଣି । ସେ ଆସ୍ତେ ଆସ୍ତେ ନୂତନ ପରିସ୍ଥିତି ସହିତ ନିଜକୁ ମିଶାଇ ଦେବାକୁ ଚାହୁଁଥାଏ । ବାହାରକୁ ତାର କୌଣସି ଅସୁବିଧା ନାହିଁ । ସବୁ ଜିନିଷ ଠିକ୍ ଥାଏ । କିନ୍ତୁ ଭିତରେ ସେ କୌଣସି ଗୋଟିଏ ଜିନିଷର ଅଭାବ ଅନୁଭବ କରୁଥାଏ ।

 

କିପରି ଗୋଟିଏ ଖାପ ଛଡ଼ା ଲାଗୁଥାଏ ତାକୁ । ଖାଲି ମେସିନ୍ ଭଳି କାମ କରି ଚାଲିଥାଏ । ସେ ଆନନ୍ଦ ଓ ସ୍ଫୁର୍ତ୍ତି ନାହିଁ ମନରେ । ଅଧିକାଂଶ ସମୟରେ ଶାନ୍ତି କୋଠରୀଟିରେ ବସି କଣ ଯେପରି ଭାବେ । ମନର ଅକୁହା କଥା ଖାଲି ବାହାରକୁ ବାହାରିଯାଏ ଦୀର୍ଘ ନିଶ୍ଵାସରେ ।

 

ଆଜିକି ତିନି ସପ୍ତାହ ହେଲା ରମେଶ ଆସିନାହିଁ । କୌଣସି ଖବର ମଧ୍ୟ ଦେଇ ନାହିଁ ସେ । କଣ ହେଲା ତାର । ସେ ତ ପ୍ରାୟ ପ୍ରତିଦିନ ଆସନ୍ତି । କଣ ଆଉ ସହରରେ ନାହାନ୍ତି । କୁଆଡ଼େ ଯିବାର ଥିଲେ ତ ସେ ନିଶ୍ଚୟ କହି ଯାଇଥାନ୍ତେ । ଶାନ୍ତିର ମନ ଭଲ ଲାଗୁନଥାଏ । କେତେ ରକମର ଦୁଶ୍ଚିନ୍ତାରେ ପୂର୍ଣ୍ଣ ତାର ମନ । କଣ ଆଉ ତାଙ୍କର ଦେହ ଭଲ ନାହିଁ । ଦେହ ଭଲ ନଥିଲେ ମଧ୍ୟ ତ ଶିଶିର ବାବୁ ଆସି କହି ଯାଇଥାନ୍ତେ । ନା, ନା, ତାଙ୍କୁ କିଛି ନହେଉ । କାହିଁକି ତା ମୁଣ୍ଡରେ ଏତୋଟା ଦୁଶ୍ଚିନ୍ତା ।

 

ରମେଶ କଥା ଭାବି ଭାବି ଖଟ ଉପରେ ଶୋଇଥିଲା ଶାନ୍ତି । କାର୍ଯ୍ୟ ବଶତଃ ସେ ମଧ୍ୟ ଯାଇ ପାରିନାହିଁ ରମେଶ ବସାକୁ, କଣ ଭାବୁଥିଲେ ସେ । ଶାନ୍ତି ସ୍ୱାର୍ଥପର । ନିଜର କାମ ଶେଷ ହୋଇଗଲା । ତେଣୁ ମୁହଁ ମଧ୍ୟ ଦେଖାଉ ନାହିଁ ।

 

ଭାବୁ ଭାବୁ ସେ ଠିକ୍ କଲା ରମେଶ ବସାକୁ ଯିବ । ତାକୁ କ୍ଷମା ମାଗି ନେବ । ହଠାତ୍ ତାର ଭାବନାରେ ବାଧା ପଡ଼ିଲା । କୈଳାସ ବାବୁ ତାର କବାଟ ପାଖରେ ଠିଆ ହୋଇ ପଚାରିଲେ–କଣ କରୁଛ ଶାନ୍ତି ।

 

ଆଜ୍ଞା...ଶାନ୍ତି ଚମକି ପଡ଼ିଲା । ଲାଜରା ହୋଇ ଖଟରେ ବସି ତାର ଦେହର ଲୁଗା ସଜାଡ଼ି ନେଲା ।

 

ଆରେ, ତୁମେ ଏତୋଟା ବ୍ୟସ୍ତ କାହିଁକି ହେଉଛ ? ହସି ହସି କହିଲେ କୈଳାସ ବାବୁ ।

 

କହନ୍ତୁ, ଆଜି ଆପଣ କିପରି ଅପ୍ରତ୍ୟାଶିତ ଭାବରେ.....ଖଟ ଉପରୁ ଉଠୁ ଉଠୁ ଶାନ୍ତି ପଚାରିଲା ।

 

ସେତେବେଳକୁ କୈଳାସ ବାବୁ କୋଠରୀ ଭିତରକୁ ଆସି ସାରିଥିଲେ ।

 

ବସ, ବସ, ଉଠିଲ କାହିଁକି ?

 

ଶାନ୍ତି ସେପରି ଠିଆ ହୋଇଥାଏ ।

 

କୈଳାସ ବାବୁ ଶାନ୍ତିର ହାତ ଧରି ତାକୁ ଖଟରେ ବସିବାକୁ ବାଧ୍ୟ କଲେ ।

 

କୈଳାସ ବାବୁଙ୍କ ଏପରି ବ୍ୟବହାରରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥାଏ ।

 

ତାଙ୍କ ହାତରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟାକରି ସେ କହିଲା ଛାଡ଼ନ୍ତୁ, ଆପଣ ଏକଣ କରୁଛନ୍ତି ।

 

ଛାଡ଼ିଦେବି.....କୈଳାସ ବାବୁଙ୍କ ପାଟି ଶୁଣି ଶାନ୍ତି ଚମକି ପଡ଼ିଲା । କୈଳାସ ବାବୁଙ୍କ ଆଖିରେ କାମୁକତାର କକ୍ଷ ।

 

ତାର ହାତ ଛାଡ଼ିବା ପରିବର୍ତ୍ତେ ସେ ତାକୁ, ତାଙ୍କରି ଆଡ଼କୁ ଭିଡ଼ି ନେଲେ ।

 

ଛାଡ଼ ମତେ, ନୀଚ । ଶାନ୍ତି ନିଜକୁ ତାଙ୍କ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁ କରୁ ପାଟି କଲା ।

 

କିନ୍ତୁ କୈଳାସ ବାବୁ ତାକୁ ଛାଡ଼ୁ ନଥାନ୍ତି ।

 

ତାଙ୍କର ଅତ୍ୟାଚାର ସୀମା ଲଙ୍ଘନ କରିବାକୁ ଯାଉଥିଲା । ହଠାତ୍ ତାଙ୍କ ଦୃଷ୍ଟି ପଡ଼ିଲା ଦରଜା ଉପରେ ।

 

ଲଜ୍ୟାରେ ସେ ମସ୍ତକ ଅବନତ କଲେ ।

 

ଦ୍ୱାର ନିକଟରେ ଠିଆ ହୋଇଥିଲେ ଆଶାଲତା ଦେବୀ । ଭୟଭୀତ ହରିଣୀ ଭଳି କୋଠରୀର ଗୋଟିଏ କୋଣରେ ଠିଆ ହୋଇ ଶାନ୍ତି କାନ୍ଦୁଥାଏ ।

 

ଆଶାଲତା ଦେବୀଙ୍କ ଚକ୍ଷୁରୁ ଅଗ୍ନିସ୍ରୋତ ନିର୍ଗତ ହେଉଥାଏ ।

 

ସେ ଗର୍ଜି ଉଠିଲେ, “ଆପଣ ଏତେ ନୀଚ ହୋଇ ପାରିବେ ମୁଁ କଳ୍ପନା ସୁଦ୍ଧା କରି ନଥିଲି......ଛି ମନୁଷ୍ୟ ମନରେ ଏତେ ଆବିଳତା....ଭଦ୍ରମୁଖା ପିନ୍ଧି ଆପଣ ଏତେ ଅଭଦ୍ର......କି ଲଜ୍ୟାର କଥା । ମୁଁ ଯଦି ଠିକ୍ ସମୟରେ ପହଞ୍ଚି ନଥାନ୍ତି ତାହେଲେ.....ରାଗରେ ସେ ଆଉ କିଛି କହି ପାରିଲେ ନାହିଁ ।

 

କୈଳାସ ବାବୁଙ୍କ ପାଟିରେ ଭାଷା ନଥାଏ । ଅନୁତାପାଗ୍ନିରେ ପଳ ପଳ କରି ଦଗ୍ଧ ହୋଇ ଯାଉଥିଲେ ସେ ନିଜର କୃତକର୍ମ ପାଇଁ.....

 

ଆଶାଲତା ଦେବୀ ଶାନ୍ତିକୁ ନିଜ ପଛରେ ଯିବା ପାଇଁ ଇଙ୍ଗିତ ଦେଇ, ଚାକର ହାତରେ ତାର ଜିନିଷତକ ନେଇ ନିଜ କୋଠରୀରେ ରଖାଇ ଦେଲେ ।

 

ଚାକର ବିଚରା ଏ ହଠାତ୍ ପରିବର୍ତ୍ତନର କିଛି ବୁଝି ପାରୁ ନଥାଏ ।

 

ଶାନ୍ତି ଖାଲି ଭାବୁ ଥାଏ ରମେଶ କଥା । ଏତେ ଦିନ ଧରି ସେ ରମେଶ ପାଖରେ ରହିଥିଲା କିନ୍ତୁ ଭୁଲରେ ସୁଦ୍ଧା ଦିନେ ତାଙ୍କ ଠାରୁ ଏପରି କଦର୍ଯ୍ୟ ବ୍ୟବହାର ପାଇନି । ରମେଶ ଗୋଟିଏ ଦେବତା । ପୁନର୍ବାର ରମେଶ ପାଖକୁ ଫେରିଯିବାକୁ ତାର ଇଚ୍ଛା ହେଲା ।

 

ସେ ଆଗରୁ ଠିକ୍ କରିଥିଲା ରମେଶ ପାଖକୁ ଯିବ ବୋଲି । ତେଣୁ ଲୁଗା ବଦଳାଇବାରେ ଲାଗି ପଡ଼ିଲା ।

 

ଆଶାଲତା ଦେବୀ, ଶାନ୍ତିକୁ କୁଆଡ଼େ ଯିବା ସକାଶେ ପ୍ରସ୍ତୁତ ହେଉଥିବା ଦେଖି ପଚାରିଲେ କୁଆଡ଼େ ଯିବ ଶାନ୍ତି ? କଣ ଚାହା ପିଇବ ନାହିଁ ।

 

ବର୍ତ୍ତମାନ ଚାହା ପିଇବାକୁ ଭଲ ଲାଗୁନାହିଁ । ବଜାରରେ ଟିକିଏ କାମ ଅଛି ।

 

ରମେଶ ପାଖକୁ ଯାଉଛି ବୋଲି ଶାନ୍ତି କହିଲା ନାହିଁ ।

 

କଣ ଦରକାର କହ । ଚାକର ହାତରେ ମଗାଇ ଦେବା ।

 

Unknown

ଆଜ୍ଞା, ଖଣ୍ଡିଏ ଶାଢ଼ି କିଣିବାର ଅଛି । ତେଣୁ ନିଜେ ଯାଇ କିଣି ଆଣିବି ବୋଲି ଭାବୁଛି ।

 

ତାହେଲେ ଚାଲ ସାଥିରେ ଯିବା ।

 

ହଉ ଆସ ଆଗ ଟିକିଏ ଚାହାପିଇ ଦେଇ ଯିବା । ସେ ଶାନ୍ତିର ହାତ ଧରି ଲନ୍ ଆଡ଼େ ନେଇ ଗଲେ ।

 

ଶାନ୍ତି ବଡ଼ ଅସୁବିଧାରେ ପଡ଼ିଲା । ତାର ଶାଢ଼ି କିଣିବାର ମୋଟେ ଇଚ୍ଛା ନଥାଏ । ସେ ରମେଶ ପାଖକୁ ଯିବାକୁ ଖାଲି ବାହାନା କରୁଥିଲା । କିନ୍ତୁ ଆଜି ରମେଶ ବାବୁଙ୍କ ସହିତ ଦେଖା ହୋଇ ପାରିବ ନାହିଁ । ପ୍ରିନସିପାଲ ତାକୁ ଏକା ଛାଡ଼ିବାକୁ ନାରାଜ । କିନ୍ତୁ ସେ ରମେଶ ବାବୁଙ୍କୁ ନ ଦେଖି ବହୁତ ଦିନ ହୋଇ ଗଲାଣି ।

 

ଆଜି ମଧ୍ୟ ନଗଲେ ସେ ନିଶ୍ଚୟ ଭାବିବେ ଶାନ୍ତି ସ୍ଵାର୍ଥପର—ମୋଟେ ଦେଖା ଦେଉନାହିଁ । କିନ୍ତୁ ତାଙ୍କର ତ ମଧ୍ୟ ଏଠାକୁ ଆସିବାର ଥିଲା । ମୁଁ ତ ଏଠାରେ କଲେଜ ଘଣ୍ଟାତକ ଛାଡ଼ି ବାକି ସମୟରେ ରହେ ବୋଲି ସେ ଜାଣନ୍ତି । କିନ୍ତୁ ତାଙ୍କର ବସାରେ ଆଶାଲତା ଦେବୀ, ଶାନ୍ତିକୁ କୁଆଡ଼େ ଯିବା ରହିବା କୌଣସି ଠିକ୍ ନାହିଁ । କେତେବେଳେ ଥିବେ ତ କେତେବେଳେ ନାହିଁ । ସେ କିପରି ଜାଣିବ ତାଙ୍କର Timign ଭାବୁ ଭାବୁ ରମେଶ ଉପରେ ରାଗି ଯାଉଥିଲା ଶାନ୍ତି ।

 

ଏଇ ରମେଶ ବାବୁ । ସେ ତ ତାର କିଛି ନୁହନ୍ତି । ସେ ପର । ତଥାପି ମୋ ପ୍ରତି ତାଙ୍କର କେତୋଟା ସ୍ନେହ । ପ୍ରିନ୍‍ସିପାଲ ସେ ବି ତ ପର । କିନ୍ତୁ ତାକୁ ଝିଅ ଭଳି ସ୍ନେହ କରନ୍ତି...ହଠାତ୍ ତାର ଭାବନାରେ ବାଧା ପଡ଼ିଲା ।

 

ଚାକର ଟ୍ରେରେ ଚାହା ଆଣି ରଖି ଦେଲା ।

 

କୈଳାଶ ବାବୁ ସେଠାରେ ନଥିଲେ । ଆଶାଲତା ଦେବୀ ତାଙ୍କୁ ଡକାଇଲେ ନାହିଁ ମଧ୍ୟ । ସେ ଶାନ୍ତିର ମନ ଖରାପ କରିବାକୁ ଚାହୁଁ ନଥିଲେ ।

 

କିଛି ସମୟ ପରେ ଆଶାଲତା ଦେବୀ ଓ ଶାନ୍ତି ଯାଇ ଗୋଟିଏ ରିକ୍‍ସାରେ ବସିଲେ । ରିକ୍‍ସା ଚାଲୁଥାଏ । ଶାନ୍ତି ନିଜ ଭାବନରେ ମଗ୍ନ । ଆଶାଲତା ଦେବୀ ନିଜ ଡାଇରିଟି ଓଲଟାଉ ଓଲଟାଉ ସେ ହଠାତ୍ ପାଟି କରି ଉଠିଲେ । ଆରେ...

 

ତାଙ୍କ ପାଟି ଶୁଣି ଶାନ୍ତି ପଚାରିଲା, କୌଣସି ଜିନିଷ ଛାଡ଼ି ଆସିଲେ ?

 

ନା, ନା, ମୁଁ ତ ଗୋଟିଏ କଥା ପୁରାପୁରି ଭୁଲି ଯାଇଥିଲି ।

 

କଣ... ?

 

ସାଢ଼େ ଛ’ ଟାରେ ମେନେଜିଂ କମିଟିର ଗୋଟିଏ ମିଟିଙ୍ଗ୍ ଅଛି ।

 

ଶାନ୍ତି ଘଡ଼ି ଦେଖି କହିଲା ସେଥିରେ ବ୍ୟସ୍ତ ହେବାର କଣ ଅଛି । ବର୍ତ୍ତମାନ ତ ସାଢ଼େ ପାଞ୍ଚ ବାଜିଛି । ଆପଣ ଚାଲି ଯାଆନ୍ତୁ ।

 

‘I am very sorry dear girl’ ଶାନ୍ତିର ପିଠିରେ ହାତ ବୁଲାଇ କହିଲେ ଆଶାଲତା ଦେବୀ, ‘ତୁମେ ଯାଅ ଲୁଗା ନେଇ ଆସିବ ।’

 

ଦେଖାଯାଉ ମନକୁ ପାଇଲେ କିଣିବି...ନଚେତ୍ ଆସନ୍ତାକାଲି ଆପଣଙ୍କ ସହିତ ଯାଇ କିଣି ନେବି ।

 

ପ୍ରିନସିପାଲ ରିକ୍‍ସା ବନ୍ଦ କରିବାକୁ କହିଲେ ।

 

ରିକ୍‍ସା ବନ୍ଦ ହେଉ ହେଉ ଅନ୍ୟ ଗୋଟିଏ ଖାଲି ରିକ୍‍ସା ଡାକି ସେଥିରେ ସେ ବସି ପଡ଼ିଲେ ।

 

ଶାନ୍ତି ରିକ୍‍ସାବାଲାକୁ ରମେଶ ବସା ଦିଗରେ ଯାଉଥିବା ରାସ୍ତାରେ ଯିବାକୁ ଇଙ୍ଗିତ ଦେଲା ।

 

ଯାଉ ଯାଉ ଶାନ୍ତି ଭାବୁଥାଏ ଆଜି ସେ ରମେଶ ସହିତ କଥା କହିବ ନାହିଁ, ଅଭିମାନ କରିବ । କିନ୍ତୁ ରମେଶ ଆଗରେ ଅଭିମାନ କରିବାକୁ ସେ ତାର କିଏ । ରମେଶ ତ ପର । ଏତେ ବଡ଼ ଦୁନିଆରେ ନିଜର ବୋଲି କହିବାକୁ ତା ମା ଛଡ଼ା ତାର ଆଉ କେହି ନାହାଁନ୍ତି । ଥିଲେ ଜଣେ......ଭାବୁ ଭାବୁ ଶାନ୍ତି ଆଖିରୁ ଦୁଇଧାର ଲୁହ ବୋହିଗଲା ।

 

କିନ୍ତୁ ପରିସ୍ଥିତି ଦେଖି ସେ ଲୁହ ପୋଛି ନେଲା । ସେ ଭାବୁଥାଏ ଆଜି ଯାହା ଘଟିଗଲା ତାକୁ ରମେଶ ଆଗରେ କହିଦେବ । ରମେଶ ତ ସେଇଆ ଆଗରୁ ସନ୍ଦେହ କରିଥିଲା । କିନ୍ତୁ ରମେଶ ଟିକିଏ ସହାନୁଭୂତି ଦେଖାଇବା ଛଡ଼ା ଆଉ ଅଧିକା କଣ କରିବ । ସେ ରମେଶର କିଏ କି....

 

ଚିନ୍ତାଧାରାର ବାଧା ଦେଇ ରିକ୍‍ସାବାଲା ଡାକି ଉଠିଲା—କେଉଁ ଘର ମାଁ ?

 

ଶାନ୍ତି ଆଙ୍ଗୁଠି ଦେଖାଇ ନିର୍ଦ୍ଦେଶ ଦେଲା । ରିକ୍‍ସା ଯାଇ ଠିଆ ହେଲା ରମେଶ ଘର ସାମନାରେ । କିନ୍ତୁ କବାଟ ଉପରେ ଦୃଷ୍ଟି ପଡ଼ୁ ପଡ଼ୁ ସେ ନିରାଶ ହୋଇଗଲା । ରମେଶ ଘରେ ନାହିଁ । ବାହାରୁ ତାଲା ପଡ଼ିଛି । ଯାହାକୁ ସେ ନିଜର ଆତ୍ମିୟ ଭାବିଥିଲା ସେ ମଧ୍ୟ ନାହିଁ । ଶାନ୍ତିର ମନନୈରାଶ୍ୟରେ ପୁରିଗଲା । ଚକ୍ଷୁ ଛଳ ଛଳ ହୋଇ ଉଠିଲା ।

 

ରିକ୍‍ସା ଫେରାଇବାକୁ କହିଲା ଶାନ୍ତି ।

 

ଏହା ଭିତରେ ଆଉ କେତୋଟି ଦିନ କଟି ଯାଇଥାଏ । ଶାନ୍ତି ଏତେ ଅଳ୍ପ ଦିନ ଭିତରେ କଲେଜରେ ବହୁତ ନାମ କରିଛି । କଲେଜର ବାର୍ଷିକ ଉତ୍ସବ ପାଖେଇ ଆସୁଥାଏ । ପ୍ରଧାନ ଅତିଥି ରୂପେ ଆସୁଥାନ୍ତି ଶିକ୍ଷା ମନ୍ତ୍ରୀ । ତେଣୁ ବାର୍ଷିକ ଉତ୍ସବ ଉପଲକ୍ଷେ ଅଧ୍ୟାପିକାମାନେ ଗୋଟିଏ ଡ୍ରାମା ଖେଳିବାର ଆୟୋଜନ ହେଉଥାଏ । ନିର୍ଦ୍ଦେଶନା ଭାର ପଡ଼ିଥାଏ ଶାନ୍ତି ଉପରେ ।

 

ଶାନ୍ତି ମଧ୍ୟ ବଡ଼ ଉତ୍ସାହରେ ଲାଗି ପଡ଼ିଥାଏ । ସଂଳାପର Interpretation କୋପରି ଭଲ ହେବ ସେଥି ସକାଶେ ଥରକୁ ଥର ସଂଳାପର ପୁନରାବୃତ୍ତି କରିବାକୁ ପଡ଼ୁଥାଏ । ଶାନ୍ତିମଧ୍ୟ ଗୋଟିଏ ରୋଲ୍ ନେଇଥାଏ । ଷ୍ଟେଜ ତିଆରି ଆଗରୁ ଶେଷ ହୋଇ ଯାଇଛି । ଆଜି ରିହରସଲ୍‍ର ପ୍ରଥମ ଦିନ । ଅନ୍ୟ ସବୁ ଅଧ୍ୟାପିକାମାନେ ଯେ ଯାହାରୁ ପାର୍ଟ ମୁଖସ୍ଥ କରିବାରେ ବ୍ୟସ୍ତ ।

 

ରିହରସଲ୍ ଆରମ୍ଭ ହେଲା । ଯେଉଁଠାରେ ଭୁଲ୍‍ ହେଉଥାଏ ଶାନ୍ତି ତାର ପୁନରାବୃତ୍ତି କରାଉଥାଏ । ଶେଷରେ ତାର ନିଜର ରୋଲ ଆସି ପହଞ୍ଚିଲା । ତାକୁ ଅଭିନୟ କରିବାକୁ ପଡ଼ିବ ଗୋଟିଏ ପ୍ରଣୟ ଦୃଶ୍ୟ । ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ବିଚ୍ଛେଦ । ଶକୁନ୍ତଳାଙ୍କୁ ଛାଡ଼ି ଦୁଷ୍ମନ୍ତ ଚାଲି ଯାଉଛନ୍ତି । ଶକୁନ୍ତଳାଙ୍କ ହୃଦୟ କାନ୍ଦିଉଠୁଛି ଆଶ୍ରମର ଅନ୍ୟ ସକ୍ଷୀମାନେ ମଧ୍ୟ କ୍ରନ୍ଦନରତା-ଶକୁନ୍ତଳାଙ୍କର ବିଛେଦରେ ଦୁଃଖିତ ହୋଇ ଯେପରିକି ଆଶ୍ରମର ବୃକ୍ଷଲତା ଗୁଡ଼ିକ ମଧ୍ୟ ସମବେଦନା ଜ୍ଞାପନ କରୁଛନ୍ତି—ଶକୁନ୍ତଳା ଦୁଷ୍ମନ୍ତଙ୍କ ଉତ୍ତରୀୟଟି ଧରି ଶୋକାତୁର କଣ୍ଠରେ କଣ କହିବାକୁ ଯାଇ ଯେପରି କହିପାରୁ ନାହାନ୍ତି—କଣ୍ଠ ତାଙ୍କର ବାଷ୍ଫରୁଦ୍ଧ । ପ୍ରଣୟର ପ୍ରଥମ ଅଧ୍ୟାୟରେହିଁ ବିଚ୍ଛେଦ—ଅସହନୀୟ ହୃଦୟ ବୀଣାର ତାର ଗୁଡ଼ିକ ଅକସ୍ମାତ ଛିଣ୍ଡି ପଡ଼ିଛି—ଆଉ ସେ ମଧୁର ଗୁଞ୍ଜନ, ସେଇ ପ୍ରାଣସ୍ପର୍ଶୀ ମୂର୍ଚ୍ଛନା ନାହିଁ—

 

ଶାନ୍ତି କଣ୍ଠରୁ ଡାଇଲଗଟି ବାହାରିଲା—ପ୍ରୀୟତମ, ମନରୁ ଭୁଲି ଯିବ ନାହିଁତ, ଜାଣେନା ଏ ଅଭାଗିନୀର ମନ କାହିଁକି ଆଜି କେତେ ପ୍ରକାର ଦୁଃଶ୍ଚିନ୍ତାରେ ପୂର୍ଣ୍ଣ ହୋଇ ଉଠୁଛି—କହୁ କହୁ ଶାନ୍ତି ପ୍ରକୃତରେ କାନ୍ଦି ପକାଇଲା । ଆକ୍ଷିରୁ ତାର ଦୁଇ ଧାର ତତଲା ଲୁହ ଗଣ୍ଡ ଦେଇ ତଳକୁ ଗଡ଼ି ପଡ଼ିଲା । ଅନ୍ୟାନ୍ୟ ଅଧ୍ୟାପିକାମାନେ ଆଶ୍ଚର୍ଯ୍ୟ ହୋଇଗଲେ ଶାନ୍ତିର ଏ ଅଦ୍ଭୁତ ଅଭିନୟ ଦେଖି । ଅଭିନୟ ଅତି ମାତ୍ରାରେ natural ହୋଇଗଲା ।

 

ଶାନ୍ତିକୁ କିନ୍ତୁ ପ୍ରକୃତରେ ତାର ଗତ ଜୀବନର କଥା ଗୁଡ଼ିକ ମନେ ପଡ଼ିବାରୁ ସେ କାନ୍ଦି ପକାଇ ଥିଲା ।

 

ଶାନ୍ତି ଅପା, ତୁମେ ତ ପ୍ରକୃତରେ କାନ୍ଦି ପକାଇଲ—

 

ପଚାରିଲେ ମିସ୍ ମହାପାତ୍ର, ଶାନ୍ତିର ସହକର୍ମିଣୀ ।

 

‘ହଁ ମିସ୍ ମହାପାତ୍ର’ ।

 

ଦୁହେଁ ଚାଲୁଥାନ୍ତି ରାସ୍ତାରେ ।

 

ମିସ୍ ମହାପାତ୍ରଙ୍କ ବସାଟି କଲେଜର ଅତି ନିକଟରେ । କିଛି ସମୟ ଚାଲିଲା ପରେ ସେ ରହିଗଲେ ତାଙ୍କ ବସାରେ ।

 

ଶାନ୍ତି ଗୋଟିଏ ରିକ୍‍ସାରେ ବସି ପଡ଼ିଲା ।

 

ରିକ୍‍ସାରେ ବସି ଶାନ୍ତି ଭାବୁଥାଏ ରମେଶ କଥା । କଣ ହୋଇଛି ତାଙ୍କର । ମୋଟେ ଦେଖା ନାହିଁ । ଶିଶିର ବାବୁ ମଧ୍ୟ ଦେଖାଯାଉ ନାହାନ୍ତି । ସେ ଦିନ ଯାଇ ସେ ତାପାଇଁ ଘଣ୍ଟାଏ ଅପେକ୍ଷା କରିଥିଲା । କିନ୍ତୁ ତାଙ୍କୁ ଦେଖି ନ ଥିଲା । ବହୁତ ଦିନ ହେଲା ତାଙ୍କୁ ସେ ଦେଖିନି ।

 

ତାର ମନ ମୋଟେ ଭଲ ଲାଗୁ ନାହିଁ ।

 

ରିକ୍‍ସା ବସାରେ ପହଞ୍ଚିଲା । ଆଶାଲତା ଦେବୀ ଫେରି ନଥାନ୍ତି । କୈଳାସ ବାବୁ ଲନରେ ବସିଥାନ୍ତି ।

 

କୈଳାସ ବାବୁଙ୍କୁ ଦେଖି ସେ ଦିନର କଥା ତାର ମନେ ପଡ଼ିଗଲା । ରାଗରେ ଲାଲ ହୋଇଗଲା ତାର ମୁହଁ । ସେହି ଦିନଠାରୁ ସେ କଥାବାର୍ତ୍ତା କରୁ ନାହିଁ ତାଙ୍କ ସହିତ । ସେ ଥରେ ତାଙ୍କ ଆଡ଼େ ଚାହିଁ ଚାଲିଗଲା ନିଜ କୋଠରୀକୁ ।

 

କୈଳାସ ବାବୁ ଆଜିକାଲି ଆଉ ପୂର୍ବଭଳି ବ୍ୟବହାର କରୁ ନଥାନ୍ତି । ସେ ଶାନ୍ତି ଆଗରେ ପୂର୍ବକୃତ କାର୍ଯ୍ୟ ପାଇଁ କ୍ଷମା ମାଗି ନେଉଥିଲେ । ଶାନ୍ତି କିନ୍ତୁ ଆଗଭଳି ଭରସି ପାରୁ ନଥାଏ । ତାଙ୍କ ପ୍ରତି ଶାନ୍ତି ମନରେ ଭରି ଯାଇଥାଏ କେବଳ ଘୃଣା ତେଣୁ ସେ ଥିଲାବେଳେ ଶାନ୍ତି ଚାହା ଖାଇବାକୁ ମଧ୍ୟ ଆସେ ନାହିଁ ।

 

ଶାନ୍ତି ଯାଇ ନିଜ କୋଠରୀରେ କିଛି ସମୟ ଚୁପ୍ ହୋଇ ବସି ରହିଲା । ଘଡ଼ି ଦେଖିଲା-। ଛ’ ବାଜିଛି । ଚାକରାଣୀ ରାଧାକୁ କହିଦେଇ ସେ ଚାଲିଗଲା ସିନେମା ଦେଖି ।

 

ଆଶାଲତା ଦେବୀ ସେତେବେଳ ଯାଏଁ ଫେରି ନଥାନ୍ତି ।

 

ରମେଶ ଅସୁସ୍ଥ । ତାକୁ ଭୀଷଣ ଜ୍ଵର । ସାଧାରଣ ଜ୍ଵର ଭାବି ସେ ଘରକୁ କିଛି ଖବର ନଦେଇ ହସପିଟାଲରେ ଜଇନ୍ ହୋଇ ଯାଇଥିଲା । କିନ୍ତୁ ତିନି ସପ୍ତାହ ହୋଇଗଲାଣି ତାର ଜ୍ଵର କମୁନାହିଁ ।

 

ଶିଶିର ପ୍ରତିଦିନ ଆସି ଦୁଇ, ତିନି ଘଣ୍ଟା ଗପ ସପ କରି ଯାଉଛି । ବାପା ମଧ୍ୟ ଦୁଇ ଚାରି ଥର ଆସିଥିଲେ । ଦୁଇ ଦିନ ତଳେ ତାର ମାଁ ଓ ଭଉଣୀ ମଧ୍ୟ ଆସିଥିଲେ ।

 

ସେତେବେଳେ ରମେଶର ଦେହ ଅଳ୍ପ ଭଲଲାଗୁ ନଥାଏ । ସେ ଶୋଇ ରହି ଭାବୁଥାଏ ଶାନ୍ତି କଥା । ବିଚିତ୍ର ଧରଣର ଝିଅ ଏ ଶାନ୍ତି । ନିଜ ବିଷୟରେ କିଛି କହୁ ନାହିଁ କଣ ଟିକିଏ ପଚାରି ଦେଲେ ଆଖି ଛଳ ଛଳ କରି ଦେଉଛି । କଣ ଗୋଟିଏ ରହସ୍ୟ ଯେପରି ସେ ଆଜିଯାଏଁ ଲୁଚାଇ ରଖିଛି ତାର ସାମନାରେ ।

 

କଣ ସେ ରହସ୍ୟ । କାହିଁକି ସେ ତାକୁ ଲୁଚାଇଛି । ସେ ଜାଣିଲେ ତାର କଣ କ୍ଷତି ହେବ-। ବରଂ ସେ ଯଦି ପାରେ ଶାନ୍ତିର ସାହାଯ୍ୟ କରିବ । କିନ୍ତୁ ଶାନ୍ତି ତାକୁ କହୁ ନାହିଁ କାହିଁକି ? ପଚାରିଲେ କାନ୍ଦ, ମୁହଁ ଫୁଲାଇବ । ଅତି ବାଧ୍ୟ କଲେ କହିବ । ‘ମୋ ରାଣ ପଚାରନ୍ତୁ ନାହିଁ ଦିନ ଆସିଲେ ବଳେ କହିବି’ । କଣ ସେ ଦିନ । କେବେ ଆସିବ । କଣ ସେ ସହି ଆସିଛି ଜୀବନରେ । ରମେଶ କିଛି କୂଳ କିନାରା ପାଉ ନଥାଏ । ସେ ଭାବୁ ଭାବୁ କେତେବେଳେ ଶୋଇ ପଡ଼ିଲା ।

 

ଶିଶିର ଆସି ଦେଖେତ ରମେଶ ଶୋଇଛି । ତାକୁ ଉଠାଇବା ଉଚିତ ହେବ ନାହିଁ ବୋଲି ଭାବି ସେ ବସି ପଡ଼ିଲା ତା ମୁଣ୍ଡ ପାଖରେ ଥିବା ଷ୍ଟୁଲଟି ଉପରେ । ରମେଶ ପାଖରେ ବସି ଏକ ଦୃଷ୍ଟିରେ ନକ୍ଷ କରୁଥାଏ ସେ ଏଣେ ତେଣେ ଘୁରି ବୁଲୁଥିବା ଡକ୍ଟର ଓ ନର୍ସଙ୍କର ଗତି ବିଧିକୁ । ମେସିନ୍ ଭଳି ନିଜ ନିଜର କାମ କରି ଚାଲିଛନ୍ତି । ଟିକିଏ ହେଲେ ସ୍ଵାଧୀନତା ନାହିଁ, ବିଶ୍ରାମ ନାହିଁ । ସେବାହିଁ ଜୀବନର ବ୍ରତ, ତେଣୁ ସେମାନେ ଜୋର ଦିଅନ୍ତି ନାହିଁ । ସ୍ଵାଧୀନତା ଓ ବିଶ୍ରାମ ପ୍ରତି ।

 

ତାର ଚିନ୍ତାଧାରାରେ ବାଧା ଦେଇ ରମେଶର ବେଡ଼୍ ନିକଟରେ ଆସି ଠିଆହେଲା ଗୋଟିଏ ନର୍ସ ।

 

‘ସେ ଶୋଇ ପଡ଼ିଛି’ ଶିଶିର କହିଲା । ଆଜ୍ଞା……

 

କଣ ଉଠାଇବାକୁ ପଡ଼ିବ ।

 

ହଁ...…

 

ଶିଶିର ଉଠାଇବାକୁ ଦେଲା ରମେଶକୁ ।

 

ନର୍ସ ଟେମ୍ପେରେଚର ଟିପି ଚାଲିଗଲା ।

 

‘କେତେବେଳେ ଆସିଲୁ’ ରମେଶ ପଚାରିଲା ।

 

ଏଇ ଅଳ୍ପ ସମୟ ହେଲା ।

 

ଦୁହେଁ କିଛି ସମୟ ତୁନି ହୋଇ ବସି ରହିଲେ ।

 

ରମେଶ ଯେପରି କଣ ଗୋଟିଏ ଭାବୁଥାଏ ।

 

ହଠାତ୍ ସେ ଶିଶିରକୁ ଚାହିଁ ହସିଦେଲା ।

 

କଣ ହେଲା ? ଶିଶିର ପଚାରିଲା ।

 

ନାଁ କିଛି ନୁହେଁ । ଗୋଟିଏ ସ୍ୱପ୍ନ ଦେଖିଥିଲି ଯେ ହଠାତ୍ ମନେ ପଡ଼ିଗଲା ।

 

କି ସ୍ୱପ୍ନ..... ?

 

ଏଇ ଶାନ୍ତିକୁ ନେଇ......ସେ ଏଠାକୁ ଆସିଥିଲା ।

 

ଶାନ୍ତି ଏଠାକୁ ଆସିଥିଲା.....ଆଜି ? ଆଶ୍ଚର୍ଯ୍ୟରେ ପଚାରିଲା ଶିଶିର ।

 

ଆରେ ମୁଁ ସ୍ୱପ୍ନର କଥା କହୁଛି.....ସେ ସ୍ୱପ୍ନରେ ଆସିଥିଲା । କଣ କିଛି କହୁଥିଲା ? ହସି ହସି ପଚାରିଲା ଶିଶିର ।

 

ହଁ......

 

କଣ..... ?

 

ଏମିତି, ତୁମେ ମୋତେ ଖବର ଦେଇ ନଥିଲ କାହିଁକି ? କଣ ମୋ ଉପରେ ରାଗିଥିଲ କି ? ଏମିତି କେତେ କଣ ।

 

ତୋ ଉପରେ ତ ତାଙ୍କର ଭାରି ଦୟା ଦେଖୁଛି....... ଶିଶିର କହିଲା ।

 

କିନ୍ତୁ ଏତ ଖାଲି ସ୍ୱପ୍ନ......ସ୍ୱପ୍ନ କଣ ସତ ହୁଏ ।

 

କିନ୍ତୁ ମୁଁ ଆଜି ପ୍ରକୃତରେ ଶାନ୍ତିକୁ ଦେଖିଥିଲି-

 

ଶିଶିର କହିଲା ।

 

ଦେଖିଥିଲୁ...... କେତେବେଳେ ? କେଉଁଠାରେ...... ? ହଠାତ୍ ରମେଶ ପଚାରିଲା ।

 

ରାସ୍ତାରେ...... ବୋଧହୁଏ କଲେଜରୁ ଫେରୁଥିଲା । ତତେ କିଛି ପଚାରିଲା ?

 

କଥା ହେବାର ଦୂରର କଥା ମତେ ନ ଦେଖୁଣୁ ଚାଲିଗଲା । ମୁହଁ ଫେରାଇ ଚାଲିଗଲା-? ରମେଶ ପଚାରିଲା ।

 

ହଁ.......ହଉ ଛାଡ଼, ଡାକ୍ଟର କଣ କହିଲେ ?

 

ଆଉ ସପ୍ତାହେ ଖଣ୍ଡେ ରହିବାକୁ ପଡ଼ିବ ।

 

କେତୋଟି ଦିନ ପାଇଁ ତାହେଲେ ତତେ ଥେସିସ୍ ଲେଖା ବନ୍ଦ କରିବାକୁ ପଡ଼ିବ । ଅତି ଦୁର୍ବଳ ହୋଇ ପଡ଼ିଛୁ ।

 

ପରିଶ୍ରମ ଭଲ ହେବ ନାହିଁ ।

 

ତାହା ତ ଆପେ ଆପେ ବନ୍ଦ ହୋଇଯିବ । ମୁଣ୍ଡ ତ ଠିକ୍ ନାହିଁ । ଆଉ ଲେଖା ହେଉଛି କୁଆଡ଼ୁ ।

 

ଚାହୁଁ ଚାହୁଁ ବାର୍ଷିକ ଉତ୍ସବ ପହଞ୍ଚିଗଲା । ନାଟକଟିରେ ଶାନ୍ତିର ଅଭିନୟ ଚମତ୍କାର ହୋଇଥିଲା । ସମସ୍ତଙ୍କ ମୁହଁରେ ତାର ପ୍ରଶଂସା ପ୍ରତ୍ୟେକ ଖବର କାଗଜରେ ନାଟକଟିର ସମାଲୋଚନା ଆଶାଲତା ଦେବୀଙ୍କର ଆନନ୍ଦ କହିଲେ ନ ସରେ । ସେ ଖାଲି ଶାନ୍ତି ଉପରେ, ପ୍ରଶଂସା ଲଦି ଦେଉଥାନ୍ତି ।

 

ଶାନ୍ତି ମଧ୍ୟ ଆଜିକାଲି ଟିକିଏ ଫୁର୍ତ୍ତି ଦେଖା ଯାଉଥାଏ । ସେ ଦିନ ଲନରେ ବୁଲୁ ବୁଲୁ ହଠାତ୍ ତାର ରମେଶ କଥା ମନେ ପଡ଼ିଗଲା । ଏ ମଧ୍ୟରେ ନାଟକଟିରେ ମାତି ରହି ସେ ପୁରା ଭୁଲି ଯାଈଥିଲା ରମେଶକୁ । ଅନେକ ଦିନ ହୋଇଗଲା ସେ ତାଙ୍କୁ ଦେଖି ନାହିଁ । ଭାବୁ ଭାବୁ ଚୌକିରେ ଯାଇ ବସି ପଡ଼ିଲା ଶାନ୍ତି । ଆଶାଲତା ଦେବୀ ଆଗରୁ ସେଠାରେ ବସିଥିଲେ । ସେ ଶାନ୍ତିକୁ ଚିନ୍ତିତ ରହିବା ଦେଖି ପଚାରିଲେ, “କଣ ଶାନ୍ତି,-କଥା କଣ ? ଆଜି ଖୁବ୍ ଗମ୍ଭୀର ଦେଖାଯାଉଛ ଯେ....

 

ଶାନ୍ତିର ଚିନ୍ତାଧାରାରେ ବାଧା ପଡ଼ିଲା । ସେ ଚମକି ଉଠି ପଚାରିଲା—କଣ ?

 

ଆଜି କାହିଁକି ଚୁପ୍ ଚୁପ୍ ବସିଛ ? କଣ ଦେହ ଭଲ ନାହିଁ :

 

ନା ଦେହ ତ କିଛି ହୋଇ ନାହିଁ । ଶାନ୍ତି ଅଳ୍ପ ହସିଦେଲା । ଆଶାଲତା ଦେବୀ ମଧ୍ୟ ଆଉ କିଛି ପଚାରିଲେ ନାହିଁ । ଶାନ୍ତି ଭାବି ଚାଲିଥାଏ ତାର ଅତୀତ କଥା । ଯେଉଁ କଥା ସେ ଆଜିଯାଏ ରମେଶକୁ ଲୁଚାଇଛି । କେତେଥର ଭାବିଲାଣି ରମେଶକୁ କହିଦେବ କିନ୍ତୁ ତାର ସାହାସ ହେଉ ନାହିଁ । ସେତେବେଳେ କଥା ହେବା ମୁଡରେ ସେ ନଥିଲା ।

 

ତମ ଦେହ କଣ ଖରାପ ଅଛି ?

 

ନାହିଁତ.……

 

ଏତେ ଚିନ୍ତିତ ଦେଖାଯାଉଛି ଯେ ?

 

ଚିନ୍ତିତ...…କାହିଁ, ନାହିଁ ତ …ହସୁ ହସୁ କହିଲା ଶାନ୍ତି ।

 

ଶାନ୍ତିର ହସ ମଳିନ । ଚେହେରା ଉଦାସ, ଯେତେ ସେ ଲୁଚାଇବାକୁ ଚେଷ୍ଟା କରୁଥାଏ ସେତିକି ସ୍ପଷ୍ଟ ଦେଖାଯାଉ ଥାଏ । କାହିଁକି ଲୁଚାଉଛ ଶାନ୍ତି । ଚାଲ କୌଣସି ପିକ୍ଚର ଦେଖି ଆସିବା–ଆଶାଲତା ଦେବୀ କହିଲେ ।

 

ଆଉ କେଉଁଦିନ ହୋଇ ଥିଲେ ଶାନ୍ତି ସଙ୍ଗେ ସଙ୍ଗେ ବାହାରି ପଡ଼ିଥାନ୍ତା । କିନ୍ତୁ ସେତେବେଳେ ତାର କୁଆଡ଼େ ଯିବାକୁ ଇଚ୍ଛା ହେଉ ନ ଥାଏ । ସେ ଚାହୁଁଥାଏ ବୁଡ଼ି ରହିବାକୁ ତାର ନିଜ ଭାବନାରେ ।

 

ଆପଣ ଚାଲିଯାନ୍ତୁ......ସାଥିରେ କୈଳାସ ବାବୁଙ୍କୁ ମଧ୍ୟ ନେଇଯିବେ ।

 

ତୁମେ ନିଜ କଥା କହ । ସେ ଯାଆନ୍ତୁ । ନ ଯାଆନ୍ତୁ । ମୁଁ ତ ଖାଲି ତୁମକୁ ଚିନ୍ତିତ ଦେଖି ଏପରି କହିଥିଲି । ନ ହେଲେ କଣ ମତେ ଏ ପିକ୍ଚର, ଫିକ୍ଚର ଭଲ ଲାଗେ ।

 

ମତେ ଆଜି ଭଲ ଲାଗୁନାହିଁ ।

 

ଭାବିଥିଲି ଗୋଟିଏ ନୂଆ ଖେଳ ପଡ଼ିଛି ଦେଖି ଆସିବା ବୋଲି । କିନ୍ତୁ ତୁମେ ତ ସାଥିରେ ଆସିବାକୁ ନାରାଜ ।

 

କଣ କରିବି । ମୋର ଦେହ ଭଲ ନାହିଁ । ଆପଣ କିନ୍ତୁ ନିଶ୍ଚୟ ଯାଆନ୍ତୁ ।

 

ହଉ, ଚାଲ ଆଗେ ଖାଇନେବା ତାପରେ ଯଦି ଇଛା ହୁଏ ତାହେଲେ ମୁଁ ଯିବି ।

 

ଖାଇବାକୁ ଆଜି ଭୋକ ମଧ୍ୟ ନାହିଁ ?

 

କାହିଁକି ?

 

ଆଜି କଲେଜରେ ମିସ୍ ମହାପାତ୍ରଙ୍କ ସହିତ ଜଳଖିଆ ଖାଇଦେଇ ଆସିଛି । ପେଟରେ ଯାଗା ନାହିଁ ।

 

ଉପବାସ ରହିବା ଭଲ ନୁହେଁ । ଚାଲ ଅଳ୍ପ ଖାଇଦେଇ ଆସିବ ।

 

କହି ଦେଇଛି ଆପଣଙ୍କୁ ମତେ ମୋଟେ ଭୋକ ନାହିଁ ।

 

‘ମୁଁ ବି ଶୁଣିଛି । କିନ୍ତୁ ତୁମକୁ ଯିବାକୁ ପଡ଼ିବ ।’ ସ୍ନେହରେ ଆଶାଲତା ଦେବୀ ଶାନ୍ତିର ହାତ ଧରି ଟାଣି ନେଲେ । ଖାଇ ସାରିଲା ପରେ କୈଳାସ ବାବୁ ଓ ଆଶାଲତା ଦେବୀ ସିନେମାକୁ ଚାଲିଗଲେ ।

 

ଶାନ୍ତି ଏକା ନିଜ କୋଠରୀରେ ବସି ଭାବୁଥାଏ—ଜୀବନରେ ଦୁଇଟି କଥା ବିରାଟ ସତ୍ୟ । ସୁଖ ଓ ଦୁଃଖ । ସକାଳ-ପରେ ଯେପରି ସନ୍ଧ୍ୟାର ଆଗମନ, ସୁଖ ପରେ ସେହିପରି ଦୁଃଖର ଜୀବନର ରାସ୍ତା ବହୁତ ଲମ୍ବା । ରାସ୍ତା ପରେ ରାସ୍ତା । ଯେପରି ତାର ଶେଷ ନାହିଁ ।

 

ଗୋଟିଏ ରାସ୍ତାରୁ ଆଉ ଗୋଟିଏ ରାସ୍ତା ଆଗେଇ ଯାଇଛି ବହୁତ ଦୂରକୁ । ଟିକିଏ ରାସ୍ତା ଭୁଲିଲେ ଲକ୍ଷ ଭ୍ରଷ୍ଟ । ମନୁଷ୍ୟ ଯାଇ ପହଞ୍ଚେ ଲକ୍ଷ ସ୍ଥାନରୁ ବହୁତ ଦୂରରେ । ସେତେବେଳେ ଫେରି ଆସିବାର ଉପାୟ ନଥାଏ । ନିଜ ଜୀବନର ଗତିପଥ ବଦଳି ଯାଏ । ସୁଧାରି ନେବାକୁ ପୁନର୍ବାର ନିଜର ବାଞ୍ଚିତ ରାସ୍ତାକୁ ଆସିବାକୁ ବହୁତ ସମୟ ଲାଗେ । ବେଳେ ବେଳେ ଜୀବନଟି ସାରା କଟିଯାଏ ନିଜ ଗତି ପଥରେ ପହଞ୍ଚିଲା ବେଳକୁ ।

 

ସକାଳ ଓ ସନ୍ଧ୍ୟାର ଅସ୍ତିତ୍ଵ ଭଳି ମନୁଷ୍ୟ ଜୀବନରେ ଘାତ ଓ ପ୍ରତିଘାତର ଅସ୍ତିତ୍ଵ ମଧ୍ୟ-। ନିରାଟ ସତ୍ୟ । ଘାତ ଓ ପ୍ରତିଘାତ ଦେଇ ଗତି କଲାବେଳେ, ମନୁଷ୍ୟ ବାଛିନିଏ ତାର କର୍ତ୍ତବ୍ୟ-। ଜୀବନର ପ୍ରଭାବ ଯେତେଟା ମନୋରମ ହୋଇଥାଏ ସନ୍ଧ୍ୟା ସେତେଟା ଭୟଙ୍କର ରୂପ ଧାରଣ କରେ । ସେହି ଅନ୍ଧକାରରେ ମନୁଷ୍ୟ ଖୋଜି ବୁଲେ ଆଲୋକର ଶିଖା । ପଥ ନିର୍ଦ୍ଧାରଣ କରିବାକୁ-। କିନ୍ତୁ ଆଲୋକ ସେ ପାଏ ନାହିଁ । ଖାଲି ଅନ୍ଧକାର, ଅନ୍ଧକାର, ଆଉ କିଛି ନାହିଁ । ରାସ୍ତା ପାଉ ପାଉ କଷ୍ଟ । ଜନ୍ମ ହେବା ଛୁଆଟି ଯେପରି ଆଖି ଆଲୁ ଆଲୁ କାନ୍ଦି ଉଠେ ଆଲୋକ ପାଇଁ, ମନୁଷ୍ୟ ସେପରି ଖୋଜି ବୁଲେ ଜୀବନର ଅନ୍ଧକାର ରାତ୍ରୀରେ ଆଶାର ଆଲୋକ ପାଇଁ ।

 

ଶାନ୍ତିର ଜୀବନରେ ମଧ୍ୟ ସେହିପରି ପ୍ରଭାତ ଆସିଥିଲା । ବସନ୍ତ ଜାଣିଥିଲା । କୋଇଲିର କୁହୁ ତାନରେ ମନରେ ତାର କମ୍ପନ ସୃଷ୍ଟି ହୋଇଥିଲା । ବସନ୍ତର ଚୋରା ମଳୟ ଦେହରେ ତାର ସୃଷ୍ଟି କରିଥିଲା ଶିହରଣ । ତାର ଚିହ୍ନ ବର୍ତ୍ତମାନ ସୁଦ୍ଧା ଅଛି । ଶତ ଘାତ ପ୍ରତିଘାତ ତାକୁ ମଳିନ କରି ପାରି ନାହିଁ । ଘା’ ଶୁଖିଯାଏ ଦାଗ ରହିଯାଏ । ଅଲିଭା ଦାଗ, ଯେତେ ଲିଭାଇଲେ ଲିଭେ ନାହିଁ । ଖାଲି ମନେ ପକାଇ ଦିଏ ବିଗତ କଥାଗୁଡ଼ିକୁ । ମାର୍ଗଶିରର ଦେହଥରା ଶୀତ, ଫାଲଗୁନ୍‍ର ମନଚୋରା ବସନ୍ତ, ବୈଶାଖର ଝାଞ୍ଜି ଖରା ସବୁ ତା ଉପରେ ବହି ଚାଲି ଯାଇଛି । ସେ ମୁଣ୍ଡ ପୋତି ସହ୍ୟ କରିଛି ସବୁ କିଛି ।

 

ଶାନ୍ତି ଜୀବନର ପ୍ରଭାବ ଠାରୁ ଟିକିଏ ଆଗେଇ ଯାଇଛି । ତାହା ସେ ଅନୁଭବ କରି ପାରୁଛି । ଦେହରେ ଓ ମନରେ ଆଉ ସେ ଶିହରଣ ନାହିଁ । ସେ କମ୍ପନ ନାହିଁ । ତଥାପି ସେ ଅଛି ମଧ୍ୟାହ୍ନ ଠାରୁ ବହୁତ ଦୂରରେ...

 

ଭାବୁ ଭାବୁ ଶାନ୍ତି କେତେବେଳେ ଶୋଇ ପଡ଼ିଛି ସେ ଜାଣେ ନାହିଁ ।

 

ଆଜି ଯେ କୌଣସି ମତେ ରମେଶକୁ ଦେଖା କରିବାକୁ ଦୃଢ଼ ପ୍ରତିଜ୍ଞା ବାଧା ହୋଇ ଶାନ୍ତି ବସିଲା ରିକ୍‍ସାରେ । ରିକ୍‍ସା ବୁଲୁଥାଏ, ଶାନ୍ତି ଚୁପଟି ହୋଇ ବସି ଚାହୁଁଥାଏ ରାସ୍ତାକୁ ।

 

ରମେଶର କୋଠରୀ ସାମନାରେ ରିକ୍‍ସାରୁ ଓହ୍ଲାଇ କୋଠରୀକୁ ଯାଉଛି, ଭିତରୁ ବାହାରି ଆସିଲା ଶିଶିର ।

 

ଶାନ୍ତି ନମସ୍କାର କଲା ।

 

ଶିଶିର ପ୍ରତି ନମସ୍କାର କରି ଚୁପ୍ ରହିଲା

 

ଆଜି କିପରି ହଠାତ୍ ଅସମୟରେ ଯେ... ...କିଛି ସମୟ ପରେ ବିଦ୍ରୁପ କଣ୍ଠରେ ପଚାରିଲା ଶିଶିର ।

 

ରମେଶ ବାବୁ ଅଛନ୍ତି ?

 

ନାହାନ୍ତି .......

 

କୁଆଡ଼େ ଗଲେ...... ?

 

ସେ ତା ଆପଣଙ୍କ ପାଖକୁ ଯାଇଛି ।

 

ମୋ ପାଖକୁ । କାହିଁକି ?

 

ଆପଣ କାହିଁକି ଆସିଛନ୍ତି ? ଶାନ୍ତିକୁ ଉତ୍ତର ନା ଦେଉଣୁ ଓଲଟି ପ୍ରଶ୍ନ କଲା ଶିଶିର ।

 

ତାଙ୍କ ସହିତ ଟିକିଏ କଥା ଥିଲା......

 

ବୋଧହୁଏ ସେ ମଧ୍ୟ ସେଇଆ ଭାବି ଆପଣଙ୍କ ପାଖକୁ ଯାଇଛି ।

 

ମୋ ସହିତ କଥାବର୍ତ୍ତା ହେବାକୁ...

 

ଆଜ୍ଞା...

 

କେତେ ସମୟ ହେଲା ଗଲେଣି... ?

 

ଏଇ ଦଶ ମିନିଟ୍‍ ହେବ । ଗତକାଲି ଫେରିଲା ନାଁ ହସପିପିଟାଲରୁ ତେଣୁ ବୋଧହୁଏ ଆପଣଙ୍କୁ ଦେଖିବାର ଓ କଥା ହେବାର ଇଛାଟିକୁ ଛାଡ଼ି ପାରିଲା ନାହିଁ ।

 

ହସପିଟାଲ୍‍ରୁ......ଚମକି ପଡ଼ିଲା ଶାନ୍ତି । କଣ ହୋଇଥିଲା ତାଙ୍କର ? ଏ କଣ କହିଛନ୍ତି ଆପଣ ? ତାକୁ ଟାଇଫଏଡ୍ ହୋଇଥିଲା । ମାସକ ପରେ ସେ ଫେରିଲା ହସପିଟାଲରୁ ।

 

ଶାନ୍ତିର ଆଖି ଛଳ ଛଳ ହୋଇ ଉଠିଲା । ତାର ସନ୍ଦେହ ସତ ହେଲା । ରମେଶବାବୁ ମାସେ ହେଲା ଅସୁସ୍ଥ ଥିଲେ ଅଥଚ ସେ ତାଙ୍କର ଟିକିଏ ସେବା କରିପାରିଲା ନାହିଁ । ହଉ ତାହେଲେ ମୁଁ ଚାଲିଲି । ଥର ଥର କଣ୍ଠରେ କହିଲା ଶାନ୍ତି । ମତେ ସେଠାରେ ନ ଦେଖି କାଳେ ସେ ରାଗିଯିବେ ।

 

ରାଗିବ....କାହିଁକି ?

 

ଏଇ ଏତେ ଦିନ ପରେ ମୋ ସହିତ କଥାବାର୍ତ୍ତା ହେବାକୁ ଗଲାବେଳେ ମୋର ଅନୁପସ୍ଥିତ ଦେଖି ।

 

ତା ହେଲେ ଏଠାକୁ ଆସିବା କଥା ଆପଣ ଘରେ କହି ନାହାନ୍ତି ?

 

ନାଁ.... କହୁ କହୁ ଶାନ୍ତି ରାସ୍ତା ଆଡ଼େ ମୁହାଁଇଲା ।

 

ଶିଶିର ଫେରିଗଲା କୋଠରିକୁ ।

 

ରିକ୍‍ସାରୁ ଓହ୍ଲାଇ ଶାନ୍ତି ଫାଟକ ଖୋଲି ସିଧା ପଶିଗଲା ଭିତରକୁ । ସେ ଆଡ଼ୁ ରାଧା ଆସୁଥାଏ ।

 

‘ଶୁଣିଲ’—ଶାନ୍ତି ଡାକିଲା ।

 

ସେ ଆସି ତା ପାଖରେ ଠିଆ ହେଲା ।

 

ମତେ କିଏ ଖୋଜୁଥିଲେ ?

 

ହଁ କିଏ ଜଣେ ଭଦ୍ରଲୋକ ଆସିଥଲେ ଆପଣଙ୍କୁ ନ ପାଇ ଫେରିଗଲେ ।

 

କିଛି କହି ଯାଇଛନ୍ତି ?

 

ହଁ ଖଣ୍ଡିଏ ଚିଠି ଦେଇ ଥିଲେ । ଚିଠିଟି ମୁଁ ମାଁଙ୍କୁ ଦେଇ ଦେଇଛି ।

 

ମାଁଙ୍କୁ ସେ ଦେଖା କରିଥିଲେ ।

 

ନାଁ.....

 

ମାଁ କେଉଁଠି ଅଛନ୍ତି ।

 

ଉପରେ, ତାଙ୍କ କୋଠରିରେ ।

 

‘ହଉ ରିକ୍‍ସାବାଲାକୁ ପଇସା ଦେଇ ଆସ’—ଶାନ୍ତି ହେଣ୍ଡ୍ ବେଗ୍‍ରୁ ପଇସା ବାହାର କରି ରାଧାକୁ ଦେଇ ସିଧା ଚାଲିଗଲା ଆଶାଲତା ଦେବୀଙ୍କ ରୁମ୍‍କୁ ।

 

ତାକୁ ଦେଖୁ ଦେଖୁ ଆଶାଲତା ଦେବୀ ଖଣ୍ଡିଏ ଲଫାଫା ବଢ଼ାଇ ଦେଇ କହିଲେ—ରମେଶ ବାବୁ ଆସିଥିଲେ ।

 

ଶାନ୍ତି କିଛି ନକହି ଲଫାଫା ଧରି ନିଜ କୋଠରିକୁ ଚାଲିଗଲା ।

 

ଲଫାଫାର ଠିକଣା ଦେଖୁ ଦେଖୁ ସେ ଜାଣି ପାରିଲା ଯେ ଚିଠିଟି ଗାଁରୁ ଆସିଛି ।

 

ଲଫାଫାଟି ଖୋଲି ଏକ ନିଶ୍ଵାସରେ ପଢ଼ିଗଲା ଚିଠିଟି । ଚିଠିଟି ପଢ଼ୁ ପଢ଼ୁ ସେ କଇଁ କଇଁ ହୋଇ କାନ୍ଦି ଉଠିଲା । ଆଖିରୁ ତାର ଧାର ଧାର ଲୁହ ବୋହୁଥାଏ । ତାର ସ୍ନେହମୟୀ ମାଁ, ଆଉ ଏ ସଂସାରରେ ନାହାନ୍ତି । ଶାନ୍ତିର ମୁଣ୍ଡ ଘୂରିଗଲା । କଣ କରିବ । କିଛି ଠିକ୍ କରି ପାରିଲା ନାହିଁ ।

 

ସେ ଚିଠି ସହିତ ଆଉ ଖଣ୍ଡିଏ ଚିଠି ବାହାରିଲା । ସେ ଖଣ୍ଡିକ ଲେଖିଥିଲା ରମେଶ—

 

ଶାନ୍ତି,

 

ତିନିସପ୍ତାହ ହସପିଟାଲରେ ରହିବା ପରେ ଆଜି ଫେରିଲି । ପ୍ରାୟ ଦୁଇଦିନ ହେଲା ଏଚିଠି ଖଣ୍ଡି ମୋର କୋଠରୀରେ ପଡ଼ିଥିଲା । ଆଜି ଏ ଖଣ୍ଡି ଦେବାକୁ ଆସି ଦେଖେ ତ ତୁମେ କୌଣସି ବନ୍ଧୁ ଘରକୁ ଯାଇଛ । ବିନାନୁମତିରେ ଚିଠି ଖଣ୍ଡି ପଢ଼ି ଦେଇଛି । କ୍ଷମା କରିବ । ଜନ୍ମ ଓ ମୃତ୍ୟୁ ପୃଥିବୀରେ ଅତି ବାସ୍ତବ କଥା । ମୃତ୍ୟୁ ନଥିଲେ ଜନ୍ମର ସାର୍ଥକତାହିଁ ରହନ୍ତା ନାହିଁ । ଏହା ସମସ୍ତଙ୍କ ଜୀବନରେ ଘଟେ । ଦୁଃଖ ତ ହେବ ନିଶ୍ଚୟ । କିନ୍ତୁ ଭାଙ୍ଗି ପଡ଼ିବ ନାହିଁ । ଧୈର୍ଯ୍ୟ ଧରି କାମ କରିବ । ତୁମେ ଶିକ୍ଷିତା, ତୁମ ସହିତ ସାକ୍ଷାତ ହୋଇଥିଲେ ଦୁଇପଦ କଥାବାର୍ତ୍ତା ହୋଇ ଆସିଥାନ୍ତି...... ଛାଡ଼, ଆଜି ବାପାଙ୍କଠାରୁ ଖଣ୍ଡିଏ ଜରୁରୀ ଚିଠି ପାଇଛି । ତେଣୁ ମେଲରେ ଗାଁକୁ ଯାଉଛି । ଫେରୁ ଫେରୁ ଦୁଇ ସପ୍ତାହ ଖଣ୍ଡେ ଡେରି ହେବ । ପ୍ରିନସିପାଲଙ୍କ ଘରେ ତୁମର କୌଣସି ଅସୁବିଧା ହେଉ ନ ଥିବ ବୋଲି ଆଶା କରେ ।

 

ରମେଶ

 

ଦୁଇ ଦୁଇଟି ଆଘାତ । ଶାନ୍ତି ପାଗଳୀ ଭଳି ଦୁଇ ହାତରେ ମୁଣ୍ଡଟି ଚିପିଧରି । ଏଣେ ତେଣେ ବୁଲିବାକୁ ଲାଗିଲା । ଆଖିରୁ ଅନବରତ ଲୁହ ଝରୁଛି । କଣ କରିବ ।

 

ସେ ରମେଶ ବସାରେ ଥିଲାବେଳେ ତାର ଠିକଣାରେ ଘରକୁ ଖଣ୍ଡିଏ ଚିଠି ଦେଇଥିଲା-। ତେଣୁ ଚିଠିଟି ତା ପାଖକୁ ନ ଆସି ରମେଶ ପାଖକୁ ଆସିଥିଲା ।

 

ହଠାତ୍ ଗୋଟିଏ ଚିନ୍ତା ତା ମୁଣ୍ଡରେ ଖେଳିଗଲା । ଘଡ଼ି ଦେଖିଲା ଶାନ୍ତି । ଗାଡ଼ିର ସମୟ ଗଡ଼ି ନାହିଁ । ବାହାରକୁ ଆସି ଗୋଟିଏ ରିକ୍‍ସା ଧରିଲା ।

 

ରିକ୍‍ସା ଷ୍ଟେସନରେ ପହଞ୍ଚିଲା ବେଳକୁ ଗାଡ଼ି ଆସି ନଥାଏ । ସିଧା ପଶିଗଲା ଶାନ୍ତି ପ୍ଲାଟଫର୍ମ ଭିତରକୁ ।

 

କିଛି ସମୟ ଏଣେ ତେଣେ ଖୋଜିଲା ପରେ ରମେଶକୁ ଗୋଟିଏ ସିମେଣ୍ଟ ବେଞ୍ଚରେ ବସିଥିବାର ଦେଖିଲା । ପାଖରେ ପହଞ୍ଚି ରୁଦ୍ଧ କଣ୍ଠରେ ଡାକିଲା, “ରମେଶ ବାବୁ”......

 

ରମେଶ ଚିନ୍ତିତ ହୋଇ ବସିଥାଏ ଟ୍ରେନର ଅପେକ୍ଷାରେ ସେ ଅନୁଭବ କରୁଥିଲା ଶାନ୍ତିର ଦୁଃଖ । ତେଣୁ ଜନ ଗହଳିଠାରୁ ଦୂରେଇ ଏଇ ସିମେଣ୍ଟ ବେଞ୍ଚଟି ଉପରେ ବସିଥିଲା । ହଠାତ୍ ତାର ନାଁ ଶୁଣି ତାର ଚିନ୍ତା ଭଗ୍ନ ହେଲା । ଚମକି ପଡ଼ିଲା ସେ ।

 

ପଛକୁ ଫେରି ଚାହିଁଲା । ଶାନ୍ତି ଠିଆ ହୋଇଛି । ଶାନ୍ତି ଯେ... ରମେଶ ଠିଆ ହେଲା । ଶିଶିରଠାରୁ ଶୁଣିଲି ମୁଁ ଯିବା କିଛି ସମୟ ପରେ ତୁମେ ଆସିଥିଲ ।

 

ହଁ.......

 

ଶାନ୍ତିର ଚେହେରା ତାର ମଳୀନ ମୁହଁ, ଲୁହଭରା ଚକ୍ଷୁ ଦେଖି ରମେଶର ମନ କାନ୍ଦି ଉଠିଲା । ସେ ଟିକିଏ ଗମ୍ଭୀର ଦେଖା ଯାଉଥାଏ । କଣ କହି ଶାନ୍ତିକୁ ସେ ସାନ୍ତ୍ଵନା ଦେବ କିଛି ଠିକ୍ କରି ପାରୁ ନଥାଏ । କିଛି ସମୟ ଦୁହେଁ ନିରବରେ ଠିଆ ହେଲେ ।

 

“ଶାନ୍ତି......” ରମେଶ ଡାକିଲା ।

 

“.....................”

 

ଶାନ୍ତି ଅନ୍ୟ ଦିଗକୁ ମୁହଁ ବୁଲାଇ ରୁମାଲରେ ଲୁହ ପୋଛୁଥାଏ ।

 

ଶାନ୍ତି.......

 

ଆଉ ଥରେ ଡାକିଲା ରମେଶ ।

 

“...........................” ଶାନ୍ତି କିଛି କହୁ ନଥାଏ । ସେ ସେପରି ଠିଆ ହୋଇ ଆଖି ପୋଛୁ ଥାଏ ।

 

ତୁମେ ଶିକ୍ଷିତା । ଏତୋଟା ଭାଙ୍ଗି ପଡ଼ିବା ଭଲ ନୁହେଁ ।

 

ଯାହା ହୋଇ ଯାଇଛି ତାହା ଆଉ ଫେରିବ ନାହିଁ । ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଏ ତ ଜଗତର ଚିରନ୍ତିନ ନିୟମ । ତହିଁରେ ବା ବ୍ୟତିକ୍ରମ କିପରି ଘଟନ୍ତା । ଜନ୍ମ ହେଲା ପରେ ଜୀବନରେ କେତେ ଘାତ ପ୍ରତିଘାତ ସହ୍ୟ କରିବାକୁ ପଡ଼େ । ଯେ ଘାତ ପ୍ରତିଘାତ ସହି ପାରେନି ସେ ଜୀବନ ଜୁଆରେ ହାରିଯାଏ ।

 

ଶାନ୍ତି ମୁଣ୍ଡ ପୋତି ଠିଆ ହୋଇଥାଏ ।

 

ସେ ଧିରେ ଧିରେ କହିଲା, “ସେ ଜଣେ ଭରସା ହୋଇଥିଲା ଯେ ସେ ମଧ୍ୟ........ଶାନ୍ତି କହି ପାରିଲା ନାହିଁ କିଛି । କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ତୁନି ହୁଅ ଶାନ୍ତି । କାନ୍ଦିଲେ କଣ ଆଉ ମାଁ ଫେରି ଆସିବେ ।

 

“...................”

 

ତୁମେ ଯାଉଛ ନା....... ?

 

ହଁ........

 

କେବେ....... ?

 

କାଲି ଯିବାକୁ ଠିକ୍ କରିଛି ।

 

ସେଠାରେ ତୁମର ଆଉ ସବୁ କିଏ ଅଛନ୍ତି ?

 

ହଁ ଦୂର ସଂପର୍କୀୟ କେତେ ଜଣ ଅଛନ୍ତି । କିଏ ଆମ ଘରକୁ ଦୁଃଖ, ସୁଖରେ ଆସନ୍ତି ନାହିଁ ।

 

କାହିଁକି ?

 

ତା ମଧ୍ୟ ଆପଣ ଦିନେ ଜାଣି ପାରିବେ । କାନ୍ଦ କାନ୍ଦ ସ୍ୱରରେ କହିଲା ଶାନ୍ତି ।

 

ତୁମେ ବଡ଼ ଅଧିର ହୋଇ ପଡ଼ିଛ ଦେଖୁଛି । କିନ୍ତୁ ଏତେଟା ନିରାଶ ହୋଇ ପଡ଼ିଲେ କିପରି ହେବ ।

 

ଚତୁର୍ଦ୍ଦିଗ ଆଶାଶୂନ୍ୟ ଦେଖାଗଲେ କିଏ ଅଧିର ନ ହେବ ରମେଶ ବାବୁ—ବେଳେ ବେଳେ ଭାବେ ଏପରି ହୀନିମାନ ଜୀବନ ଧରି ରହିବା ଅପେକ୍ଷା ମରିବାହିଁ ଭଲ ।

 

ନିଜକୁ ନିଜେ ବୁଝିବାକୁ ଚେଷ୍ଟାକର ଶାନ୍ତି । ତୁମେ ଛୁଆ ହୋଇନାହଁ ଯାହା କଲେ ମଧ୍ୟ ଭାବିଚିନ୍ତି କରିବା ଉଚିତ୍ ।

 

ଉପଦେଶ ତ ସମସ୍ତେ ଦେଇ ପାରିବେ । ଏବଂ ଦିଅନ୍ତି ମଧ୍ୟ ତାକୁ କାର୍ଯ୍ୟରେ ପରିଣତ କରିବା ଯେ କେତେଟା ଦୁରହ ତାହା କିଏ ଭାବନ୍ତି କି ରମେଶ ବାବୁ ? ବେଳେ ବେଳେ ପରିସ୍ଥିତି ଏପରି ହୁଏ ଯେ ମନୁଷ୍ୟ ନିନ୍ଦନୀୟ କାର୍ଯ୍ୟ ମଧ୍ୟ କରିବାକୁ ପ୍ରସ୍ତୁତ ହୁଏ । ସେ ଜାଣିଥାଏ ଯେ ତା ଦ୍ୱାରା ସେ ନିନ୍ଦିତ ହେବ କିନ୍ତୁ ଅନ୍ୟ ଉପାୟ ନଥାଏ ।

 

ରମେଶ ସକାଶେ ଟିକେଟ୍ ନେଇ ଆସି ପହଞ୍ଚିଲା ଶିଶିର । ଶାନ୍ତିକୁ ଦେଖୁ ଦେଖୁ ସେ ଟିକିଏ ବ୍ୟଙ୍ଗ କରି ପଚାରିଲା, ଆପଣ ମଧ୍ୟ ଆସିଗଲେ ଯେ.....

 

“..........” ଶାନ୍ତି କିଛି କହିଲା ନାହିଁ ।

 

ରମେଶ ଚକ୍ଷୁରେ ଇଙ୍ଗିତ ଦେଲା ଶିଶିରକୁ । ଶିଶିର ବୁଝିପାରି ଚୁପ୍ ରହିଲା ।

 

‘ଗାଡ଼ି କେତେ ଡେରି ଅଛି ଶିଶିର’ ରମେଶ ପଚାରିଲା । ସେଡ଼୍ୟୁଲଡ଼୍ (Scheduled) ଟାଇମ ଅନୁସାରେ ଅଧଘଣ୍ଟା । କିନ୍ତୁ କେତେ ଡେରି ହେବ କେଜାଣି । ଟିକିଏ ବୁଝି ନେବୁ ତ....

 

ଚାଲିଗଲା ଶିଶିର ।

 

ଶିଶିର କଥାରେ କିଛି ଭାବିବ ନାହିଁ । ବୋଧହୁଏ ସେ ତୁମର ଅଶୁଭ ଖବରଟି ଶୁଣି ନାହିଁ । ନଚେତ୍......

 

ନା, ନା, ସେଥିରେ କଣ ଅଛି । ରମେଶ କଥାରେ ବାଧା ଦେଇ କହିଲା ଶାନ୍ତି ।

 

ଏକ ଦୃଷ୍ଟିରେ ଚାହିଁଥାଏ ଶାନ୍ତି ରମେଶକୁ । ତାର ଆଗଭଳି ଚେହେରା ନଥାଏ । ଅଳ୍ପ ଦୁର୍ବଳ ହୋଇ ପଡ଼ିଥିଲା ସେ । ତଥାପି ତାର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ଥାଏ ।

 

କେବେ ଫେରିବେ ଆପଣ ?

 

ସେପରି କିଛି ଠିକ୍ ନାହିଁ । ଏଇ ମାସେ, ଦେଢ଼ମାସ ପରେ । ଶିଶିର ଫେରି ଆସିଲା ।

 

ଶାନ୍ତି ଏକ ଦୃଷ୍ଟିରେ ଚାହିଁଥିଲା ସାମନାରେ ରେଲ୍‍ଲାଇନକୁ ।

 

ରମେଶ....ଶିଶିର ଡାକିଲା ।

 

ହଁ....ଚମକି ପଡ଼ିଲା ରମେଶ ।

 

ଚମକି ପଡ଼ିଲୁ ଯେ....

 

ନାଁ କିଛି ନାହିଁ....

 

ସିଗ୍‍ନାଲ୍‍ ଡାଉନ୍ ହୋଇଗଲା । ଗାଡ଼ି ବର୍ତ୍ତମାନ ଆସିବ । ଶିଶିର...

 

କଣ... ?

 

ଚାଲ ଫେରିଯିବା...

 

କାହିଁକି ? ଗାଁକୁ ଯିବୁ ନାହିଁ ।

 

ନାଁ......

 

ବାପାଙ୍କଠାରୁ ଯେଉଁ ଚିଠିଟି ଆସିଥିଲା....

 

ଲେଖି ଦେବା ଆଉ ଦୁଇ ସପ୍ତାହ ଖଣ୍ଡେ ରହିବାକୁ ପଡ଼ିବ । ତା ପରେ ଯିବି ।

 

କିନ୍ତୁ, କିନ୍ତୁ; ଏପରି କଣଟା ହୋଇଗଲା ଯେ ତୋର ଯିବା ବନ୍ଦ କରିଦେଲୁ । ଶିଶିର କିଛି ବୁଝି ପାରୁନଥାଏ ରମେଶର ହଠାତ୍ ପରିବର୍ତ୍ତନରେ । ଅଳ୍ପ କାମ ଅଛି......

 

ଶିଶିରକୁ ନ କହିବା କାମ......

 

ନାଁ, ନାଁ, ସେପରି କିଛି ନୁହେଁ ଯେ... କିନ୍ତୁ ସମୟ ଆସିଲେ କହିବି । ବର୍ତ୍ତମାନ ନାହିଁ......

 

ସବୁ କଥାରେ ସମୟ... ସମୟ... ମତେ ଏସବୁ କିଛି ଭଲ ଲାଗୁ ନାହିଁ ।

 

ଭଲ ଲାଗୁ, କି ଖରାପ ଲାଗୁ କରିବାକୁ ତ ପଡ଼ୁଛି ।

 

ହଉ ବାବା, ଯାଅନା—କୁଲି ଡାକିବି ।

 

ଶିଶିର କୁଲି ଡାକିବାକୁ ଚାଲିଗଲା......

 

ଶାନ୍ତି...... ରମେଶ ଡାକିଲା ।

 

“... ... ... ... ...”

 

ଦେଖ ତୁମର ଏ ଅଧିକାରହିଁ ମତେ ରହିବାକୁ ବାଧ୍ୟ କଲା । ମୁଁ କଣ ଜାଣିଥିଲି ତୁମେ ଏତେଟା......

 

ରମେଶ ବାବୁ ଆପଣଙ୍କର ଋଣ ଏଜୀବନରେ ଶୁଝି ପାରିବି ନାହିଁ । କଣ କହି ଯେ ଆପଣଙ୍କୁ କୃତଜ୍ଞତା ଜଣାଇବି ଭାଷା ଆଜି ପାଉ ନାହିଁ । ଶାନ୍ତି ମୁହଁରେ କୃତଜ୍ଞତାର ଚିହ୍ନ ସୁସ୍ପଷ୍ଠ ।

 

କିନ୍ତୁ ତୁମେ ତ ନିଜର ପରିଚୟ ଆଜିଯାଏଁ ଦେଇନାହଁ ଶାନ୍ତି.........

 

ହଁ ଦେବି, ନିଶ୍ଚୟ ଦେବି । ସମୟ ଆସୁ ।

 

ଫେରେ ସମୟର ଅପେକ୍ଷା......

 

କହିବାକୁହିଁ ପଡ଼ିବ । ଆପଣ ତ ସେଇ କଥା ବର୍ତ୍ତମାନ ଶିଶିର ବାବୁଙ୍କୁ କହୁଥିଲେ ।

 

ଶିଶିର କୁଲି ମୁଣ୍ଡରେ ଜିନିଷ ବୋଝାଉଥିଲା ।

 

ସମସ୍ତେ ଷ୍ଟେସନ ବାହାରକୁ ଆସିଲେ । ଶିଶିର ସେମାନଙ୍କଠାରୁ ବିଦାୟ ନେଇ ଘରକୁ ଚାଲିଗଲା ।

 

ଶାନ୍ତି ଓ ରମେଶ ରିକ୍‍ସାରେ ଚାଲିଲେ ତାର କୋଠରିକୁ ରିକ୍‍ସାରେ ବସି ଶାନ୍ତି ଭାବୁଥାଏ ତାର ପ୍ରଥମ ଦିନ ଏଇ ସହରକୁ ଆସିବା କଥା । ଠିକ୍ ସେଦିନ ପରି ଆଜି ସେ ଏତେ ରାତ୍ରରେ ରମେଶର ବସାକୁ ଯାଉଛି । ସେଦିନ ସେ କିନ୍ତୁ ଯାଉଥିଲା ପ୍ରାଣ ଭୟରେ । ଘନ ଅନ୍ଧକାରରେ ନିଜକୁ ବଞ୍ଚାଇବା ଲାଗି । ଆଜି ଯାଉଛି ରମେଶ ସହିତ । ମନରେ ଅପାର ସାହାସ । ସାଥିରେ ରମେଶ ଅଛି ତାର କୌଣସି ଭୟ ନାହିଁ ।

 

କିଛି ସମୟ ପୂର୍ବର ଅଧିରତା ତାର ଆଉ ନଥିଲା । ସେ ଅଳ୍ପ ଆଶ୍ୱସ୍ଥ ହୋଇ ଯାଇଥିଲା-

 

ଶାନ୍ତି ତୁମ ମାଁଙ୍କ ଶ୍ରାଦ୍ଧ ସକାଶେ ତାହେଲେ କେବେ ବାହାରୁଛ । ନିସ୍ତବଦ୍‍ତା ଭଗ୍ନ କଲା ରମେଶ ।

 

ମାଁଙ୍କ ନା ଶୁଣି ଶାନ୍ତି ମନରେ ତାର ସ୍ନେହମୟୀ ମାଁଙ୍କର ଛବି ଜାଗି ଉଠିଲା । ଆଜି ସେ ଆଉ ନାହାନ୍ତି । ତାକୁ ଏକାକି ଛାଡ଼ି ଦେଇ ସେ ଚାଲିଗଲେ । ସେ ରମେଶକୁ ଉତ୍ତର ଦେବା ପରିବର୍ତ୍ତେ କଇଁ କଇଁ କାନ୍ଦି ଉଠିଲା ।

 

ରମେଶ ନିଜର ଭୁଲ ବୁଝି ପାରି ତାକୁ ଆଶ୍ୱାସନା ଦେଉ ଦେଉ ତା ଆଖିରୁ ଲୁହତକ ରୁମାଲରେ ପୋଛି ଦେଲା ।

 

ରିକ୍‍ସା ପହଞ୍ଚିଲା ରମେଶର କୋଠରୀ ସାମନାରେ । ପାଖ ହସପିଟାଲରେ ନ’ଅଟା ବାଜିବାର ସୂଚନା ଦେଲା । ଶାନ୍ତି......

 

ଉଁ... ...

 

ତୁମେ ବର୍ତ୍ତମାନ ଚାଲିଯାଅ । ରାତ୍ରି ଅଧିକା ହେଲାଣି ।

 

ଫେରିଯିବି.....କାହିଁକି ?

 

ପ୍ରିନ୍‍ସିପାଲ ତୁମର ଅପେକ୍ଷା କରିଥିବେ ।

 

ହୁଁ.........ଗମ୍ଭୀର ହୋଇ ଶାନ୍ତି କହିଲା ।

 

ତା ହେଲେ କଣ ଯିବ ନାହିଁ ।

 

“.......” ଶାନ୍ତି କିଛି କହିଲା ନାହିଁ ।

 

ତା ହେଲେ ଚାଲ ମେସ୍ ରେ ଖାଇ ଦେଇ ଆସିବ । ଏଠାରେ ପଛେ ରହିଯିବ ।

 

କିନ୍ତୁ ପ୍ରିନ୍‍ସିପାଲ କିଛି ଭାବିବେ ନାହିଁତ... ...

 

କଣ ଭାବିବେ ?

 

ତୁମେ ଏଠାରେ ରହିଗଲେ... ...

 

କିନ୍ତୁ ମୁଁ ତ ପ୍ରାୟ ମାସେ ଖଣ୍ଡେ ଏଠାରେ ଥିଲି ... ...

 

ସେତେବେଳେ କଥା ଅଲଗା ଥିଲା । କିନ୍ତୁ ବର୍ତ୍ତମାନ ଯଦି ତୁମେ ପ୍ରିନ୍‍ସିପାଲଙ୍କ ଘରେ ରହି ଏଠାରେ ରାତ୍ର କଟାଇବ ଲୋକେ ସନ୍ଦେହ କରିବେ । ତୁମର ବଦନାମ ହେବ ।

 

ସନ୍ଦେହ... ବଦନାମ... କରନ୍ତୁ । ମୋର ସେଥିପ୍ରତି ଭୟ ନାହିଁ । ଦୁନିଆର ଲୋକେ ଭଲକୁ ମନ୍ଦରେ ପରିଣତ କରି ଦେବାରେ, ଧଳାକୁ କଳାରେ ପ୍ରମାଣିତ କରି ଦେବାରେ ଓସ୍ତାଦ ।

 

ଶାନ୍ତିର କଥା ଶୁଣି ରମେଶ ତୁନି ରହିଲା ।

 

ଦୁହେଁ ମେସ୍‍ରୁ ଖାଇ ଦେଇ ଫେରିଥିଲେ । ଶାନ୍ତି ଆଗଭଳି ମସିଣାରେ ଶୋଇଲା । ବହୁ ତର୍କ ବିତର୍କ ପରେ ରମେଶ ଖଟରେ ଶୋଇବାକୁ ବାଧ୍ୟ ହେଲା ।

 

ହଳଦିଆ ରଙ୍ଗର ବଲ୍‍ବଟି ରାତ୍ରିସାରା ଜଳୁଥାଏ ।

 

ଆଶାଲତା ଦେବୀ ତା ପରଦିନ ଖବରଟି ଶୁଣି ବହୁତ ଦୁଃଖିତ ହେଲେ । ସଙ୍ଗେ ସଙ୍ଗେ ସେ ଶାନ୍ତିର ଛୁଟି ମଞ୍ଜୁର କରି ଦେଇ ତାକୁ ଗାଁକୁ ଯିବା ପାଇଁ କିଛି ଟଙ୍କା ମଧ୍ୟ ଦେଲେ ।

 

ରମେଶ ଖଣ୍ଡେ ଚିଠି ଲେଖି ଦେଇଥିଲା ତା ବାପାଙ୍କ ପାଖକୁ ଥେସିସ୍‍ର କେତୋଟି କାମ ବାକି ରହିଥିବାରୁ ସେ ବର୍ତ୍ତମାନ ଗାଁକୁ ଯାଇ ପାରୁନାହିଁ । କିଛି ଦିନ ଡେରିରେ ଯିବ ।

 

ଶାନ୍ତି ଓ ରମେଶ ଷ୍ଟେସନରେ ଯାଇ ପହଞ୍ଚିଲେ । ଶିଶିର ଯାଇଥିଲା ସେମାନଙ୍କୁ ଛାଡ଼ିବାକୁ ।

 

ଗାଡ଼ି ଆସିବାକୁ କିଛି ଡେରିଥାଏ । ଶିଶିର ଏମାନଙ୍କଠାରୁ ଅଳ୍ପ ଦୂରରେ ଠିଆ ହୋଇଥାଏ ।

 

ଶିଶିର.....ରମେଶ ଡାକିଲା ।

 

କଣ..... ?

 

ଦୂରରେ କାହିଁକି ଠିଆ ହୋଇଛୁ ।

 

“..........”

 

ଶିଶିର ସେପରି ଗମ୍ଭୀର ହୋଇ ଠିଆ ହୋଇଥାଏ ।

 

ଗାଡ଼ି ଆଉ କେତେ ଡେରିଅଛି ।

 

ଜାଣେନା......ଯଦି କହିବୁ ବୁଝି ଆସିବି ।

 

ବୁଝି ଆସିଲେ ଭଲ ହୁଅନ୍ତା ।

 

ଆଚ୍ଛା ହଜୁର......ଅଳ୍ପ ବ୍ୟଙ୍ଗ କରି କହିଲା ଶିଶିର । ସେ ମନେକଲା ଯେପରି ରମେଶ ତାଠାରୁ ଦୂରେଇ ଯାଉଛି । ନିଜେ ହସି ହସି ଶାନ୍ତି ସହିତ କଥା ହେଉଥିବ ଆଉ ମୁଁ ଯାଇ ଇନ୍‍କ୍ୱାଇରୀ ଅଫିସର କାଉଣ୍ଟରରେ ଠିଆ ହୋଇଥିବି । ଚାକର ଭାବୁଛି ବୋଧେ ମନେ ମନେ ରାଗି ଯାଉଥିଲା ଶିଶିର ।

 

ସେ କିଛି ଦୂର ଯାଇଛି କି ନାହିଁ ଟ୍ରେନ ଆସିବାର ଦେଖା ଗଲା । ଫେରି ଆସିଲା ଶିଶିର-

 

ଅଳ୍ପ ସମୟ ପରେ ଘର୍ଘର ଶବ୍ଦରେ ଗାଡ଼ି ପହଞ୍ଚିଲା ପ୍ଳାଟ ଫର୍ମରେ । ପ୍ଳାଟଫର୍ମର ଜନତା ବ୍ୟସ୍ତ ହୋଇ ଉଠିଲେ । କୋଳାହଳରେ ପୁରିଗଲା ପ୍ଳାଟଫର୍ମଟି ।

 

କୁଲି ନେଇ ଜିନିଷ ପତ୍ର ଗୋଟିଏ ଡବାରେ ରଖିଦେଲା ।

 

ରମେଶ ଓ ଶାନ୍ତି ବସି ପଡ଼ିଲେ । ଗାଡ଼ି ଦଶମିନିଟ ଖଣ୍ଡେ ରହିବ । ଶିଶିର ମଧ୍ୟ ଗାଡ଼ିକୁ ଉଠିଲା ।

 

କେବେ ଫେରିବୁ ରମେଶ ? ଶିଶିର ପଚାରିଲା ।

 

ସେ କଥା ଶାନ୍ତି କହି ପାରିବ । ରମେଶ ଉତ୍ତର ଦେଲା ।

 

ଶିଶିରକୁ ଭାରି ଖରାପ ଲାଗିଲା ରମେଶର କଥା ଶୁଣି । ପୁରୁଷ ନିଜେ ଆତ୍ମ ନିର୍ଭରଶୀଳ ହେବା ଉଚିତ । ଗୋଟିଏ ନାରୀର ଆଶ୍ରୟ ଉପରେ ନିର୍ଭର କରିବା ମୋଟେ ଉଚିତ ନୁହେଁ । ତେଣୁ ରମେଶର ଉତ୍ତରରେ ଏହା ପୁରୁଷର ସ୍ଵଭାବ କିମ୍ବା କ୍ଷଣିକର ମୋହ ବନ୍ଧନ ସେ କିଛି ବୁଝି ପାରିଲା ନାହିଁ ।

 

ଶାନ୍ତି ହସି ଦେଲା । କିଛି କହିଲା ନାହଁ ।

 

ପ୍ରାୟ ସପ୍ତାହେ ଖଣ୍ଡେ ଲାଗିବ । ରମେଶ କହିଲା ।

 

ଗାଡ଼ି ହୁଇସିଲ ଦେଲା । ଶିଶିର ତଳକୁ ଚାଲି ଆସିଲା ଡବାରୁ ।

 

ଗାଡ଼ି ବ୍ରହ୍ମପୁରରେ ପହଞ୍ଚିଲା ବେଳକୁ ସାଢ଼େ ଛ । ସେମାନେ ଯାଇ ସିଧା ଶାନ୍ତି ଘରେ ପହଞ୍ଚିଲେ । ଘର ଦେଖି ଶାନ୍ତି କାନ୍ଦି ଉଠିଲା ।

 

ସାହିର ଲୋକେ ଶାନ୍ତି ସହିତ ଅନ୍ୟ ଗୋଟିଏ ଯୁବକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ତା ବିଷୟରେ ଆରମ୍ଭ କରି ଦେଲେ ବିଷ ଉଦ୍‍ଗାରଣ ।

 

ଯେଉଁମାନେ ତା ମାଁଙ୍କ ଶବଦାହ କରିଥିଲେ ସେମାନେ ଜଣେ ଜଣେ ଆସି ଶାନ୍ତିକୁ ଆଶ୍ୱାସନା ଦେଇ ଗଲେ ।

 

ସେ ଦିନ ସନ୍ଧ୍ୟାରେ ଶାନ୍ତି ଓ ରମେଶ ଚାହା ପିଉଥାନ୍ତି । ହଠାତ୍ ଶାନ୍ତି ପଚାରିଲା, ରମେଶ ବାବୁ, ଆପଣ କାହିଁକି ଏତେ ଗମ୍ଭୀର ରହିଛିନ୍ତି ?

 

ଗମ୍ଭୀର–କାହିଁ... ନାହିଁତ...

 

ଆପଣ ଆଉ ଆଗ ଭଳି ହସ ଖୁସିରେ କଥା ବାର୍ତ୍ତା କରୁନାହାନ୍ତି ।

 

ରମେଶ କିଛି କହିଲା ନାହିଁ ।

 

ଦୁହେଁ ଚାହା ପିଆରେ ମନଦେଲେ । କିଛି ସମୟ ନିରବରେ କଟିଗଲା ।

 

କିଛି ସମୟପରେ ରମେଶ ଡାକିଲା, ଶାନ୍ତି.....

 

ଉଁ......ହସ ହସ ମୁହଁରେ ଶାନ୍ତି ଉତ୍ତର ଦେଲା ।

 

ଲୋକେ କାହିଁକି ତୁମକୁ ଏତେଟା........ଶାନ୍ତିର ମୁହଁକୁ ଦେଖିଚୁପ୍ ହୋଇଗଲା ରମେଶ-। କଥା ତାର ଅଧା ରହିଗଲା ।

 

ରମେଶର କଥା ଶୁଣୁ ଶୁଣୁ ଶାନ୍ତିର ହସ କେଉଁଆଡ଼େ ଉଭେଇ ଗଲା । ତାର ଆଖି ଛଳଛଳ ହୋଇଉଠିଲା । ରମେଶ କିଛି ବୁଝି ପାରୁ ନଥାଏ । ସେ ଆଶ୍ଚର୍ଯ୍ୟରେ ଚାହିଁଥାଏ ଶାନ୍ତି ମୁହଁକୁ ।

 

କିଛି ସମୟ ଚୁପ୍ ହୋଇ ବସିଲା ପରେ ଶାନ୍ତି ନିସ୍ତବ୍‍ଦତା ଭଗ୍ନ କଲା ।

 

ରମେଶ ବାବୁ......

 

ଉଁ.......

 

ଆପଣ କଣ ଭାବୁଛନ୍ତି ?

 

ନା, କିଛି ନୁହେଁ.......

 

ଆଛା ଆପଣ କହି ପାରିବେ ପାପ ଓ ପୁଣ୍ୟ କଣ ?

 

ମୁଁ ସେ ବିଷୟରେ କେବେ ଭାବି ନାହିଁ ।

 

ଆପଣ ଭାବି କହି ପାରିବେ ତ ପାପ କାହାକୁ କୁହାଯାଏ ଓ ପୁଣ୍ୟ କାହାକୁ .....

 

ଶାନ୍ତିର କଥାରେ ବାଧା ଦେଇ ରମେଶ କହିଲା, “ମୁଁ ଭାବିବାକୁ ଚାହେଁ ନାହିଁ ।”

 

ତା ହେଲେ ଆପଣ ସେ ପ୍ରଶ୍ନ କାହିଁକି ଉଠାଇଥିଲେ ?

 

କେଉଁ ପ୍ରଶ୍ନ ? ରମେଶ ପଚାରିଲା ।

 

ଏଇ ଲୋକେ କଥା କଥାକୁ କାହିଁକି......

 

ଏମିତି...ମତେ ସେମାନଙ୍କ ବ୍ୟବହାର ଭଲ ଲାଗୁନାହିଁ । ସେମାନେ ବ୍ୟବହାର ଜାଣନ୍ତି ନାହିଁ । ସେମାନେ କିପରି ଗୋଟାଏ ଘୃଣାପୂର୍ଣ୍ଣ ଦୃଷ୍ଟିରେ ମୋ ଆଡ଼କୁ ଚାହୁଁଛନ୍ତି । ରମେଶ କହିଲା ।

 

ଆପଣଙ୍କୁ ଖରାପ ଲାଗୁଛି ନା......

 

ନିଶ୍ଚୟ......

 

ଏ ସବୁର କାରଣ ମୁଁ । ମୋ ସକାଶେହିଁ ଲୋକେ ଆପଣଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି । ବିଚିତ୍ର ଏ ସମାଜ । ବିଚିତ୍ର ଏମାନଙ୍କ ବୁଝିବା ଶକ୍ତି । ନାରୀ ପୁରୁଷକୁ ଜନ୍ମ ଦିଏ । ପୁରୁଷ ତାକୁ ଦିଏ କଣ ? ନିନ୍ଦା, ଅପମାନ, ଦୁର୍ନାମ, ବଜାର । ଆଜି ଯଦି ଆମେ ଦେଖୁ ଗୋଟିଏ ସ୍ତ୍ରୀ ପତିତା ହୋଇ, ବେଶ୍ୟା ହୋଇ ନିଜର ସୌଦା କରୁଛି କାହା ପାଇଁ । ଏଇ ପୁରୁଷ ପାଇଁ । ମୁଁ... ମୁଁ ମଧ୍ୟ ଗୋଟିଏ ନାରୀ, ଅସହାୟ—ତେଣୁ ଅସହାୟ ଅବଳା ପ୍ରତି ଯାହା ହେବା କଥା ମୋ ପକ୍ଷରେ ତାର ବ୍ୟତିକ୍ରମ କିପରି ହୁଅନ୍ତା—ଶେଷ ଆଡ଼କୁ ଶାନ୍ତିର ସ୍ୱର ବଡ଼ କରୁଣ ହୋଇ ପଡ଼ିଲା ।

 

ପରିସ୍ଥିତିକୁ ଅଳ୍ପ ହାଲୁକା କରିଦେବାକୁ ରମେଶ କହିଲା ହଉ ଛାଡ଼ ସେ କଥା । ଚାଲ ଖାଇବାକୁ ଯିବା ଭୋକ ହେଲାଣି ।

 

ଶାନ୍ତି କିଛି କହିଲା ନାହିଁ ।

 

ଦୁହେଁ ସେଠାରୁ ଉଠି ଖାଇବାକୁ ଚାଲିଗଲେ ।

 

ଏହା ଭିତରେ ଦୁଇ ସପ୍ତାହ ଖଣ୍ଡେ ଅତୀତ ହୋଇ ଗଲାଣି । ଶ୍ରାଦ୍ଧ କର୍ମ ଶେଷ ହୋଇ ଯାଇଛି । ଅବଶ୍ୟ ଖୁବ୍ କମ୍‍ ଲୋକ ଯୋଗ ଦେଇଥିଲେ । ଶାନ୍ତିର ସେଥିପ୍ରତି ଭୃକ୍ଷେପ ନାହିଁ । ଲୋକଙ୍କ କଥାକୁ ସେ କେବେ କାନ ଦେଇ ନାହିଁ । କାନ ଦେବ ନାହିଁ ମଧ୍ୟ ।

 

ଆଜି ସେମାନେ ଫେରେ କଟକ ଫେରିଯିବେ । ବେଡ଼ିଙ୍ଗ୍ ପତ୍ର ବନ୍ଧା ଶେଷ ହେଲା ।

 

ଦୁହେଁ ଖାଇ ବସିଲେ । ଖାଇସାରି ଗାଡ଼ି ଧରିବାକୁ ହେବ ।

 

ଖାଉ ଖାଉ ରମେଶ ଡାକିଲା, ଶାନ୍ତି......

 

ଉଁ.........

 

ତୁମେ ଆଉ କେବେ ଏଠାକୁ ଫେରି ଆସିବ ନାହିଁ ।

 

ବର୍ତ୍ତମାନ କିପରି କହିପାରିବି ତାହା ତ ଭବିଷ୍ୟତର କଥା । କିନ୍ତୁ ଭବିଷ୍ୟତର କଥା ତ ବେଳେ ବେଳେ ଜଣାଯାଇଥାଏ । ଭବିଷ୍ୟତ ତ ଅନିଶ୍ଚିତ ତାହା କିପରି ଜଣା ପଡ଼ିବ । ଶାନ୍ତି କହିଲା ।

 

ରମେଶ କଥାର ମୋଡ଼ ବଦଳାଇବାକୁ ଯାଇ କହିଲା ତୁମର ସାହିର ଲୋକ ଭାରି ଖରାପ ।

 

କାହିଁକି.... କଣ ହେଲା ? ଶାନ୍ତି ନ ଜାଣିଲା ଭଳି ପଚାରିଲା ।

 

ସେମାନେ ତୁମ ଓ ମୋର ମଧ୍ୟରେ... କହୁ କହୁ ଅଟକିଗଲା ରମେଶ ।

 

ବିଷ ଉଦ୍‍ଗାରଣ କରୁଛନ୍ତି । ତାହା କଟକରେ ମଧ୍ୟ ହେଉଥିଲା ତ-ବାକ୍ୟ ପୂର୍ଣ୍ଣକଲା ଶାନ୍ତି ।

 

କିନ୍ତୁ ଜଣକର ବ୍ୟକ୍ତିଗତ କଥାକୁ ନେଇ ଅପବାଦ କରିବା ମୁଁ ଶୁଣି ନଥିଲି ।

 

ଆପଣ ସେଥିପ୍ରତି ଦୃଷ୍ଟି ଦେଇ ନ ଥିଲେ । ଯଦି ଆପଣ କେବେ ଶିଶିର ବାବୁଙ୍କ କଥାପ୍ରତି ଦୃଷ୍ଟି ଦିଅନ୍ତେ ତାହେଲେ ଅକ୍ଳେଶରେ ଜାଣି ପାରନ୍ତେ ।

 

ତାହେଲେ କଣ ଶିଶିର ମଧ୍ୟ ସେଇଆ ଭାବୁଛି ।

 

ସେ ଜଣେ ନୁହନ୍ତି । ସମସ୍ତେ ସେଇଆ ଭାବିବେ । ଯୁଗତ ସେଇଆ । ଆଜିକାଲି ପ୍ରେମ ଏତୋଟା ଶସ୍ତା ହୋଇ ପଡ଼ିଲାଣି, ଜଣେ ଅନ୍ୟ ସହିତ କଥାବାର୍ତ୍ତା ହେବା ଭୁଲ୍‍, ଗୋଟିଏ ବନ୍ଧୁଙ୍କ ଘରକୁ ବୁଲିଯିବା ଭୁଲ୍‍ । ସବୁ ଭୁଲ୍‍ । ସମାଜ ସହ୍ୟ କରି ପାରିବ ନାହିଁ । ଅପବାଦ କରିବ, ନିନ୍ଦା କରିବ, ତେଣୁ ସମାଜ ପ୍ରତି ଦୃଷ୍ଟି ନଦେବାହିଁ ଭଲ । ଯଦି ସମାଜର ସବୁଗୁଡ଼ା କଥା ଆପଣ ଧରନ୍ତି ତାହେଲେ ବୋଧହୁଏ ପାଦଟିଏ ଆଗେଇ ପାରିବେ ନାହିଁ ।

 

କିନ୍ତୁ ସମାଜକୁ ଛାଡ଼ି ସେ ଆମେ ବଞ୍ଚିପାରିବା ନାହିଁ ଶାନ୍ତି । ଆମେ ସାମାଜିକ ଜୀବ ।

 

କାହିଁକି, ସମାଜ କଣ ଦିଏ ନା ନିଏ, ସମାଜରୁ ଆମକୁ କଣ ମିଳିବ । ହଁ ଅବଶ୍ୟ ନିନ୍ଦା ଦିଏ, ଅପବାଦ ଦିଏ, କୁତ୍ସାରଟନା କରେ । ଭଲ କଣ କରେ । ଜଣକୁ ମଦ ପିଆଇବା ଶିଖେଇ ଦେବା ଅତି ସହଜ । କିନ୍ତୁ ଜଣେ ମଦ ପିଇ ମାତାଲ ହୋଇ ରାସ୍ତାରେ ଗଡ଼ିଲେ କେତେ ଲୋକ ଅଛନ୍ତି ସେମାନଙ୍କୁ ତୋଳି ଧରିବାକୁ, ରାସ୍ତାରୁ ଉଠାଇ ନେବାକୁ । ଖାଲି କଣ ନା ଉପଦେଶ ଦେବେ । ପରକୁ ଉପଦେଶ ସମସ୍ତେ ଦେଇ ପାରନ୍ତି । ନିଜ ଭିତରଟି କିଏ ଦେଖନ୍ତି ନାହିଁ । ଯଦି ଗୋଟିଏ ଯୁବତୀ ଚାରିଦିନ ଭାତ ମୁଠିଏ ପାଇନାହିଁ ତାକୁ ଗଣ୍ଡେ ଖାଇବାକୁ ଦେବାକୁ ପାଖରେ ଠିଆ ହୋଇ ଦୁଇପଦ କଥା ହେବାକୁ କିଏ ନାହାନ୍ତି । କିନ୍ତୁ ସେ ଯଦି ପେଟ ବିକଳରେ ବେଶ୍ୟା ପଡ଼ାରେ ପଶେ ତାହେଲେ ଜାତିରୁ ବାହାର କରି ଦେବାକୁ, ଏକ ଘରକିଆ କରିବାକୁ ବଡ଼ ବଡ଼ ସଭା ସମିତି ଡାକନ୍ତି । ଏଇଆକୁ କହୁଛନ୍ତି ଆପଣ ସମାଜ ? ଏମାନେ ସାମାଜିକ ଜୀବ ? ଏମାନେ ପଶୁଠାରୁ ହୀନ । ପଶୁର ମଧ୍ୟ ଟିକିଏ ହେଲେ ଦୟା, ମମତା ଅଛି । ଏମାନଙ୍କ ପାଖେ ତାହା ଭି ନାହିଁ । ଶାନ୍ତି ଉତ୍ତେଜିତ ହୋଇ କହି ଚାଲିଗଲା ।

 

ରମେଶ ଅବାକ୍ ହୋଇ ଶୁଣି ଯାଉଥାଏ ଶାନ୍ତିର ଯୁକ୍ତି । ତାହେଲେ ତୁମେ ପରିସ୍ଥିତି ପ୍ରତି ଖୁବ୍ ଦୃଷ୍ଟି ଦେଇଛ ଦେଖୁଛି ।

 

ପିଲା ବେଳରୁହିଁ ମୁଁ ଧୋକା ଖାଇଛି । ତେଣୁ ଦାରିଦ୍ର୍ୟ ଓ ଆଶ୍ରୟହୀନତା ମତେ ଏଥିପ୍ରତି ଦୃଷ୍ଟି ଦେବାରେ ବାଧ୍ୟ କରିଛି ।

 

ଦୁହେଁ ଖାଇ ସାରିଥିଲେ ।

 

ଶାନ୍ତି ପଡ଼ିଶା ଘର ହୀରା ମାଉସୀକୁ କହି ଆସିବାକୁ ଚାଲିଗଲା । ସାହିରେ ହୀରା ମାଉସୀକୁ ଛାଡ଼ି ଦେଲେ ତାକୁ ଆଦର କରିବା ଲୋକ ଆଉ କିଏ ନଥିଲେ ।

 

ମାଉସୀ...ଓ ମାଉସୀ...କେଉଁଠି ଅଛ ? ଡାକି ଡାକି ଶାନ୍ତି ତାଙ୍କ ଘରେ ପଶିଗଲା ।

 

କାହିଁକି ଏତେ ପାଟି କରୁଛୁ ଲୋ...ସେଇଠି ବସ ମୁଁ ଯାଉଛି...ହୀରା ମାଉସୀ ପାଟି କରି ଉଠିଲା ରୋଷେଇ ଘରୁ ।

 

ବସିବାକୁ ବେଳ ନାହିଁ ମାଉସୀ ଗାଡ଼ି ସମୟ ହୋଇ ଗଲାଣି । ଚଞ୍ଚଳ ଆସ । ପ୍ରଣାମ କରିଦେଇ ଯାଏ......ଜାଣେ ନା ଆଉ ଥରେ କେବେ ଫେରିବି ।

 

ହୀରା ମାଉସୀ ବାହାରକୁ ଆସିଲେ । ଶାନ୍ତି ତାଙ୍କ ପାଦ ଛୁଇଁଲା ।

 

ମୁଁ ତ କଣ ବଡ଼ ବିଚିତ୍ର ଖବର ଶୁଣୁଛି ଲୋ ଝିଅ ? ସେ କହିଲେ ।

 

କଣ........ ?

 

ସେ ମ, ତୋ ସାଥିରେ ଯିଏ ଆସିଛି ।

 

ମାଉସୀ, ମୁଁ ଗରିବ, ଅସହାୟା, ତେଣୁ ଗରିବର କି ମାନ ମହତ୍ୱ । ସେ ତ ସମସ୍ତଙ୍କ ମନୋରଞ୍ଜନ କରିବାରେ ଗୋଟିଏ ଖେଳଣା... ଟିକିଏ ଗମ୍ଭୀର ହୋଇ କହିଲା ଶାନ୍ତି ।

 

ହଉ ଛାଡ଼ ଲୋ ଝିଅ, ପର କଥାରେ କଣ ଅଛି । ନିଜେ ଭଲ ତ ଦୁନିଆ ଭଲ । ଭୁକନ୍ତୁ କୁକୁରଙ୍କ ପରି । ଆମର କଣ ଆଛି । ହାତୀ ଚାଲୁଥାଏ କୁକୁର ଭୁକୁଥାଏ । ହଉ ଯାଉଛୁ ତ ଗଣ୍ଡେ ଖାଇ ଦେଇ ଯାଇଥା......

 

ତାଙ୍କ କଥାରେ ବାଧା ଦେଇ ଶାନ୍ତି କହିଲା ମୁଁ ତ ବର୍ତ୍ତମାନ ଖାଇ ଦେଇ ଆସୁଛି ।

 

ହଁ ଲୋ ଝିଅ, ମାଉସୀର ଭାତ ଆଉ କାହିଁକି ଭଲ ଲାଗିବ । ତୁ ତ ବଡ଼ ସହରରେ ରହିଲୁଣି । କେତେ ଅପୂରୁବ ଖାଉଥିବୁ । ସେ ଅଭିମାନ କରି କହିଲେ ।

 

ସେ କି କଥା କହୁଛ ମାଉସୀ । ଶାନ୍ତି ପ୍ରତିବାଦ କଲା । ମୁଁ ଭୋକ ନାହିଁ ବୋଲି କହୁଥିଲି ନା......ହଉ ଦିଅ, ଦେଖିବ ଏତେଟା ଖାଇବି ଯେ ପେଟ ଫାଟିଯିବ ।

 

ହୀରା ମାଉସୀ ଭାତ, ତରକାରୀ ଆଣି ଶାନ୍ତି ଆଗରେ ରଖି ଦେଲେ ।

 

ଶାନ୍ତି ଅନିଛାସତ୍ଵେ ଖାଇ ବସିଲା ।

 

ତା ପାଖରେ ବସୁ ବସୁ ସେ କହିଲେ—ହଁ ଲୋ ଝିଅ ତାହେଲେ ତୁ କଟକ ଯାଉଛୁ ।

 

ହଁ ମାଉସୀ ସେଠାରେ ଗୋଟିଏ କଲେଜରେ ମାଷ୍ଟ୍ର ହୋଇଛି ।

 

ଭଲ କରିଛୁ ଝିଅ । କିନ୍ତୁ ଟିକିଏ ସାବଧାନରେ ଚଳିବୁ । ଯେପରି ଆଉ କିଛି ଭୁଲ୍‍ ନକରି ବସୁ......ଆରେ, ମୁଁ ତ କହିବା ଭୁଲି ଯାଇଛି ପାଞ୍ଚ ଛ’ମାସ ପରେ କଟକ ଯିବି । ଗଲେ ତୋ ପାଖକୁ ଯିବି ଯେ......

 

ନିଶ୍ଚୟ ଆସିବ ମାଉସୀ......

 

ଶାନ୍ତି ଖାଇ ସାରିଥିଲା ।

 

ସେ ଆଉ ଥରେ ମାଉସୀର ପାଦ ଛୁଇଁଲା ।

 

ହୀରା ମାଉସୀ ତାକୁ ତଳୁ ଉଠାଇ ନେଇ ସ୍ନେହରେ କେହିଲେ, ଭୁଲିବୁ ନାହିଁ ଲୋ ଝିଅ, ତୋର ଏ ଗରିବ ମାଉସୀକୁ......

 

ହଠାତ୍ ଶାନ୍ତିକୁ ତାର ମାଁଙ୍କ କଥା ମନେ ପଡ଼ିଗଲା । ସେ କଟକ ଗଲା ବେଳେ ତା ମାଁ ମଧ୍ୟ ଏପରି ବୋକ ଦେଇଥିଲା । ଘରଟିଏ ଦେଖି ସେ ଆସି ତାଙ୍କୁ ନେଇଯିବ ବୋଲି କଥା ଦେଇଥିଲା । କିନ୍ତୁ...ଭଗବାନଙ୍କ ଇଚ୍ଛା ଅନ୍ୟ ପ୍ରକାର । ଆଖି ତାର ଛଳ ଛଳ ହୋଇଗଲା ।

 

ତାଙ୍କଠାରୁ ବିଦାୟ ନେଇ ଫେରି ଆସିଲା ଶାନ୍ତି ।

 

ତାକୁ ଦେଖୁ ଦେଖୁ ରମେଶ କହିଲା—ଯିବା ।

 

ହଁ......

 

ହଠାତ୍ କାହିଁକି ଗମ୍ଭୀର ହୋଇଗଲ ।

 

କାହିଁ ନାହିଁତ......

 

ତାହା ତ ତୁମର ମୁଁହ କହୁଛି......

 

ଆପଣ ମନୋବିଜ୍ଞାନ ପଢ଼ିଛନ୍ତି ନା କଣ ?

 

ହଁ ଏତେଟା ପଢ଼ିଛି ଯେ ଜଣଙ୍କର ମନକୁ ମାପି ପାରିବି ମଧ୍ୟ ।

 

ମୋ ମନକୁ......

 

ନ ହେଲେ ଆଉ କାହାର......

 

ଦୟାକରି ଆଉ ମାପନ୍ତୁ ନାହିଁ ।

 

ତାହେଲେ ତୁମେ କିଛି କହିବ ନାହିଁ ?

 

ଶୁଣି କଣ କରିବେ ?

 

ହଉ ନା କହ......

 

କଣ ରାଗି ଗଲେ......

 

ମୁଁ ତୁମ ଉପରେ ରାଗିବାକୁ କିଏ ?

 

ରମେଶର କଥା ଶାନ୍ତି ଦେହରେ ଶର ଭଳି ଗଳିଗଲା । କିନ୍ତୁ ସେ କିଛି କହିଲା ନାହିଁ ।

 

ରମେଶ ଯାଇ ରିକ୍‍ସା ନେଇ ଆସିଲା । ଦୁହେଁ ବସିଗଲେ ରିକ୍‍ସାରେ । ରିକ୍‍ସା ଚାଲୁଥାଏ ଷ୍ଟେସନ୍ ରାସ୍ତାରେ ।

 

ହଠାତ୍ ରମେଶ ଡାକିଲା, ଶାନ୍ତି.......

 

ଉଁ......

 

କଣ ଏତେ ଭାବୁଛ ?

 

“……...........”

 

ଶାନ୍ତି କିଛି କହିଲା ନାହିଁ ସେପରି ବସିଥାଏ ।

 

ହଉ ତୁମର ବ୍ୟକ୍ତିଗତ କଥା ଶୁଣିବାରେ ମୋର କି ଅଧିକାର ଅଛି ।

 

ରମେଶ ବାବୁ...ଶାନ୍ତି ଡାକିଲା ।

 

କଣ..... ?

 

ଆଜି ଆପଣ କଣ ଏପରି କଥାବାର୍ତ୍ତା କରୁଛନ୍ତି ।

 

ତୁମେ କାହିଁକି କଥାଟିକୁ ଲୁଚାଉଛ ।

 

କଣ ଲୁଚାଇଲି ଯେ......

 

ଆଉ କଣ କହିଲ.....

 

ଶୁଣି କଣ କରିବେ ……ଶୂନ୍ୟରେ ଚିନ୍ତିତ ହୋଇ ପଡ଼ିବେ ।

 

ଓ ହୋ, ମୋ ପ୍ରତି ଏତେଟା ଦୟା.......

 

ନ ହେଲେ ଆପଣ କଣ ଭାବୁଛନ୍ତି....

 

ତାହେଲେ, ତାହେଲେ ତୁମେ କିଛି କହିବ ନାହିଁ.....

 

“……..”

 

ହଠାତ୍ ରମେଶ କହିଲା, ମୋରାଣ ଶାନ୍ତି, ବର୍ତ୍ତମାନ ତୁମେ କଣ ଭାବୁଥିଲ କହ......

 

ଛି, ଆପଣ ବଡ଼ ଦୁଷ୍ଟ, ଏଇ ସାମାନ୍ୟ କଥାରେ ସଙ୍ଗେ ସଙ୍ଗେ ରାଣ, ନିୟମ ।

 

ସେ କେବେ ଆଶା କରିନଥିଲା ଏଇ ସାମାନ୍ୟ କଥାରେ ରମେଶ ରାଣ ପକାଇ ଦେବ-

 

ସେ କହିଲା, ଭାବୁଥିଲି...

 

କଣ... ? ରମେଶ ଉତ୍କଣ୍ଠାରେ ପଚାରିଲା ।

 

ଏଇ...ଆତ୍ମିୟ ଓ ପର ମଧ୍ୟରେ ପାର୍ଥକ୍ୟ କଣ...

 

ବାସ୍...ହସି ଉଠିଲା ରମେଶ ।

 

“…………...”

 

କଣ ପାର୍ଥକ୍ୟ ଦେଖିଲ ଏଦୁଇଟି ଭିତରେ ।

 

ତା ବର୍ତ୍ତମାନ ଯାଏଁ ବି ଠିକ୍ ରୁପେ ଧରି ପାରିନାହିଁ ।

 

କେତେ ଡେରି ଲାଗିବ ?

 

ବୋଧହୁଏ ଜୀବନ ଯାକ......

 

ରିକ୍‍ସା ପହଞ୍ଚିଲା ଷ୍ଟେସନରେ । ଦୁହେଁ ଅପେକ୍ଷା କଲେ ଗାଡ଼ିର ।

 

ଗୋଟିଏ ଭିଖାରୁଣୀ ଆସି ହାତ ପତେଇ ମାଗିଲା ବାବୁ ।

 

ଦୁହେଁ ତା ଆଡ଼କୁ ଚାହିଁଲେ ।

 

ବାବୁ, ଭଗବାନ ଆପଣ ଦୁଇଜଣଙ୍କ ମଙ୍ଗଳ କରିବେ । କିନ୍ତୁ ସେ ବୋହୁର କୋଳ ପୁରି ଉଠିବ...କିଛି ମିଳିଯାଉ ବାବୁ ।

 

ରମେଶ, ଶାନ୍ତିକୁ ଓ ଶାନ୍ତି ରମେଶକୁ ଚାହିଁଲା.......

 

ହଠାତ୍ ଶାନ୍ତି ହସି ଉଠିଲା । କିନ୍ତୁ କ’ଣ ଭାବି ଗମ୍ଭୀର ହୋଇଗଲା ।

 

କିଛି ପଇସା ପାଇବା ପରେ ଭିଖାରୁଣୀ ଆଶୀର୍ବାଦ କରି ଚାଲିଗଲା ।

 

ଲାଇନ୍ କ୍ଳିଅର ହୋଇ ଯାଇଥାଏ । ଗାଡ଼ି ଆସି ପହଞ୍ଚିଲା । ଗାଡ଼ିରେ ସେତେ ଭିଡ଼ ନଥାଏ । ଗୋଟିଏ ସିଟରେ ବେଡ଼ିଙ୍ଗ୍‍ଟି ବିଛେଇ ଦେଲା ରମେଶ । ଦୁହେଁ ବସି ପଡ଼ିଲେ । ଗାଡ଼ି ଛାଡ଼ିବାକୁ ଗଲାବେଳେ ଆଉ ଜଣେ ଯୁବକ ଓ ଯୁବତୀ ଡବାଟିକୁ ପଶି ଆସିଲେ ।

 

ରାତ୍ରିର ଘନ ଅନ୍ଧକାର ଭେଦକରି ଗାଡ଼ି ଆଗେଇ ଚାଲିଲା । ଶାନ୍ତି ଥରେ ଯୁବତୀଟିକୁ ଦେଖି ନେଲା । ଯୁବତୀଟି ମଧ୍ୟ । କିନ୍ତୁ କିଏ କଥା କହିଲେ ନାହିଁ ।

 

ଗାଡ଼ି ଆସି ଖୋର୍ଦ୍ଧା ରୋଡ଼ରେ ପହଞ୍ଚିଲା । ସେତେବେଳେ ଯୁବକ ଜଣକ ଶୋଇ ଯାଇଥିଲା ।

 

ଶାନ୍ତିକୁ ଭୀଷଣ ଶୋଷ ହେଲା । ରମେଶ ଓହ୍ଲାଇ ପାଣି ଆଣିବାକୁ ଚାଲିଗଲା । ଶାନ୍ତି ବାହାରକୁ ଚାହିଁ ବସିଥାଏ । ହଠାତ୍ ଅନ୍ୟ ଯୁବତୀଟି ଡାକିଲେ—ଭଉଣୀ ଶାନ୍ତି ଫେରି ଚାହିଁଲା—କ’ଣ ?

 

କଟକ........

 

ଆପଣ........

 

ସେଇଠିକି........

 

ସେ କିଏ ? ଯୁବତୀଟି ରମେଶ ଉଦ୍ଦେଶ୍ୟରେ ପଚାରିଲେ ।

 

‘‘............’’ ଶାନ୍ତି କିଛି କହିଲା ନାହିଁ । ଅଳ୍ପ ହସି ଦେଲା ।

 

ଆପଣ କହିଲେ ସେ କିଏ ? ଶୋଇଥିବା ଯୁବକକୁ ଲକ୍ଷ କରି ଶାନ୍ତି ପଚାରିଲା ।

 

ସ୍ୱାମୀ...ଯୁବତୀ ଜଣକ କହିଲେ । ଆମର ଇଏ ସବୁବେଳେ ଏପରି...ଗାଡ଼ି ଟିକିଏ ହଲିଲେ ଶୋଇ ପଡ଼ିବେ । କିନ୍ତୁ ତମର ସେ ତ ଭାରି ଭଲ ଦେଖୁଛି...ତମକୁ ଶୋଷ ହେଲା ପାଣି ସକାଶେ ଚାଲିଗଲେ...ମୁଁ କାହାକୁ କହିବି.......

 

ତାହେଲେ ଆପଣଙ୍କୁ ମଧ୍ୟ ଶୋଷ ହେଉଛି.....

 

ହଁ.......

 

ହଉ, ସେ ଆଣୁଛନ୍ତି ତ ଟିକିଏ ପିଇଦେବେ ।

 

ରମେଶ ପାଣି ନେଇ ପହଞ୍ଚିଲା ।

 

ଶାନ୍ତି ଗ୍ଳାସରେ ପାଣି ଢାଳି ଯୁବତୀଟିକୁ ବଢ଼ାଇ ଦେଲା ।

 

ସେ ଏକ ନିଶ୍ୱାସରେ ପାଣିତକ ଶେଷ କରି ଦେଲେ ।

 

ଆଉ ଦରକାର......

 

ନା..........

 

ଶାନ୍ତି ନିଜେ ଗ୍ଳାସେ ପାଣି ପିଇଲା ।

 

ସେମାନେ କେଉଁଠାକୁ ଯିବେ ? ରମେଶ ଧିରେ ପଚାରିଲା ।

 

କଟକ.....

 

ସ୍ୱାମୀ, ସ୍ତ୍ରୀ... ?

 

ହଁ ।

 

ତୁମକୁ କିଛି ପଚାରିଲେ ?

 

ହଁ......

 

କଣ...... ?

 

ଏଇ ଆପଣ ମୋର କଣ......

 

ଯାହା ସମସ୍ତେ ବୁଝୁଛନ୍ତିଁ ।

 

ସେପରି କାହିଁକି କହିଲ ?

 

ଏ ପ୍ରଶ୍ନର ଉତ୍ତର ଆପଣ ନିଜକୁ ପଚାରନ୍ତୁ ।

 

ରମେଶ କିଛି କହିଲା ନାହିଁ । ତାକୁ ଭୀଷଣ ନିଦ ଆସୁଥାଏ । ସେ ସେହିପରି ବସି ଢୁଳାଇବାରେ ଲାଗିଲା । ବେଳେ ବେଳେ ତାର ମୁଣ୍ଡ କମ୍ପାଟମେଣ୍ଟର ଝରକାରେ ବାଜୁଥାଏ ।

 

ଭଉଣୀ...ଯୁବତୀଟି ଡାକିଲେ ।

 

କଣ...ଶାନ୍ତି ପଚାରିଲା ।

 

ତୁମେ ତାଙ୍କୁ ଭଲ ଭାବରେ ଶୁଆଇ ଦେଉନାହଁ କାହିଁକି ?

 

କଣ କରିବି... ?

 

ଆସ୍ତେ ଶୁଆଇ ଦିଅ ।

 

ଶାନ୍ତି ମୁଣ୍ଡରେ ଗୋଟିଏ ମଧୁର ଚିନ୍ତା ଖେଳିଗଲା । ସେ ରମେଶକୁ ନିଜ ଆଡ଼କୁ ଟାଣିଆଣି ତା ମୁଣ୍ଡଟି ନିଜ କୋଳରେ ରଖିଦେଲା ।

 

ରମେଶ ଶାନ୍ତି କୋଳରେ ଶୋଇଥାଏ । ଶାନ୍ତି ମୁହଁରେ ଦୁଷ୍ଟାମିର ହସ । ସେ ଯୁବତୀଟି ଚାହିଁଲା । ସେ ମଧ୍ୟ ହସି ଦେଲେ ।

 

ଗାଡ଼ି ଆଗେଇ ଚାଲୁଥାଏ ଅନ୍ଧକାର ଭେଦ କରି ।

 

ଏଇ ଆସି ଗଲା ଶାନ୍ତି.....କହି ହସି ହସି ଆଶାଲତା ଦେବୀ ଶାନ୍ତି ପାଖକୁ ଦୌଡ଼ି ଆସିଲେ ।

 

ଶାନ୍ତି ଗତ ରାତ୍ରିଟି ରମେଶ ବସାରେ କଟାଇ ବର୍ତ୍ତମାନ ଆସି ପହଞ୍ଚିଲା ।

 

ଶାନ୍ତି ତୁମର ତ ଛୁଟି ଦୁଇଦିନ ପୂର୍ବରୁ ଶେଷ ହୋଇ ଗଲାଣି ଏତେ ଡେରି କାହିଁକି କଲ-? ତୁମର ଡେରି ଦେଖି ମତେ ଭାରି ଭୟ ଲାଗୁଥାଏ । ଅବଶ୍ୟ ରମେଶବାବୁ ସାଥିରେ ଥିଲେ ବୋଲି । ନଚେତ୍ ମୁଁ ଚିନ୍ତାରେ କଣ ହୋଇ ଯାଇଥାନ୍ତି । ତାର କଣ ନାହିଁ ।

 

ଶାନ୍ତି କିଛି କହୁ ନଥାଏ । ସେ ଖାଲି ହସୁଥାଏ । ତାହେଲେ ମୁଁ ଯାଏ । ରମେଶ କହିଲା-

 

ଆଶାଲତା ଦେବୀ କହିଲେ ଅଳ୍ପ ବସନ୍ତୁ ଚାହା ଟିକିଏ ପିଇଦେଇ ଯିବେ ।

 

କିଛି ସମୟ ପରେ ରମେଶ ଚାଲିଗଲା । ରହିଗଲେ ଶାନ୍ତି ଓ ଆଶାଲତା ଦେବୀ ।

 

ଶାନ୍ତି......

 

ଆଜ୍ଞା......

 

ତୁମେ ଗତଥର କରିଥିବା ନାଟକଟି ଅତି ଚିତାକର୍ସକ ହୋଇଥିଲା । ତେଣୁ ମୁଁ ଭାବୁଛି ଏବର୍ଷ ବାର୍ଷିକ ଉତ୍ସବ ଦିନ ଆଉ ଗୋଟିଏ କରିବା ବୋଲି । ଏଥର Student ମଧ୍ୟ ପାର୍ଟ ନେବେ । କଣ କହୁଛ ?

 

ଚେଷ୍ଟା କରିବ ।

 

ହଁ ଗୋଟିଏ ଜରୁରୀ କଥା କହିବାର ଭୁଲି ଯାଇଛି । ଆଜି ସନ୍ଧ୍ୟାରେ ମୁଁ ଭୁବନେଶ୍ୱର ଯାଉଛି ।

 

କାହିଁକି ?

 

ଗୋଟିଏ ମିନିଙ୍ଗ୍‍ ଅଛି ।

 

କେତେ ଦିନ ଲାଗିବ ।

 

ଚାରି ପାଞ୍ଚ ଦିନରେ ଫେରିବି ।

 

ହଉ......

 

ଏହା ଭିତରେ ତୁମର କିଛି ଦରକାର ପଡ଼ିଲେ ‘ତାଙ୍କୁ’ କହିବ । ସେ ଆଉ ଆଗ ଭଳି ଦୁବ୍ୟବହାର କରିବେ ନାହିଁ । ମୁଁ ଟିକିଏ ବଜାରରୁ ଆସେ ।

 

ଶାନ୍ତି କୋଠରିକୁ ଫେରିଯାଇ ବିଶ୍ରାମ ନେଲା ।

 

ଶାନ୍ତି ଉଠୁ ଉଠୁ ଡେରି ହୋଇ ଯାଇଥାଏ । ପ୍ରିନ୍‍ସିପାଲ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି-

 

କୈଳାସ ବାବୁ ଓ ଶାନ୍ତି ତାଙ୍କୁ ଛାଡ଼ିବାକୁ ଷ୍ଟେସନକୁ ଗଲେ ।

 

ତା ପରଦିନ ଶାନ୍ତି ଟିକିଏ ଫୁର୍ତ୍ତି ଦେଖା ଯାଉଥାଏ । କଲେଜରୁ ଫେରି ସେ ରମେଶ ପାଖକୁ ଯାଇଥିଲା । କିନ୍ତୁ ରମେଶକୁ ପାଇଲା ନାହିଁ । ରମେଶ ବସାରେ ନଥାଏ ।

 

ରମେଶ ବସାରୁ ଅବଶ ହୋଇ ଫେରି ଶାନ୍ତି ଶୋଇ ପଡ଼ିଲା ।

 

କିଛି ସମୟ ପରେ ଚାକରାଣୀ ରାଧା ଭାତ ନେଇ ପହଞ୍ଚିଲା । ସେ ଦେଖିଲା ଯେ ଶାନ୍ତି ଶୋଇ ପଡ଼ିଛି । ଭାତ ଥାଳିଟି ଟେବୁଲ ଉପରେ ରଖି ଶାନ୍ତିକୁ ଉଠାଇଲା ରାଧା । କିନ୍ତୁ ଶାନ୍ତି ଖାଇବା ପାଇଁ ମନା କରିଦେଲା ।

 

ସମୟ ରାତ୍ର ଦଶ ହେବ । ରାଧା ଫେରି ଯାଇଥିଲା ଶାନ୍ତି କୋଠରୀରୁ ଭାତ ଥାଳି ନେଇ ।

 

ରାଧା...କୈଳାସବାବୁ ଡାକିଲେ ।

 

ଯାଉଛି...ରାଧା ଯାଇ ତାଙ୍କ ପାଖରେ ଠିଆ ହେଲା ।

 

ସବୁ ଠିକ୍ ତ...କୈଳାସବାବୁଙ୍କ ଚକ୍ଷୁରେ ସୈତାନର ହସ ।

 

ନାଁ...କିଛି ହୋଇ ପାରିଲା ନାହିଁ । ଡରି ଡରି କହିଲା ରାଧା ।

 

କାହିଁକି ? କଣ ହେଲା ? ରାଗିଯାଇ ପଚାରିଲେ କୈଳାସ-ବାବୁ ।

 

ସେ ଖାଇବାକୁ ମନା କରି ଦେଲେ ।

 

ତାହେଲେ ତ ସେ ଆଜି ଚଞ୍ଚଳ ଶୋଇବ ନାହିଁ ।

 

ନା ଆଜ୍ଞା ସେ ତ ଶୋଇ ପଡ଼ିଛନ୍ତି ।

 

ନିଦ କିପରି ହେବ । ଏଇଟା ତ ଖୁଆଇଲୁ ନାହିଁ ।

 

ମୁଁ କଣ କରିବି ଭାତରେ ମିଶାଇ ନେଇ ଯାଇଥିଲି । ସେ ତ ସଫା ମନା କରି ଦେଲେ-

 

କବାଟ ଖୋଲା ଅଛି ନା... ?

 

ହଁ...

 

ହଉ ଯା କାଲି ତୋର ବକ୍ସିସ ପାଇବୁ ।

 

କୈଳାସବାବୁ ଆସ୍ତେ ଆସ୍ତେ ଯାଇ ଶାନ୍ତି କୋଠରୀରେ ପଶିଗଲେ ।

 

ଶାନ୍ତି ଆରାମରେ ଶୋଇ ପଡ଼ିଥାଏ । ବୋଧହୁଏ ଶୋଇ ଶୋଇ ସେ କୌଣସି ସ୍ୱପ୍ନ ଦେଖୁଥିଲା । ଓଠରେ ତାର ଲାଗି ରହିଥାଏ ମଧୁର ହସ ।

 

କୈଳାସବାବୁ ଭିତରକୁ ଯିବା ସଙ୍ଗେ ସଙ୍ଗେ ଭିତରୁ ଶିକୁଳି ଦେଇ ଦେଲେ ।

 

ଶିକୁଳିର ଶବ୍ଦରେ ଶାନ୍ତିର ନିଦ ଭାଜିଗଲା । ସେ ହଠାତ୍ ଉଠି ବସି ପଡ଼ିଲା ।

 

କୈଳାସବାବୁ କବାଟ ପାଖରେ ଠିଆ ହୋଇଥାନ୍ତି । ଆଖିରେ ତାଙ୍କର କାମୁକତାର ନିଆଁ । ଶାନ୍ତିକୁ ଉଠିବାର ଦେଖି ସେ ଗୋଟିଏ ପୈଶାଚିକ ହସ ହସି ଆଗେଇ ଆସିଲେ ତାର ଆଡ଼କୁ ।

 

ଶାନ୍ତି ଭୟରେ ଥରୁଥାଏ । ତାକୁ କୌଣସି ରାସ୍ତା ଦେଖା-ଯାଉ ନଥାଏ ।

 

କୈଳାସବାବୁ ଶାନ୍ତିର ହାତ ଧରି ଟାଣି ନେଲେ ତାଙ୍କରି ଆଡ଼କୁ ।

 

ଶାନ୍ତି ଥର ଥର କଣ୍ଠରେ କହିଲା ଏ କଣ କରୁଛନ୍ତି ଆପଣ...

 

‘ତୁମର ଯୌବନ ସୁରାପାନ କରିବାକୁ ଚାହେଁ ଶାନ୍ତି’ ନାଟକୀୟ ଭଙ୍ଗିରେ କହିଲେ କୈଳାସବାବୁ ।

 

ଛି ନିର୍ଲଜ ତୁମକୁ ଲାଜ ମାଡ଼ୁନାହିଁ ।

 

ଲାଜ, ସେ ଶାନ୍ତିକୁ ଆହୁରି ନିକଟକୁ ଟାଣି ନେଲେ ।

 

ଶାନ୍ତି ରାଗରେ ଥରୁଥାଏ । ଉପାୟ ଖୋଜୁଥାଏ ସେ । ହଠାତ୍ ତାର ନଜର ପଡ଼ିଲା ଝରକାରେ । ଝରକାର ରେଲିଂ ନଥାଏ । ଅକ୍ଳେଶରେ ଜଣେ ଯାଇପାରିବ ଝରକା ଦେଇ ।

 

ସେ ଜୋରରେ କାମୁଡ଼ି ଦେଲା ତାଙ୍କ ହାତକୁ । କୈଳାସବାବୁ ଯନ୍ତ୍ରଣାରେ ଅଧିର ହୋଇ ତା ହାତ ଛାଡ଼ି ଦେଲେ ।

 

ଶାନ୍ତି ଝରକା ଦେଇ ବାହାରକୁ ଚାଲି ଆସିଲା । କୈଳାସବାବୁ ହାତଟିକୁ ଚିପି ଧରି ସେହିପରି ଠିଆ ହୋଇଥାନ୍ତି । ଶାନ୍ତି ବାହାର ପଟୁ ଶିକୁଳି ଦେଇ ଦେଲା ।

 

କୈଳାସବାବୁ ନିଜ ଜାଲରେ ନିଜେ ପଡ଼ିଗଲେ ।

 

ଶାନ୍ତି ଫାଟକ ଆଡ଼େ ଦୌଡ଼ିଥାଏ । ହଠାତ୍ ଲୁଗା ଲାଗି ଯିବାରୁ ସେ ପଡ଼ିଗଲା । ପଥର ଦେହରେ ମୁଣ୍ଡ ପିଟି ହୋଇ ଯିବାରୁ ଝର ଝର ରକ୍ତ ବୋହୁଥାଏ । ଶାନ୍ତିର ସେଥିପ୍ରତି ଦୃଷ୍ଟି ନାହିଁ । ସେ ଫାଟକ ଖୋଲି ରାସ୍ତାକୁ ଚାଲିଗଲା ।

 

ରିକ୍‍ସା ରମେଶ ଘର ସାମନାରେ ପହଞ୍ଚିଲା ବେଳକୁ ଏଗାର ବାଜିଥାଏ । ରମେଶ ଏ ଅସମୟରେ ଶାନ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଶାନ୍ତି ମୁଣ୍ଡରୁ ରକ୍ତ ବୋହି ତା ଲୁଗାର କିଛି ଅଂଶ ଲାଲ ହୋଇ ଯାଇଥାଏ ।

 

ସେ ଆଶ୍ଚର୍ଯ୍ୟରେ ପଚାରିଲା, “କଣ ହେଲା ଶାନ୍ତି ।”...କହୁ କହୁ ଶାନ୍ତି ମୁଣ୍ଡରୁ ରକ୍ତ ପୋଛି ଦେଇ ରୁମାଲଟି ବାନ୍ଧି ଦେଲା ।

 

କିଛି ସମୟ ବିଶ୍ରାମ ନେଲା ପରେ ଶାନ୍ତି ରମେଶ ଆଗରେ ସବୁ କହିଲା ।

 

ରମେଶ ଖାଲି ପଥରଟିଏ ଭଳି ବସି ସବୁ ଶୁଣି ଯାଉଥାଏ ।

 

ଛି ଏତେଟା ନୀଚ ସ୍ତରର ଲୋକ ଏ କୈଳାସବାବୁ । ତୁମେ ମତେ ଆଗ କାହିଁକି କହିଲ ନାହିଁ । ଏଠାରେ ତ ରହି ଯାଇଥାନ୍ତ । ଆଉ ସେଠାକୁ ଯିବାର କି ଦରକାର ଥିଲା । କି ବିଚିତ୍ର-ଗୋଟିଏ ଘରେ ଜଣେ ଦେବତା ଓ ଅନ୍ୟଜଣ ରାକ୍ଷସ ।

 

ଶାନ୍ତି କିଛି କହିଲା ନାହିଁ ।

 

ବାର ବାଜି ଯାଇଥାଏ । ଦୁହେଁ ଶୋଇ ପଡ଼ିଲେ ।

ସକାଳେ ଶାନ୍ତିର ନିଦ ଭାଜିଲା ଟିକିଏ ଡେରିରେ । ସେ ଦୁର୍ବଳ ହୋଇ ପଡ଼ିଥିଲା । ମୁଣ୍ଡରେ ଭୀଷଣ ଯନ୍ତ୍ରଣା । ଦେଖିଲା ରମେଶ ଉଠି କୁଆଡ଼େ ଚାଲି ଯାଇଛି ।

 

ପ୍ରାୟ ଘଣ୍ଟାଏ ପରେ ରମେଶ ଫେରିଲା । ହାତରେ ତାର କଣ ଗୋଟାଏ ପକେଟ ।

 

କଣ ସେଇଟା......ଶାନ୍ତି ପଚାରିଲା ।

 

ଏଇ ଲୁଗାଟିଏ । ତୁମେ ସେ ଖଣ୍ଡିକ ବଦଳାଇ ଦିଅ । ଭଲ ଦେଖା ଯାଉନାହିଁ । ରମେଶ କହିଲା ।

 

ଏତେ କଷ୍ଟ କରି କାହିଁକି ଆଣିଲେ ସେ ଖଣ୍ଡି । କ’ଣ ଦରକାର ଥିଲା ତାର । ଏ ଖଣ୍ଡିକ ତ ଚଳିଯାଇଥାନ୍ତା ।

 

ରମେଶ କିଛି କହିଲା ନାହିଁ । ଅଳ୍ପ ହସି ଦେଲା । କିଛି ସମୟ ଚୁପ୍ ହୋଇ ବସିବା ପରେ ରମେଶ କହିଲା ଚାଲ ଖାଇ ଦେଇ ଆସିବା ।

 

ଶାନ୍ତି ଲୁଗା ବଦଳାଇଲା ।

 

ଦୁହେଁ ମେସ୍‍ରୁ ଖାଇ ଦେଇ ଆସିଲେ ।

 

ଶାନ୍ତି.......

 

ଉଁ.......

 

ତୁମେ ବିଶ୍ରାମ କର ମୁଁ ଲାଇବ୍ରେରୀରୁ ଫେରେ ।

 

ରମେଶ ଚାଲିଗଲା ଲାଇବ୍ରେରୀକୁ । ଶାନ୍ତି ଦୁର୍ବଳତା ଯୋଗୁଁ ଶୋଇ ପଡ଼ିଲା ।

 

ତାର ନିଦ ଭାଜିଲା ବେଳକୁ ସାଢ଼େ ଚାରି ବାଜିଥାଏ । ମୁଣ୍ଡର ଯନ୍ତ୍ରଣା ସେତେ ନ ଥାଏ-। ଖଟ ଉପରେ ବସି ବହୁତ ସମୟ ଚିନ୍ତା କଲା ଶାନ୍ତି । ତା ପରେ କାଗଜ କଲମ ନେଇ ଲେଖି ବସିଲା ଖଣ୍ଡିଏ ଚିଠି ରମେଶକୁ ।

 

ଦେବତା ମୋର,

 

ବହୁତ ଭାବିବା ପରେ ଠିକ୍ କଲି ଯେ ମୋର ବିଗତ ଜୀବନର କେତେକ ଗ୍ଳାନି, ତା ସବୁ ଆପଣଙ୍କୁ ଜଣାଇ ଦେବି । ଆପଣ ଦେବତା, ଆଜିଯାଏଁ ଆପଣଙ୍କ ଆଗରେ ସେ ସବୁ ଲୁଚାଇ ରଖି ମୁଁ ଗୋଟିଏ ପାପ କରିଛି । ଭାବିଥିଲି ସେ କଥା ଆପଣଙ୍କୁ କେବେ ନ କହିବାକୁ । କିନ୍ତୁ ବିବେକ ମୋର ତାହା କରାଇ ଦେଲା ନାହିଁ । ବାଇଶି ବର୍ଷ ଇତିହାସ ଲେଖିବା ପାଇଁ ସାହାସ ଓ ସମୟ ଦରକାର । ସେ ଧୈର୍ଯ୍ୟ ମୋର ନାହିଁ । ଯାହା ବା ଥିଲା ତାହା ଆପଣଙ୍କ ପାଦ ତଳେ ଓଜାଡ଼ି ଦେଇଛି । ଅଜଣାତରେ ଆପଣଙ୍କ ନିକଟରେ ଯାହା ଭୁଲ କରିଥିବି ତାହା ଭୁଲି ଯାଇ କ୍ଷମା ତେବେ ବୋଲି ମିନତି । ଆପଣ ବହୁତ ଥର ପଚାରିଥିଲେ । କିନ୍ତୁ ଆପଣଙ୍କ ଆଗରେ କହିବା ଭଳି ସାହାସ ମୋର ନାହିଁ । ତେଣୁ ଲେଖି ଜଣାଇଲି ।

 

ମୁଁ ସେତେବେଳେ କଲେଜରେ ପ୍ରଥମ ବର୍ଷରେ ପଢ଼ୁଥାଏ । ଦୀର୍ଘ ଆଠ ବର୍ଷ ତଳର କଥା । କଲେଜରେ ନୂଆ ହୋଇ ପାଦ ଦେଇଥାଏ । ମନରେ ଗୋଟିଏ ନୂଆ ଆନନ୍ଦ । ପ୍ରଥମ ବର୍ଷର ମୋର ଅନ୍ତରଙ୍ଗ ବନ୍ଧୁଥିଲା ରେଣୁ । ମୁଁ ପ୍ରାୟ ଅଧିକାଂଶ ସମୟରେ ତାଙ୍କ ଘରକୁ ଯାଏ । ରେଣୁ ଘର ଆମ ଘରଠାରୁ ମୋଟେ ଶହେ ଗଜ ଭିତରେ । ସେତେବେଳେ ତାର ବଡ଼ଭାଇ ପରେଶ ପଢ଼ୁଥାନ୍ତି B. A । ପରେଶବାବୁ, ଦେଖିବାକୁ ସୁନ୍ଦର ହୃଷ୍ଟପୃଷ୍ଟ ଚେହେରା । ସେତେଟା ଗୋରା ନ ହେଲେ ମଧ୍ୟ ଅସୁନ୍ଦର ନୁହନ୍ତି । ପ୍ରଥମ ସାକ୍ଷାତରେହିଁ ମୁଁ ତାଙ୍କୁ ଭଲ ପାଇ ବସିଲି । ସେ ମଧ୍ୟ ମତେ ପ୍ରାଣ ଦେଇ ଭଲ ପାଉଥିଲେ । ଏକଥା ଜାଣିଥାଉ ମୁଁ, ରେଣୁ ଓ ସେ । ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ ରେଣୁ ଓ ସେ ମତେ ଚିଡ଼ାନ୍ତି । ବେଳେ ବେଳେ ପରେଶ ବାବୁ ମଧ୍ୟ ଆମ ଘରକୁ ଆସନ୍ତି । ମା ମଧ୍ୟ ମନେ ମନେ ଠିକ୍ କରିଥାଏ ମତେ ତାଙ୍କ ହାତରେ ଅର୍ପଣ କରିବାକୁ । ପରେ ଆମର ଅବାଧ ମିଳାମିଶା । ଏପରିକି ମୋ ଜୀବନର ସବୁଠାରୁ ମୂଲ୍ୟବାନ୍ ଜିନିଷ ମଧ୍ୟ ମୁଁ ତାଙ୍କ ପାଦ ତଳେ ଅକାତରରେ ଓଜାଡ଼ି ଦେଇଥିଲି । କଥା ବହୁତ ଦିନ ଲୁଚି ରହିଲା ନାହିଁ । ମୁଁ ହେଲି ଅନ୍ତଃ ସତ୍ଵା । ତାଙ୍କ ବାପା, ବୋଉ ଜାଣିଲେ । ମୁଁ ତାଙ୍କ ଘରକୁ ଯିବା ବନ୍ଦ କରି ଦେଲି । ତାଙ୍କ ମା ମତେ ତାଙ୍କ ଘରକୁ ଯିବାକୁ ମନା କରିଦେଲେ । ପରେଶବାବୁ ପ୍ରତିବାଦ କଲେ-। କିନ୍ତୁ ଫଳ କିଛି ହେଲା ନାହିଁ ।

 

ମାଁ ମୁଣ୍ଡରେ ହାତ ଦେଇ ବସିଲା । ଶେଷରେ...ଶେଷରେ ଦେବତା ମୋର, ମତେ କରିବାକୁ ପଡ଼ିଲା ଭୃଣହତ୍ୟା । ତେଣୁ ଆପଣଙ୍କ ଧାରଣା ଯେ ମୁଁ ଆଜିଯାଏଁ କୁମାରୀ ଅଛି । କିନ୍ତୁ ତାହା ଭୁଲ । ମୁଁ ହରାଇ ବସିଛି କୁମାରୀତ୍ଵ ବହୁତ ଦିନରୁ । ଆପଣଙ୍କ ଆଗରେ ଲୁଚାଇ ରଖିବା କଥାଟିକୁ ଆଜି ଲେଖି ଦେଲି । ସାହି ଲୋକେ ଏକଥା ଜାଣିଲେ । ସେମାନେ ମୋ ପଛରେ କେତେ କଥା ହୁଅନ୍ତି । ମୋ ନାମରେ ସୃଷ୍ଟି ହେଲା କେତେ ଗପ, ଦୁର୍ନାମ, କଳଙ୍କ, ନିନ୍ଦା, ସବୁ ମୁଁ ସହ୍ୟ କଲି । ଆମର ଆତ୍ମୀୟ ସମସ୍ତେ ଆସିବା ବନ୍ଦ କରି ଦେଲେ ।

 

ଆପଣ ସେ ଦିନ ଗାଁରେ ପଚାରୁଥିଲେ ନା, କାହିଁକି ସାହି ଲୋକ ମତେ ଏତେଟା ଘୃଣା କରନ୍ତି ? ଏଇଥିପାଇଁ ମୁଁ ଘୃଣାର ପାତ୍ର ହେଲି ? ସମବୟସ୍କା ଝିଅମାନେ ଦେଖିଲେ କଥାବାର୍ତ୍ତା କରନ୍ତି ନାହିଁ । ଆଗଭଳି ଆମ ଘରକୁ ଆସନ୍ତି ନାହିଁ । ଆଛା, ରମେଶବାବୁ ଭଲ ପାଇବା କଣ ପାପ ?

 

ଭଗବାନଙ୍କର ଉଦ୍ଦେଶ୍ୟ ମଧ୍ୟ ଅନ୍ୟ ପ୍ରକାର । ପରେଶବାବୁ ଚିନ୍ତାରେ ଶଯ୍ୟାଶାୟୀ ହେଲେ । ତାଙ୍କୁ ହେଲା ଟାଇଫଇଡ଼ । ସାତୋଟି ଦିନରେ ତାଙ୍କର ଜୀବନ ଦୀପ ଲିଭିଗଲା । ଦୁର୍ନାମ ଲିଭିଲା । ଲୋକେ କଥାଟିକୁ ଆସ୍ତେ ଆସ୍ତେ ଭୁଲି ଗଲେ । କିନ୍ତୁ ଦାଗ ରହିଗଲା ସବୁଦିନ ପାଇଁ । ପରେଶବାବୁଙ୍କ ମୃତ୍ୟୁରେ ମାଁଙ୍କ ମନରେ ଗୋଟିଏ ବଡ଼ ଆଘାତ ଲାଗିଲା । ସେ ଦିନକୁ ଦିନ ଅବଶ ହୋଇ ପଡ଼ିଲେ ।

 

ମୁଁ କିନ୍ତୁ ଧୈର୍ଯ୍ୟର ସହିତ ପଢ଼ୁଥାଏ କଲେଜରେ । ଭଗବାନଙ୍କ ଦୟାରୁ ପାସ୍‍ ମଧ୍ୟ କରି ଯାଉଥାଏ ବର୍ଷକୁ ବର୍ଷ । B A ଶେଷ ହେଲା ବେଳକୁ ଦେଖିଲି ମୋର ଘରଶୂନ୍ୟ । ମୋର ପଢ଼ା ସକାଶେ ମାଁ ତାର ଗହଣା, ଗାଣ୍ଠି ସବୁତକ ବିକି ଦେଇଛି । ତେଣୁ ବାଧ୍ୟ ହେଲି ଚାକିରି କରିବାକୁ ।

 

ଆପଣଙ୍କ ପାଖରେ ଏତେ ଦିନ ରହି ଯଥେଷ୍ଟ କଷ୍ଟ ଦେଇଛି ଆପଣଙ୍କୁ । ଆପଣଙ୍କ ସ୍ନେହ ପାଇ ଭୁଲିଯିବାକୁ ଚେଷ୍ଟା କରିଥିଲି ମୋର ଅତୀତକୁ । କିନ୍ତୁ ପାରିଲି ନାହିଁ । ଜୀବନରେ ଆଉ ଦେଖା ହେବ କି ନାହିଁ ସନ୍ଦେହ । ମୁଁ ଚାଲି ଯାଉଛି ଆପଣଙ୍କଠାରୁ ବହୁତ ଦୂରକୁ । ଖୋଜିବାକୁ ଚେଷ୍ଟାକରିବେ ନାହିଁ । ଗଲାବେଳେ ଆପଣଙ୍କ ପାଦଧୂଳି ଟିକିଏ ନେଇ ପାରିଲି ନାହିଁ । ସେତିକି ମନରେ ଅବଶୋଷ ରହିଗଲା । ଚିଠିଟି ପଢ଼ି ଆପଣ ଭାବିବେ ଚଳଚିତ୍ରର ଦୃଶ୍ୟ ପରିବର୍ତ୍ତନ ଭଳି ସ୍ତ୍ରୀମାନଙ୍କ ମନ କ୍ଷଣ କ୍ଷଣକେ ପରିବର୍ତ୍ତନଶୀଳ । ଅବଶ୍ୟ କଥାଟା କେତେକାଂଶରେ ସତ । ମୋ ଜୀବନ ନାଟକରେ ଦୃଶ୍ୟ ପରେ ଦୃଶ୍ୟ ଆସିଛି ଓ ଯାଉଛି । ତା ମଧ୍ୟରେ ଆପଣଙ୍କ ସହିତ ସାକ୍ଷାତ ମଧ୍ୟ ଗୋଟିଏ ଅଭିଘାତ । ସେଇଟା କିନ୍ତୁ ନାଟକର ଚୁଡ଼ାନ୍ତ ଦୃଶ୍ୟ ଭଳି ମୋ ଜୀବନରେ ଗୋଟିଏ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ । ଏଜୀବନରେ ଆପଣଙ୍କର ଋଣ ସୁଝାଇ ପାରିଲି ନାହିଁ । ଆର ଜନ୍ମରେ ଆପଣଙ୍କ ପାଦତଳେ ଅଳ୍ପ ସ୍ଥାନ ଦେବେ ବୋଲି ଆଶା ।

 

ଅଭାଗିନୀ ଶାନ୍ତି ।

 

ଚିଠିଟି ଶେଷ ହେଲା ବେଳକୁ ଶାନ୍ତି ଆଖିରୁ ଧାର ଧାର ଲୁହ ବହୁଥାଏ । ସେ ଚିଠିଟି ଖଟ ଉପରେ ପକାଇ ଦେଲା । ସେ ଜାଣୁଥାଏ ଯେ ଏହାଦ୍ଵାରା ସେ ସୃଷ୍ଟି କରିବ ରମେଶବାବୁଙ୍କ ଜୀବନରେ ଗୋଟିଏ ଅଶାନ୍ତିର ଝଡ଼ । କିନ୍ତୁ ଅନ୍ୟ ଉପାୟ ନାହିଁ । ସେ ସୁଖି କରିପାରିବ ନାହିଁ ରମେଶବାବୁଙ୍କୁ । ତାଙ୍କର ସଚରିତ୍ର ଆଗରେ ସେ ଖେଳି ପାରିବ ନାହିଁ ଏ ନାଟକ । ସେ ପାରିବ ନାହିଁ ତାଙ୍କୁ ପ୍ରତାରିତ କରି । ବରଂ ସେ ତାଙ୍କ ଜୀବନରୁ ଦୂରେଇ ଯିବାହିଁ ଭଲ । ସେ ଅନ୍ୟ କାହାକୁ ବିବାହ କରି ସୁଖି ହେବେ । ଭୁଲିଯିବେ ଏଇ ଅଳ୍ପ ଦିନର ସ୍ନେହ ଓ ମମତାକୁ । ସେତେବେଳେ ଘଡ଼ିରେ ସାଢ଼େ ପାଞ୍ଚ ବାଜିଥାଏ । ଛ’ଟାରେ ଗାଡ଼ି ଅଛି । ବାହାରି ପଡ଼ିଲା ଶାନ୍ତି ।

 

ରମେଶ ଆସି ବସାରେ ପହଞ୍ଚିଲା ବେଳକୁ ରାତ୍ର ଦଶ ବାଜିଥାଏ । ସେ ଦିନ ଲାଇବ୍ରେରୀରେ କେତଗୁଡ଼ିଏ ଜରୁରୀ ପଏଣ୍ଟ ଟିପି ନେଉ ନେଉ ତାର ଡେରି ହୋଇ ଯାଇଥାଏ । ବସାରେ ପହଞ୍ଚି ରମେଶ ଦେଖିଲା କବାଟ ବାହାର ପଟୁ ଶିକୁଳି ଦିଆ ହୋଇଛି । ଭାବିଲା ଶାନ୍ତି ବୋଧହୁଏ କାହା ଘରକୁ ଯାଇଥିବ । ଭିତରକୁ ପଶିଯାଇ ସୁଇଚ୍ ଅନ୍‍କଲା । ହଳଦିଆ ରଙ୍ଗର ଆଲୁଅରେ କୋଠରୀଟି ପୁରିଗଲା । ରମେଶ ଦେଖିଲା ଖଟ ଉପରେ କଣ ଗୋଟିଏ କାଗଜ ଭଙ୍ଗା ହୋଇ ଥୁଆ ହୋଇଛି । ଖୋଲି ଦେଖିଲା ଖଣ୍ଡିଏ ଚିଠି ତା ପାଖକୁ ଲେଖା ହୋଇଛି ।

 

ଏକ ନିଶ୍ଵାସରେ ପଢ଼ିଗଲା ଚିଠିଟି । ପଢ଼ା ଶେଷରେ ତା ହାତରୁ ଚିଠିଟି ଖସି ପଡ଼ିଲା । ଆଖି ତାର ଛଳଛଳ ହେଉଥାଏ । କୋଠରୀଟିର ଚାରିଆଡ଼କୁ ଦୃଷ୍ଟି ପକାଇଲା ରମେଶ । ପେଟ ଭିତରୁ କୋହ ପରେ କୋହ ଉଠୁଥାଏ । ଶାନ୍ତି ଚାଲିଯାଇଛି । ଚିରଦିନ ପାଇଁ ତା ଜୀବନରୁ । ମୁହଁଟି ତାର ଶେତା ପଡ଼ି ଯାଇଥାଏ । ଅର୍ଥହୀନ ଦୃଷ୍ଟିରେ ସେ ଚାହିଁଥାଏ ବାହାରକୁ । ବାହାରେ ଘନ ଅନ୍ଧକାର । ବୋଧହୁଏ କରେଣ୍ଟ ଫେଲ କରିଛି । ସେଇ ଅନ୍ଧକାରରେ ଯେପରି ରମେଶ ଶୁଣି ପାରୁଥିଲା ଶାନ୍ତିର ପଦଧ୍ଵନି । ସତେ ଯେପରି ଶାନ୍ତିର ମୃଦୁ ପଦଧ୍ଵନି କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା ।

 

ପାଖ ହସପିଟାଲର ଘଡ଼ିଟି ବାର ବାଜିବାର ସୂଚନା ଦେଉଥାଏ ।

Image